ଆଇସିସି ଟି-୨୦ ବିଶ୍ବକପ୍ ୨୦୨୦ ପାଇଁ ପ୍ରକାଶ ପାଇଲା କ୍ରୀଡାସୂଚୀ ; ଲିଗ୍‌ରେ ଭେଟିବେନି ଭାରତ-ପାକିସ୍ତାନ

Published By : Prameya-News7 Bureau | January 30, 2019 IST

ମେଲବୋର୍ଣ୍ଣ ୩୦|୧:  ୨୦୨୦ରେ ଆୟୋଜିତ ହେବାକୁ ଯାଉଥିବା ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ୍‌ର କ୍ରୀଡ଼ାସୂଚୀ ଘୋଷଣା ହୋଇଛି । ଏଥର ଅଷ୍ଟ୍ରେଲିଆ ଉଭୟ ମହିଳା ଓ ପୁରୁଷ ଟି-ଟ୍ବେଣ୍ଟି ବିଶ୍ବକପ୍‌ ଆୟୋଜନ କରିବ । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଉଭୟ ପୁରୁଷ ଓ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍‌ ଆୟୋଜିତ ହେବାକୁ ଯାଉଛି । ଫେବ୍ରୁଆରୀ ୨୧ରୁ ମହିଳା ବିଶ୍ବକପ୍‌ ଆରମ୍ଭ ହୋଇ ମାର୍ଚ୍ଚ ମାସ ୮ ତାରିଖରେ ଶେଷ ହେବ । ସେହିପରି ପୁରୁଷ ବିଶ୍ବକପ୍‌ ଅକ୍ଟୋବର ମାସ ୧୮ ତାରିଖରୁ ପୁରୁଷ ବିଶ୍ବକପ୍‌ ଆରମ୍ଭ ହୋଇ ନଭେମ୍ବର ମାସ ୧୫ତାରିଖରେ ଫାଇନାଲ୍‌ ଖେଳାଯିବ । ଏଥର ବିଶ୍ବକପ୍‌ରେ ଦୁଇ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଲିଗ୍‌ ରାଉଣ୍ଡ୍‌ରେ ଭେଟିବେ ନାହିଁ । ଉଭୟ ଭିନ୍ନ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ।

ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରୁ ପୁରୁଷ ଟି-ଟ୍ବେଣ୍ଟି ବିଶ୍ବକପ୍‌ ଆରମ୍ଭ ହେବ । ପ୍ରଥମେ ୮ଟି ଦଳକୁ ନେଇ ଯୋଗ୍ୟତା ରାଉଣ୍ଡ ଖେଳାଯିବ । ଅକ୍ଟୋବର ମାସ ୧୮ ତାରିଖରୁ ଯୋଗ୍ୟତା ରାଉଣ୍ଡ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବ । ଏଥିରୁ ୪ଟି ଶ୍ରେଷ୍ଠ ଦଳ ମୁଖ୍ୟ ଗ୍ରୁପ୍‌ (ସୁପର-୧୨)କୁ ଯୋଗ୍ୟତା ଅର୍ଜନ କରିବେ । ୨୪ତାରିଖରୁ ମୁଖ୍ୟ ଗ୍ରୁପ୍‌ର ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହେବ ।

ମାନ୍ୟତା ତାଲିକା ଆଧାରରେ ଶ୍ରେଷ୍ଠ ୮ଟି ମାନ୍ୟତା ପ୍ରାପ୍ତ ଦଳ ପୂର୍ବରୁ ମୁଖ୍ୟ ଡ୍ର’କୁ ସିଧା ସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପରେ ଅନ୍ୟ ୪ ଦଳ ଏମାନଙ୍କ ସହ ସୁପର-୧୨ ରାଉଣ୍ଡରେ ଯୋଗ ଦେବେ । ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌ ଓ ନ୍ୟୁଜିଲାଣ୍ଡ ସ୍ଥାନ ପାଇଛନ୍ତି । ସେହିପରି ଗ୍ରୁପ୍‌-୨ରେ ରହିଛନ୍ତି ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ।

ଲିଗ୍‌ ରାଉଣ୍ଡ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇ ନାହାନ୍ତି । ଫଳରେ ଉଭୟ ଦେଶ ଏଥର ଲିଗ୍‌ ରାଉଣ୍ଡରେ ପରସ୍ପରକୁ ଭେଟୁ ନାହାନ୍ତି । ୨୦୧୧ ଦିନିକିଆ ବିଶ୍ବକପ୍‌ ଠାରୁ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡ଼ିକର ଲିଗ୍‌ ରାଉଣ୍ଡ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇ ଆସିଛି । ଚଳିତ ବର୍ଷ ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ରେ ମଧ୍ୟ ଉଭୟ ଦଳ ଲିଗ୍‌ ରାଉଣ୍ଡ୍‌ରେ ପରସ୍ପରକୁ ଭେଟିବେ । ଟି-ଟ୍ବେଣ୍ଟି ମାନ୍ୟତା ଯୋଗୁଁ ଉଭୟ ଦଳ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇପାରି ନାହାନ୍ତି । ତେଣୁ ଲିଗ୍‌ ରାଉଣ୍ଡରେ ଉଭୟ ଦଳ ପରସ୍ପରକୁ ଭେଟୁ ନାହାନ୍ତି । ପାକିସ୍ତାନ ଟି-ଟ୍ବେଣ୍ଟି ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଥିବାବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଫଳରେ ଉଭୟ ଭିନ୍ନ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ।

ଟି-ଟ୍ବେଣ୍ଟି ମାନ୍ୟତା ତାଲିକାର ନବମ ଓ ଦଶମ ସ୍ଥାନରେ ରହିଥିବା ଶ୍ରୀଲଙ୍କା ଓ ବାଂଲାଦେଶ ସିଧାସଳଖ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ଉଭୟ ଦଳ   ଅନ୍ୟ ୬ଟି ଦଳ ସହ ଯୋଗ୍ୟତା ରାଉଣ୍ଡ ଖେଳିବେ ।

ସୁପର-୧୨ ରାଉଣ୍ଡ୍‌ ଅକ୍ଟୋବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଉଦ୍‌ଘାଟନୀ ଦିବସରେ ୨ଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ । ପର୍ଥରେ ଏହି ମ୍ୟାଚ୍‌ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜ୍‌ ୨୫ତାରିଖରେ ଅଭିଯାନ ଆରମ୍ଭ କରିବ । ଇଣ୍ଡିଜ୍‌ ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ ।

ସିଡନୀ ଓ ଆଡିଲେଡ୍‌ ଉଭୟ ସେମିଫାଇନାଲ୍‌ ଆୟୋଜନ କରିବ । ନଭେମ୍ବର ୧୧ ଓ ୧୨ ତାରିଖରେ ଏହି ମ୍ୟାଚ ଦ୍ବୟ ଆୟୋଜିତ ହେବ । ୧୫ ତାରିଖରେ ମେଲବୋର୍ଣ୍ଣ ଗ୍ରାଉଣ୍ଡ ଫାଇନାଲ୍‌ ଆୟୋଜନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.