Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇସିଜେରେ ଭାରତର ବଡ ବିଜୟ: କୁଲଭୂଷଣଙ୍କ ଫାଶୀ ଉପରେ ଲାଗିଲା ରୋକ, ଭିଏନା ଚୁକ୍ତି ଉଲଂଘନ କରିଛି ପାକିସ୍ତାନ ବୋଲି କହିଲେ କୋର୍ଟ

17/07/2019 at 6:50 PM

ହେଗ ୧୭।୭:   ଭାରତୀୟ ନାଗରିକ କୂଲଭୂଷଣ ଯାଦବ ସମ୍ପର୍କିତ ମାମଲାରେ ନେଦରଲ୍ୟାଣ୍ଡର ହେଗ ସ୍ଥିତି ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ବୁଧବାର ରାୟ ଘୋଷଣା କରିଛନ୍ତି। କୋର୍ଟଙ୍କ ରାୟ ଭାରତ ସପକ୍ଷରେ ଯାଇଥିବା ବେଳେ ପାକ୍ କାରଗାରରେ ବନ୍ଦୀ ଥିବା କୁଲଭୂଷଣଙ୍କ ମୃତ୍ୟୁଦଣ୍ଡାଦେଶ ଉପରେ ରୋକ ଲାଗିଛି।  କୋର୍ଟଙ୍କ ରାୟକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ତେବେ ଏ ପ୍ରସଙ୍ଗରେ କୋର୍ଟ ପାକ୍ ର ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ସହିତ କୁଲଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶର ସାନି ତର୍ଜମା ପାଇଁ ପାକ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ହେଗସ୍ଥିତ ପିସ୍ ପାଲେସରେ ବୁଧବାର ମାମଲାର ରାୟ ସାର୍ବଜନିକ ଘୋଷଣା କରାଯାଇଥିଲା। କୋର୍ଟଙ୍କ ନ୍ୟାୟାଧୀଶ ଅବଦୁଲକାବି ଅହମ୍ମଦ ୟୁସୁଫ ରାୟ ପଢି ଶୁଣାଇଥିଲେ। ଯେଉଁଥିରେ କୋର୍ଟଙ୍କ ୧୬ ନ୍ୟାୟାଧୀଶଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଥିଲେ । ପାକିସ୍ତାନକୁ  ଭିଏନା ଚୁକ୍ତି ଉଲ୍ଲଂଘନ କରିଛି ବୋଲି କୋର୍ଟ ଟିପ୍ପଣୀ ଦେଇଥିଲେ । ତେବେ ଯାଦବଙ୍କ ମୁକ୍ତି ଲାଗି ଭାରତର ଆବେଦନକୁ କୋର୍ଟ ଖାରଜ କରିଦେଇଥିବା ବେଳେ ତାଙ୍କୁ ଭେଟିବାକୁ ଭାରତୀୟ କନସୁଲେଟଙ୍କୁ ଅନୁମତି ଦେବା ନିମନ୍ତେ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ପାକିସ୍ତାନ କୋର୍ଟଙ୍କ ରାୟ ଉପରେ ଆଇସିଜେଙ୍କ କ୍ଷେତ୍ରାଧିକାରକୁ ନେଇ ପାକ୍ ଉଠାଇଥିବା ପ୍ରଶ୍ନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ପାକିସ୍ତାନର ଏକ ସେନା କୋର୍ଟ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇବା ପରେ ଭାରତ ଆଇସିଜେଙ୍କ ଦ୍ବାରସ୍ଥ ହୋଇଥିଲା। ଯାଦବଙ୍କ ମୁକ୍ତି ଲାଗି ଭାରତ ବାଣିଜ୍ୟ ଦୂତାବାସ ଜରିଆରେ ବାରମ୍ବାର ଅପିଲ କରିବା ସତ୍ତ୍ୱେ ପାକିସ୍ତାନ ତାହା ଖାରଜ କରିଦେଉଥିଲା। ଏଣୁ ୮ ମେ ୨୦୧୭ରେ ପାକିସ୍ତାନ ବିରୋଧରେ  ଭିଏନା ରାଜିନାମା ଉଲ୍ଲଂଘନ ଅଭିଯୋଗ ନେଇ ଭାରତ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା।

କୁଲଭୂଷଣ ପ୍ରସଂଗର କେତୋଟି ଗୁରୁତ୍ବପୂର୍ଣ୍ମ ମୋଡ ଉପରେ ପକାନ୍ତୁ ନଜର

୩ ମାର୍ଚ୍ଚ ୨୦୧୬– କୁଳଭୁଷଣ ଯାଦବ ଗିରଫ

୨୪ ମାର୍ଚ୍ଚ ୨୦୧୬– କୁଳଭୁଷଣ ଭାରତୀୟ ଗୁପ୍ତଚର ବୋଲି ପାକ୍ ସେନାର ଦାବି। ଗୁପ୍ତଚର ଅଭିଯୋଗରେ ବାଲୁଚିସ୍ତାନରୁ  ଗିରଫ।

୨୫ ମାର୍ଚ୍ଚ ୨୦୧୬-କୁଳଭୁଷଣଙ୍କ ଗିରଫଦାରି ଭାରତୀୟ ରାଷ୍ଟ୍ରଦୂତଙ୍କୁ  ଅବଗତ କରାଇଲା ପାକ୍।ପାକିସ୍ତାନର ଅଭିଯୋଗକୁ ଭାରତର ଖଣ୍ଡନ ।

୨୬ ମାର୍ଚ୍ଚ ୨୦୧୬-ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୁଷଣଙ୍କୁ ବାଲୁଚିସ୍ତାନରୁ ଗିରଫ ନେଇ ପାକିସ୍ତାନର ପାଖରେ କୌଣସି ପ୍ରମାଣ ନାହିଁ ବୋଲି ଭାରତର ଅଭିଯୋଗ।

୨୯ମାର୍ଚ୍ଚ ୨୦୧୬-କୁଳଭୁଷଣଙ୍କୁ ଭେଟିବା ପାଇଁ ଭାରତ ପକ୍ଷରୁ ପ୍ରଥମ କନସୁଲାର  ଆକ୍ସେସ ପାଇଁ ଦାବି।ଗୋଟିଏ ବର୍ଷରେ ଏଭଳି ୧୬ଟି କନସୁଲାର ଆକ୍ସେସ ପାଇଁ ଭାରତର ଅନୁରୋଧକୁ ପାକିସ୍ତାନର ପ୍ରତ୍ୟାଖ୍ୟାନ।

୧୦ ଏପ୍ରିଲ ୨୦୧୭– ଆତଙ୍କବାଦୀ କାର୍ଯ୍ୟକଳାପ ଓ ଗୁପ୍ତଚର ଅଭିଯୋଗର ପାକ୍ ସାମରିକ ଅଦାଲତରେ କୁଳଭୁଷଣଙ୍କୁ ମୃତ୍ୟୁଦଣ୍ଡ ଆଦେଶ। ଇସଲାମବାଦକୁ ଭାରତର ଚେତାବନୀ।

୧୧ଏପ୍ରିଲ ୨୦୧୭-ସଂସଦରେ ତତ୍କାଳୀନ ବୈଦଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିବୃତି। କୁଳଭୁଷଣଙ୍କୁ ନ୍ୟାୟ ଦେବାପାଇଁ ଭାରତ ସରକାର ସବୁ ପ୍ରକାର ଉଦ୍ୟମ କରିବେ।

୧୪ ଏପ୍ରିଲ ୨୦୧୭– କୁଳଭଷଣ ମାମଲାରେ ପାକିସ୍ତାନକୁ ଚାର୍ଜିସିଟ ଏବଂ ସାମରିକ ଅଦାଲତରେ ଦିଆଯାଇଥିବା ଫାଶୀ ଦଣ୍ଡାଦେଶର ନଥିପତ୍ର ଦେବାକୁ ଭାରତ ସରକାରଙ୍କ ଦାବି।କନସୁଲାର ଆକ୍ସେସ ପାଇଁ ଭାରତ ସରକାରଙ୍କ ପୁଣି ଅନୁରୋଧ।

୮ମଇ ୨୦୧୭– ପାକ୍ ସାମରିକ ଅଦାଲତର ଫଇସଲା ବିରୋଧରେ ଆଇସିଜେରେ ଭାରତର ଆବେଦନ।

୯ମଇ ୨୦୧୭– କୁଳଭୁଷଣ ଯାଦବଙ୍କ ଫାଶୀ ଉପରେ ରୋକ ଲଗାଇଲେ ଆଇସିଜେ।

୨୨ ଜୁନ ୨୦୧୭– ପାକ୍ ସେନା ମୁଖ୍ୟଙ୍କୁ କୁଳଭୁଷଣଙ୍କ  କୃପା ଭିକ୍ଷା ।

୨୫ ଡିସେମ୍ବର ୨୦୧୭- ମା  ଓ ପତ୍ନୀଙ୍କୁ ଭେଟିଲେ କୁଳଭୁଷଣ।

୩ ଅକ୍ଟୋବର ୨୦୧୮- କୁଳଭୁଷଣ ମାମଲାରେ ୧୮ ଫେବୃଆରୀରୁ ୪ ପର୍ଯ୍ୟନ୍ତ ଶୁଣାଣି ନେଇ ଆଇସିଜେର ଘୋଷଣା।

୪ଜୁଲାଇ ୨୦୧୯- ୧୭ ଜୁଲାଇରେ କୁଲଭୁଷଣ ମାମଲାରେ ଫଇସଲା ନେଇ ଆଇସିଜେର ଘୋଷଣା

   Related Posts