ନୂଆଦିଲ୍ଲୀ ୨୧।୦୪: କରୋନା ମହାମାରୀ ବିରୋଧୀ ଲଢେଇରେ ଚୀନରୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍ ଭାରତକୁ ଝଟକା ଦେଇଛି। ନମୂନା ପରୀକ୍ଷାରେ ଫଳାଫଳ ଭିନ୍ନ ଭିନ୍ନ ରହୁଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଟେଷ୍ଟ କିଟ୍କୁ ନୂତନ ଭାବେ ପରଖିବା ପର୍ଯ୍ୟନ୍ତ ଆଗାମୀ ଦୁଇ ଦିନ ଏହାକୁ ବ୍ୟବହାର ନକରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଭାରତ ନିକଟରେ ଚୀନରୁ ପ୍ରାୟ ୯.୫ ଲକ୍ଷ ଟେଷ୍ଟ କିଟ୍ କିଣିବାକୁ ବରାଦ୍ ଦେଇଥିଲା। ଏଥିରୁ ୫ ଲକ୍ଷ ଟେଷ୍ଟ କିଟ୍ କିଣା ଯାଇଥିଲା।
ରାପିଡ୍ ଟେଷ୍ଟ କିଟ୍ ଖରାପ ଥିବା ଅଭିଯୋଗ ପ୍ରଥମେ ରାଜସ୍ଥାନରୁ ମିଳିଥିଲା। ଏହା ପରେ ରାଜସ୍ଥାନ ସରକାର ଏହାର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଭିଯୋଗ ଉଲ୍ଲେଖ କରି ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ଡଃ. ରମନ ଗଙ୍ଗାଖେଡକର କହିଛନ୍ତି ଗୋଟିଏ ରାଜ୍ୟରୁ ମିଳିଥିବା ଅଭିଯୋଗ ପରେ ଆଉ ତିନୋଟି ରାଜ୍ୟରେ ଟେଷ୍ଟ କିଟ୍ର ଯାଞ୍ଚ କରାଗଲା। ଏହା ପରେ ଜଣା ପଡିଲା ଯେ, ରାପିଡ୍ କିଟ୍ ଓ ଆରଟି-ପିସିଆର ଟେଷ୍ଟ ପରିଣାମରେ ୬ ରୁ ୭୧ ପ୍ରତିଶତ ପର୍ଯ୍ୟନ୍ତ ଫରକ ରହୁଛି। ରିପୋର୍ଟ ଭିନ୍ନ ଭିନ୍ନ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ରାପିଡ୍ ଟେଷ୍ଟ କିଟ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।
{"id":258037,"sizeSlug":"large"}ଏହା ମଧ୍ୟରେ ଆଇସିଏମଆର ନିଜର ଆଠ ପ୍ରୟୋଗଶାଳାର ଫିଲ୍ଡ ଟିମ୍ ଜରିଆରେ ଏହି ଟେଷ୍ଟ୍ କିଟ୍ର ପୁନଃ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଯାଇ ରାଜ୍ୟଗୁଡିକୁ ରାପିଡ୍ ଟେଷ୍ଟ କିଟ୍ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯିବ। ଗଙ୍ଗାଖେଡକର କହିଛନ୍ତି ଯଦି ଟେଷ୍ଟ କିଟ୍ରେ ଦୋଷ ତ୍ରୁଟି ବାହାରିଲା ତେବେ କମ୍ପାନୀକୁ ଫେରାଇ ଦିଆଯିବ।
ମହତ୍ଵପୂର୍ଣ୍ଣ ଏହା ଯେ, ଭାରତ ନିଜର ଦୂତାବାସ ଜରିଆରେ ଚୀନର ଗୁଆଙ୍ଗଝୁରୁ ଅଢେଇ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ କିଣିଛି, ଯାହା ଏପ୍ରିଲ ୧୬ରେ ଭାରତରେ ପହଞ୍ଚିଥିଲା। ଏହି ପରି ଏପ୍ରିଲ ୧୯ରେ ଗୁଆଙ୍ଗଝୁରୁ ୩ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ଏୟାର ଇଣ୍ଡିଆର ସ୍ଵତନ୍ତ୍ର ବିମାନରେ ରାଜସ୍ଥାନ ଓ ତାମିଲନାଡୁ ପହଞ୍ଚିଥିଲା।
ଚୀନରୁ ରାପିଡ୍ ଟେଷ୍ଟ କିଟ୍ ଆଣିବା ନେଇ ହୋଇଥିବା ରାଜିନାମା ଉପରେ ପୂର୍ବରୁ ପ୍ରଶ୍ନ ଉଠିଛି। କାରଣ ଗୋଟିଏ ପଟେ ରାପିଡ୍ ଟେଷ୍ଟ କିଟ୍ ଭାରତକୁ ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ମିଳିଥିବା ବେଳେ ଭାରତ ପାଇଁ ପ୍ରସ୍ତୁତ କିଟ୍ ଆମେରିକା ପହଞ୍ଚିବା ନେଇ ମଧ୍ୟ ଚୀନ କମ୍ପାନୀ ଉପରେ ପ୍ରଶ୍ନ ଉଠିଛି। ଏହା ସତ୍ୟ ଯେ, ଭାରତ ଏହି ସବୁ ଟେଷ୍ଟ କିଟ୍ର କ୍ରୟ ଲାଗି ମୋଟା ଅର୍ଥ ରାଶି ବ୍ୟୟ କରିଛି।