ନୂଆଦିଲ୍ଲୀ ୨୫/୬: କରୋନା ମହାମାରୀ ବିରୋଧରେ ଦେଶ ଏବଂ ଦୁନିଆରେ ଲଢ଼େଇ ଜାରି ରହିଛି। ଲୋକଙ୍କୁ ଯଥାଶୀଘ୍ର ଟିକା ଲଗାଇ କରୋନା ବିରୋଧୀ ଯୁଦ୍ଧରେ ବିଜୟୀ ହେବାକୁ ଜୋରଦାର କସରତ ଚାଲିଛି। କିନ୍ତୁ ଏହାରି ଭିତରେ ଲଗାତାର ଲୋକେ ପ୍ରଶ୍ନ କରୁଛନ୍ତି, ଗର୍ଭବତୀ ମହିଳା ଟିକା ନେଇପାରିବେ କି ନାହିଁ ? ଏହାକୁ ନେଇ ବିଭିନ୍ନ ବିଶେଷଜ୍ଞ ଭିନ୍ନ ମତ ଦେଇଆସିଥିବା ବେଳେ ଏବେ ଇଣ୍ଡିଆନ୍ କାଉନସିଲ୍ ଅଫ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଜବାବ ମିଳିଛି।
ଆଇସିଏମଆର ନିର୍ଦେଶକ ଜେନେରାଲ୍ ଭାର୍ଗବ ଶୁକ୍ରବାର କହିଛନ୍ତି, ପ୍ରସୂତୀମାନଙ୍କୁ କରୋନା ଟିକା ଦିଆଯିବା ଦରକାର କାରଣ ଏହା ସେମାନଙ୍କ ପାଇଁ ଲାଭଦାୟକ। ସେ ଆହୁରି ମଧ୍ୟ କହିଛନ୍ତି, ଗର୍ଭବତୀ ମହିଳାମାନଙ୍କୁ ଟିକା ଦିଆଯାଉ ବୋଲି ମଧ୍ୟ ସ୍ବାସ୍ଥ୍ୟ ବିଭାଗ ନିଜ ଗାଇଡ୍ଲାଇନ୍ରେ ଦର୍ଶାଇଛି। ଭ୍ୟାକସିନ୍ ଗର୍ଭବତୀମାନଙ୍କ ପାଇଁ ଲାଭଦାୟକ। ଭାରତରେ ଚାଲିଥିବା ଟିକାକରଣ ଉପରେ ସେ କହିଛନ୍ତ, କେବଳ ଗୋଟିଏ ଦେଶରେ ପିଲାମନାଙ୍କୁ ଟିକା ଦିଆଯାଉଛି। ଏବେ ୨-୧୮ ବର୍ଷର ପିଲାମାନଙ୍କ ଉପରେ ଏକ ଗବେଷଣା ହୋଇଛି। ଏହି ଗବେଷଣା ଫଳାଫଳ ସେପ୍ଟେମ୍ବର ସୁଦ୍ଧା ମିଳିପାରିବ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି।
ଶିଶୁଙ୍କୁ ଟିକାକରଣ କରାଯିବ କି ନାହିଁ ଏହା ଏବେ ଏକ ପ୍ରଶ୍ନ ହୋଇ ରହିଛି। ପିଲାମନାଙ୍କୁ ଟିକାକରଣକୁ ନେଇ ଆହୁରି ଅଧିକ ଡାଟା ନଆସିବା ଯାଏ ବ୍ୟାପକ ଭାବେ ପିଲାମନାଙ୍କୁ ଟିକା ଲଗାଇ ହେବ ନାହିଁ ବୋଲି ମଧ୍ୟ ଆଇସିଏମଆର ଚିକିତ୍ସକ କହିଛନ୍ତି। ଆଇସିଏମଆର ନିର୍ଦେଶକ ଜେନେରାଲ୍ ବଳରାମ ଭାର୍ଗବ କହିଛନ୍ତି, ଗର୍ଭବତୀ ମହିଳାଙ୍କୁ ଟିକାକରଣ ନେଇ ଭାରତ ସରକାର ଖୁବଶୀଘ୍ର ଗାଇଡଲାଇନ୍ ଜାରି କରିବେ । କରୋନାର ଦ୍ବିତୀୟ ଲହରରେ ବହୁ ଗର୍ଭବତୀ ମହିଳା ପ୍ରଭାବିତ ହୋଇଥିବା ଗବେଷଣାରୁ ଜଣାପଡ଼ିଛି। ସେମାନଙ୍କ ସଂକ୍ରମିତ ଏବଂ ମୃତ୍ୟୁ ହାରରେ ବୃଦ୍ଧି ଘଟିଥିବା ମଧ୍ୟ ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି।