୪ ଜାନୁୟାରୀ ଆଲୋଚନା ବିଫଳ ହେଲେ ଚରମ ପଦକ୍ଷେପ ନେବେ ଚାଷୀ: ମିଳିତ କୃଷକ ସଂଘ

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ ୧।୧: ଏମଏସପି ଲାଗି ଆଇନତଃ ଗ୍ୟାରେଣ୍ଟି ସମେତ ୩ ବିବାଦିତ କୃଷି ଆଇନ ପ୍ରତ୍ୟାହାର ଦାବିରେ ମାସାଧିକ କାଳ ଦିଲ୍ଲୀରେ ଆନ୍ଦୋଳନ ଚଳାଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହେଲେଣି। ୪ ଜାନୁୟାରୀ ବୈଠକକୁ ଚାହିଁ ବସିଥିବା ଚାଷୀଙ୍କ ସଙ୍ଗଠନ ଶୁକ୍ରବାର ସିଂଘୁ ବର୍ଡରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଆଲୋଚନା ବିଫଳ ହେଲେ ଚାଷୀ ବିକଳ୍ପ ପନ୍ଥା ଅନୁସରଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚାଷୀମାନେ ଏପର୍ଯ୍ୟନ୍ତ ସରକାରଙ୍କ ସହ ୭ଟି ପର୍ଯ୍ୟୟ ଆଲୋଚନା କରିଥିବା କହିଛନ୍ତି। ତେବେ  ଚାଷୀ ସରକାରଙ୍କ ସହ ସେମାନଙ୍କର ମାତ୍ର ୫ ପ୍ରତିଶତ ପ୍ରସଙ୍ଗରେ ଆଲୋଚନା କରିପାରିଥିବା କହିଛନ୍ତି। ଏଥିରେ ଯଦି ୪ ଜାନୁୟାରୀ ଆଲୋଚନା ବିଫଳ ହୁଏ ହରିୟାଣାରେ ପେଟ୍ରୋଲ ପମ୍ପ ଓ ମଲ ବନ୍ଦ ଲାଗି ଆହ୍ୱାନ ଦିଆଯିବ ବୋଲି କୃଷକନେତାମାନେ କହିଛନ୍ତି।

କେବଳ ଏତିକି ନୁହେଁ ହରିୟାଣା-ରାଜସ୍ଥାନ ସୀମାରେ ଅଟକି ରହିଥିବା ଚାଷୀ ମଧ୍ୟ ଜାତୀୟ ରାଜଧାନୀକୁ ମୁହାଁଇବେ ବୋଲି ସ୍ୱରାଜ ଇଣ୍ଡିଆ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି। ପରବର୍ତ୍ତି ପର୍ଯ୍ୟାୟ ଆଲୋଚନାରେ ଯଦି ଚାଷୀଙ୍କ ଦାବି ନେଇ କୌଣସି ନିଷ୍ପତ୍ତି ନ ହୁଏ ତେବେ ୬ ଜାନୁୟାରୀରେ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରାଯିବ ବୋଲି କୃଷକନେତା ୟୁଦ୍ଧବୀର ସିଂହ କହିଛନ୍ତି।

ତେବେ ଗତ ବୁଧବାର ବିଜ୍ଞାନଭବନରେ ଅନୁଷ୍ଠିତ ସପ୍ତମ ପର୍ଯ୍ୟାୟ ବୈଠକରେ ଚାଷୀଙ୍କ ୪ଟି ଦାବି ମଧ୍ୟରୁ ୨ଟିର ଆପାତତଃ ସମାଧାନର ରାସ୍ତା ବାହାର କରାଯାଇ ପାରିଥିବା କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗଣମାଧ୍ୟମକୁ କହିଥିଲେ। ତେବେ ସେମାନଙ୍କ ୨ଟି ପ୍ରମୁଖ ଦାବି ୩ ବିବାଦୀୟ ଆଇନର ପ୍ରତ୍ୟାହାର ଓ କୃଷି ଆଇନରେ ଏମଏସପିର ଆଇନତଃ ସମ୍ପୃକ୍ତି ନେଇ ଖୁବ ଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.