ଉତ୍ତର ପ୍ରଦେଶରେ କଂଗ୍ରେସ ସରକାର ଆସିଲେ ପ୍ରିୟଙ୍କା ଗାନ୍ଧୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଇଣ୍ଟରଭ୍ୟୁରେ ଦେଲେ ସଂକେତ

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪/୧୦ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଏକ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ଗାନ୍ଧୀ ସଂକେତ ଦେଇଛନ୍ତି ଯେ ଯଦି ଉତ୍ତର ପ୍ରଦେଶରେ କଂଗ୍ରେସ ସରକାର ଆସେ ତାହେଲେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ଉତ୍ତର ପ୍ରଦେଶ ରାଜନୀତିକୁ ନେଇ ପ୍ରିୟଙ୍କା ସବୁବେଳେ ଆଗରେ ରୁହନ୍ତି। ଉତ୍ତର ପ୍ରଦେଶରେ ଅପରାଧ ହେଉ, ବେକାରୀ ସମସ୍ୟା ହେଉ କିମ୍ବା ମହିଳାଙ୍କ ବିରୋଧରେ ଅତ୍ୟାଚାର, ପ୍ରିୟଙ୍କା ସବୁ ପ୍ରସଙ୍ଗରେ ନିଜ ମତାମତ ରଖନ୍ତି। ଯେକୌଣସି ପ୍ରସଙ୍ଗକୁ ନେଇ ସେ ସବୁବେଳେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥାନ୍ତି।

ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଦଳ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଜୋରସୋରରେ ଲାଗିଛି। ଉତ୍ତର ପ୍ରଦେଶରେ କଂଗ୍ରେସ ତିନି ଦଶକରୁ ଅଧିକ ହେଲା ଶାସନରେ ନାହିଁ। ଗତ ମାସ ୧୨ ତାରିଖରେ କଂଗ୍ରେସର ନୂଆ ୱାର୍କିଙ୍ଗ୍ କମିଟି ଗଠନ ହୋଇଥିଲା। ସେତେବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ମହାସଚିବ ଓ ପୂର୍ବ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ଏହାସହ ସକ୍ରିୟ ରାଜନୀତିରେ ପ୍ରିୟଙ୍କାଙ୍କ ଆଗମନ ହୋଇଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଭାବ କୌଣସି ପ୍ରଭାବ ପକାଇ ପାରିନଥିଲା। ଏହି ନିର୍ବାଚନରେ କଂଗ୍ରେସ ଉତ୍ତର ପ୍ରଦେଶରେ କେବଳ ଗୋଟିଏ ଆସନରେ ହିଁ ସୀମିତ ହୋଇ ରହିଗଲା। ସବୁଠାରୁ ବଡ କଥା ହେଲା ଅମେଠିରୁ ରାହୁଲ ଗାନ୍ଧୀ ମଧ୍ୟ ନିଜ ଗଡ ରକ୍ଷା କରିପାରିନଥିଲେ। ସେ ନିଜ ଆସନ ମଧ୍ୟ ହରେଇ ବସିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.