ଆଇସକ୍ରିମ୍‌ରେ ବ୍ୟାପୁଛି କରୋନା ! ସାମ୍ପଲ୍‌ରେ ମିଳିଲା କୋଭିଡ୍-୧୯ ଭାଇରସ୍

Published By : Prameya-News7 Bureau | January 16, 2021 IST

ବେଜିଂ ୧୬।୧: କରୋନା ଭାଇରସ୍ କୁ ନେଇ ପ୍ରତି ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ମନୁଷ୍ୟ ଶରୀରରେ ବ୍ୟାପୁଥିଲା ମାତ୍ର ଏବେ ଖାଦ୍ୟ ପଦାର୍ଥରେ ମଧ୍ୟ କୋଭିଡ୍ ୧୯ ଭାଇରସ୍ ଦେଖିବାକୁ ମିଳୁଛି । ଚୀନ୍ ରେ ଏଭଳି ଦେଖିବାକୁ ମିଳିଛି । ଯେଉଁଠାରେ ଆଇସକ୍ରିମ୍ ଦ୍ବାରା କରୋନା ଭାଇରସ୍ ସଂକ୍ରମିତ ହେବାର ଦେଖାଯାଇଛି । ଏଭଳି ଜଣାପଡିବା ପରେ ଚୀନରେ ଆତଙ୍କ ଖେଳିଯାଇଛି । ଚୀନ୍ ର ଅଧିକାରୀ ସଂକ୍ରମଣ ଆଶଙ୍କାରେ ଯାଞ୍ଚ କରିବାରେ ଲାଗିଛନ୍ତି ।

ଚୀନ୍ ର ଉତ୍ତର-ପୂର୍ବ ଅଞ୍ଚଳରେ ଟିୟାନଜିନ ନଗରପାଳିକାରେ ଏଭଳି ଘଟଣା ଘଟିଛି । ସ୍ଥାନୀୟ ଏକ ଦୋକାନରେ ପ୍ରସ୍ତୁତ ଆଇସକ୍ରିମ୍ ର ୩ଟି ସାମ୍ପଲ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଟିୟାନଜିନ୍ ଡକିୟାଡୋ ଫୁଡ୍ କମ୍ପାନୀ ତରଫରୁ ୪୮୩୬ ଆଇସକ୍ରିମ୍ ଡବା କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ଯାହା ମଧ୍ୟରୁ ୨୦୮୯ ଡବାକୁ ଏବେ ଷ୍ଟୋରେଜରେ ସିଲ୍ କରିଦିଆଯାଇଛି । ଚୀନ୍ ମିଡିଆ ଅନୁସାରେ ସଂକ୍ରମିତ ଡବାଗୁଡିକ ମଧ୍ୟରୁ ୧୮୧୨ ଡବାକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟ ୯୩୫ ଡବାକୁ ସ୍ଥାନୀୟ ବଜାରରେ ଛଡାଯାଇସାରିଛି । ଯାହା ମଧ୍ୟରୁ ୬୫ ଡବା ବିକ୍ରି ହୋଇସାରିଛି ।

୧୬୬୨ କର୍ମଚାରୀଙ୍କୁ ନିଜେ ନିଜେ ଆଇସୋଲେଟ୍ ଏବଂ ଟେଷ୍ଟିଂ ନିର୍ଦ୍ଦେଶ ଦିଆଯାଇଛି । ୟୁନିଭରସିଟି ଅଫ୍ ଲିଡସର ଭାଇରୋଲୋଜିଷ୍ଟ ଡକ୍ଟର ଷ୍ଟିଫନ ଗ୍ରିଫିନ କହିଛନ୍ତି ଯେ, ଆଇସକ୍ରିମ୍ ଡବାରେ କରୋନା ମନୁଷ୍ୟ ଯୋଗୁଁ ହିଁ ହୋଇଛି । ସେ ଆହୁରି କହିଛନ୍ତି ଯେ ଉତ୍ପାଦନ ପ୍ଲାଣ୍ଟରେ କରୋନା ଭାଇରସ୍ ବ୍ୟାପିଥାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.