'ସ୍ପା' ସେଣ୍ଟରକୁ ଆସୁଥିବା ଗ୍ରାହକଙ୍କୁ ଦେଖାଇବାକୁ ପଡିବ ପରିଚୟ ପତ୍ର - ଦିଲ୍ଲୀ ମହିଳା କମିଶନ

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ୩|୧୦: ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ସ୍ପା ସେଣ୍ଟରରେ ସେକ୍ସ ରାକେଟ ଚାଲୁଥିବା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ମହିଳା କମିଶନ ଓ ପୋଲିସ ମିଳିତ ଭାବେ ଦିଲ୍ଲୀର ପୃଥକ ପୃଥକ ସ୍ଥାନରେ ସ୍ପା ସେଣ୍ଟରରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛନ୍ତି। ଦିଲ୍ଲୀରେ ବେଆଇନ ଭାବେ ଚାଲୁଥିବା ସ୍ପା ସେଣ୍ଟରଗୁଡିକ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ମହିଳା କମିଶନ ସରକାରଙ୍କୁ ପରାମର୍ଶ ଦେଇଥିଲେ।

 ଏହାପରେ ବେଆଇନ ସ୍ପା ସେଣ୍ଟରରେ ଚାଲୁଥିବା ଦେହ ବ୍ୟବସାୟ କାରବାର ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ପା ସେଣ୍ଟରକୁ ଆସୁଥିବା ଗ୍ରାହକଙ୍କୁ ସେମାନଙ୍କ ପରିଚୟ ପତ୍ର ଦେଖିଇବାକୁ ପଡିବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରମାଣପତ୍ର ସ୍ବରୂପ ଭୋଟର ଆଇଡି, ଆଧାର କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସକୁ ଦେଖାଇବାକୁ ହେବ। ଏଥିସହ ସ୍ପା ସେଣ୍ଟରକୁ ଆସୁଥିବା ସବୁ ଗ୍ରାହକଙ୍କ ନାଁ, ମୋବାଇଲ ନମ୍ବର ଓ ଠିକଣା ରେଜିଷ୍ଟ୍ରରରେ ଉଲ୍ଲେଖ ରହିବ। ବିଶେଷକରି ସାଉଥ୍‌ ଏମସିଡିର ସ୍ପା ସେଣ୍ଟର ଓ ମସାଜ ସେଣ୍ଟର ଗୁଡିକ ଉପରେ ଏହି ନିୟମ ଲାଗୁ କରାଯିବ। ନିକଟରେ ଦିଲ୍ଲୀ ମହିଳା କମିଶନ ବୁରାଡି ଓ ନଓ୍ବାଦରେ ଥିବା ସ୍ପା ସେଣ୍ଟରରେ ଦେହ ବ୍ୟବସାୟର ପର୍ଦ୍ଦାଫାଶ କରିଥିଲେ।

ସାଉଥ୍‌ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଫ୍‌ ଦିଲ୍ଲୀ(ଏମସିଡି)ର ଷ୍ଟାଡିଙ୍ଗ କମିଟିର ବୈଠକରେ ସଦସ୍ୟାମାନେ ବେଆଇନ ଭାବେ ଚାଲୁଥିବା ସ୍ପା ସେଣ୍ଟରଗୁଡ଼ିକ ଉପରେ କଡ଼ାକଡ଼ି ନିୟମ କରିଛନ୍ତି। ଏମସିଡିର ଷ୍ଟାଡିଙ୍ଗ କମିଟିର ନିର୍ଦେଶ ଅନୁସାରେ  ଦିଲ୍ଲୀ ପବ୍ଲିକ ହେଲଥ ହେଲଥ ଡିପାର୍ଟମେଣ୍ଟ ଏହି ନିୟମ ପ୍ରଣୟନ କରିଛନ୍ତି। ଦିଲ୍ଲୀରେ ବେଆଇନ ଭାବେ ଚାଲୁଥିବା ସ୍ପା ସେଣ୍ଟର ଉପରେ ଦିଲ୍ଲୀ ସରକାର କଡ଼ାକଡ଼ି ନିୟମ ଲାଗୁ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.