ଜୁଲାଇ ୧ରୁ ଆଇସିଏସ୍‌ଇ ପରୀକ୍ଷା : ୬ରୁ ୮ ସପ୍ତାହ ମଧ୍ୟରେ ରେଜଲ୍ଟ

Published By : Prameya-News7 Bureau | May 23, 2020 IST

ଭୁବନେଶ୍ୱର ୨୩ ।୦୫: କାଉନ୍‌ସିଲ୍‌ ଫର୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ସିଆଇଏସ୍‌ଇ) ପକ୍ଷରୁ ବଳକା ଥିବା ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ବିଷୟଗୁଡ଼ିକର ପରୀକ୍ଷା ହେବ । ଜୁଲାଇ ୧ରୁ ୧୪ ତାରିଖ ଯାଏ ପରୀକ୍ଷା ହେବ । ଏନେଇ ସିଆଇଏସ୍‌ଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ରବିବାରରେ ମଧ୍ୟ ପରୀକ୍ଷା ହେବ । ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରିବେ ।

ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା । କିନ୍ତୁ କୋଭିଡ୍‌-୧୯ ସଙ୍କଟ ପାଇଁ ଆଇସିଏସ୍‌ଇର ୬ଟି ବିଷୟ ଓ ଆଇଏସ୍‌ସିର ୮ଟି ବିଷୟର ପରୀକ୍ଷା ସ୍ଥଗିତ କରାଯାଇଥିଲା । ଜୁଲାଇ ୨ରେ ଆଇସିଏସ୍‌ଇ ପିଲାଙ୍କ ଭୂଗୋଳ, ୪ରେ ଆର୍ଟ ପେପର୍‌-୪, ୬ରେ ଗ୍ରୁପ୍‌-୩ ଇଲେକ୍ଟିଭ୍‌, ୮ରେ ହିନ୍ଦି, ୧୦ରେ ବାୟୋଲୋଜି-ସାଇନ୍ସ ପେପର୍‌(୩) ଓ ୧୨ରେ ଅର୍ଥନୀତି ବିଷୟ ପରୀକ୍ଷା କରାଯିବ । ସେହିପରି ଆଇଏସ୍‌ସି ପିଲାଙ୍କର ଜୁଲାଇ ୧ରେ ବାୟୋଲୋଜି (ପାର୍ଟ-୧) ଥିଓରି, ୩ରେ ବିଜ୍‌ନେସ୍‌ ଷ୍ଟଡିଜ୍‌, ୫ରେ ଭୂଗୋଳ, ୭ରେ ମନୋବିଜ୍ଞାନ, ୯ରେ ସମାଜ ବିଜ୍ଞାନ, ୧୧ରେ ଗୃହବିଜ୍ଞାନ (ପାର୍ଟ-୧) ଥିଓରି, ୧୩ରେ ଇଲେକ୍ଟିଭ୍‌ ଇଂରାଜୀ ଓ ୧୪ରେ ଆର୍ଟ-୫ କ୍ରାଫ୍ଟ ବିଷୟର ପରୀକ୍ଷା ହେବ । ଏହି ପରୀକ୍ଷାର ଫଳ ୬ରୁ ୮ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ବୋଲି ସିଆଇଏସ୍‌ଇ ପକ୍ଷରୁ କୁହାଯାଇଛି ।

ପରୀକ୍ଷା ପାଇଁ ଏକ ଗାଇଡ୍‌ଲାଇନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି । ସ୍କୁଲ ଗେଟ୍‌ରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରି ଆସିବେ । ପରୀକ୍ଷା ହଲ୍‌ରେ ମଧ୍ୟ ସେମାନେ ସାମାଜିକ ଦୂରତା ରକ୍ଷା କରି ବସିବେ । ସମସ୍ତେ ମାସ୍କ ପିନ୍ଧିବେ ଓ ସାଥୀରେ ହ୍ୟାଣ୍ଡ ସାନିଟାଇଜର ଆଣିବେ । ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ପେନ୍‌ ଓ ଅନ୍ୟାନ୍ୟ ଷ୍ଟେସ୍‌ନାରୀ ଆଣିବେ । ପରସ୍ପର ସହ ଏସବୁକୁ ବାଣ୍ଟିବେ ନାହିଁ । ୧୫ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ୧୦ଟା ୪୫ରେ ସେମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ ଓ ୧୧ଟାରେ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.