ଆଇସିଏମଆର ମୁଖ୍ୟଙ୍କ ଚେତାବନୀ, ଭ୍ୟାକସିନ୍ ଆସିବା ପରେ ପିନ୍ଧିବାକୁ ହେବ ମାସ୍କ, ମାନିବାକୁ ହେବ କୋଭିଡ୍ ଗାଇଡଲାଇନ୍

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯/୧୧ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ବର୍ତ୍ତମାନ କରୋନା ଭ୍ୟାକସିନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। କରୋନା ଭ୍ୟାକସିନ ଆସିବା ପରେ ସବୁକିଛି ପୂର୍ବ ଭଳି ହୋଇଯିବ ବୋଲି ଅନୁମାନ କରାଯାଉଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ଭ୍ୟାକସିନ ଆସିବା ପରବର୍ତ୍ତୀ ସ୍ଥିତିକୁ ନେଇ ବଡ ଅପଡେଟ ଦେଇଛନ୍ତି। ଆଇସିଏମଆର କହିଛି ଯେ ଭ୍ୟାକସିନ ଆସିବା ପରେ ମଧ୍ୟ ବହୁ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ପଦକ୍ଷେପ ବଜାୟ ରଖିବାକୁ ହେବ। ଟୀକା ଉପଲବ୍ଧ ହେବାପରେ ମଧ୍ୟ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ହେବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଅନିବାର୍ଯ୍ୟ ହେବ।

ଆଇସିଏମଆର ପ୍ରମୁଖ ପ୍ରଫେସର ବଳରାମ ଭାର୍ଗବ ଶନିବାର ଦିନ ସ୍ଥିତ ଲକ୍ଷ୍ନୌ କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତରେ କରୋନା ଭ୍ୟାକସିନ୍ ତିଆରି କାମ ଜୋରସୋରରେ ଚାଲିଛି ଏବଂ ଖୁବ ଶୀଘ୍ର ଭ୍ୟାକସିନ୍ ଉପଲବ୍ଧ ହେବ। ପ୍ରଫେସର୍ ଭାର୍ଗବ କହିଛନ୍ତି ଯେ, ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୩୦ କୋଟି ଲୋକଙ୍କୁ ଭ୍ୟାକସିନ୍ ଦେବା ଲକ୍ଷ୍ୟ ରଖିଛନ୍ତି। ଏହାପରେ ଆଗକୁ ପ୍ରସ୍ତୁତି କରାଯିବ। ସେ କହିଛନ୍ତି ଯେ, କେବଳ ନିଜ ପାଇଁ ନୁହେଁ ବରଂ ବିକାଶଶୀଳ ଦେଶମାନଙ୍କର ୬୦ ପ୍ରତିଶତ ଲୋକଙ୍କ ପାଇଁ ମଧ୍ୟ ଭ୍ୟାକସିନ ପ୍ରସ୍ତୁତ କରୁଛି। ଭାର୍ଗବ କହିଛନ୍ତି ଦେଶର ୨୪ କମ୍ପାନୀ ଓ ୧୯ଟି ଫାର୍ମ କରୋନା ଭ୍ୟାକସିନ ତିଆରି କରିବାରେ ଲାଗିଛି। ପ୍ରଫେସର ଭାର୍ଗବ କହିଛନ୍ତି ଯେ ମାସ୍କ ଭ୍ୟାକସିନ ଭଳି ହିଁ କାମ କରିଥାଏ। ଏଥିପାଇଁ ଭ୍ୟାକସିନ ବିକଶିତ ହେବାପରେ ମଧ୍ୟ ମାସ୍କ ବ୍ୟବହାର କରିବା ଆବଶ୍ୟକ। ସେ କହିଛନ୍ତି ଯେ ମାସ୍କ ସେମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯେଉଁମାନେ କରୋନାକୁ ପରାଜିତ ହୋଇ ସୁସ୍ଥ ହୋଇଛନ୍ତି। 

ପ୍ରଫେସର ଭାର୍ଗବ କହିଛନ୍ତି ଯେ ମାସ୍କ ଟୀକା ଭଳି କାମ କରିଥାଏ। ଭାରତରେ ୫ଟି ଔଷଧ କମ୍ପାନୀ କରୋନା ଭ୍ୟାକସିନ ତିଆରି କରିବାରେ କାମ କରୁଛି ଯେଉଁଥିରୁ ଦୁଇଟି ଭାରତ ଦ୍ୱାରା ବିକଶିତ ଭ୍ୟାକସିନ ତିଆରି କରୁଛି ଏବଂ ୩ଟି ବିଦେଶୀ ସହଯୋଗରୁ ଭ୍ୟାକସିନ ତିଆରି କରୁଛି। କିନ୍ତୁ ଭ୍ୟାକସିନ୍ କରୋନାକୁ ସମାପ୍ତ କରିବାକୁ ପର୍ଯ୍ୟାପ୍ତ ନୁହେଁ। ଆମକୁ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିବାକୁ ହେବ ବୋଲି କହିଛନ୍ତି ପ୍ରଫେସର ଭାର୍ଗବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.