ICC Test Rankings: ଅଲରାଉଣ୍ଡର ରାଙ୍କିଙ୍ଗରେ ଦ୍ଵିତୀୟରେ ପହଞ୍ଚିଲେ ଅଶ୍ଵିନ, ୩୧ ସ୍ଥାନ ଉପରକୁ ଉଠିଲେ ମୟଙ୍କ ଅଗ୍ରଓ୍ଵାଲ

Published By : Prameya-News7 Bureau | December 08, 2021 IST

ନୂଆଦିଲ୍ଲୀ ୦୮।୧୨: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପକ୍ଷରୁ ବୁଧବାର ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତା ଜାରି କରାଯାଇଛି। ଏଥିରେ ଭାରତୀୟ ଦଳର ଓପନିଂ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରଓ୍ଵାଲ ଲମ୍ବା ଡିଆଁ ମାରି ଶୀର୍ଷ ୧୫ରେ ପ୍ରବେଶ କରିଛନ୍ତି। ଏଥିସହ ଅଲରାଉଣ୍ଡ ତାଲିକାରେ ରବିଚନ୍ଦ୍ରନ ଅଶ୍ଵିନ ଦ୍ଵିତୀୟକୁ ଉଠିଛନ୍ତି।

 ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ୍‌ରେ ମୟଙ୍କ ୧୫୦ ଏବଂ ୬୨ ରନର ଇନିଂସ ଖେଳିଥିଲେ। ଏହାରି ଫାଇଦା ଏବେ ତାଙ୍କୁ ମାନ୍ୟତାରେ ମିଳିଛି। ସେ ୩୧ଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଅଲରାଉଣ୍ଡର ତାଲିକାରେ ଅଶ୍ଵିନ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ଵିତୀୟରେ ପହଞ୍ଚିଥିବା ବେଳେ ସାଥୀ ଖେଳାଳି ରବିନ୍ଦ୍ର ଜାଡେଜା ଚତୁର୍ଥକୁ ଖସି ଆସିଛନ୍ତି। ଓ୍ଵେଷ୍ଟଇଣ୍ଡିଜର ଜାସଲ ହୋଲଡର ଶୀର୍ଷରେ ରହିଛନ୍ତି।

ଟପ୍-୧୦ରେ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି ମଧ୍ୟ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିନଥିଲେ ମଧ୍ୟ ରୋହିତ ଶର୍ମା ପଞ୍ଚମ ସ୍ଥାନରେ  ରହିଛନ୍ତି। ଦ୍ଵିତୀୟ ଟେଷ୍ଟରେ ୦ ଏବଂ ୩୬ ରନ କରିଥିବା ବିରାଟ କୋହଲି ଷଷ୍ଠ ସ୍ଥାନରେ ରହିଛନ୍ତି। ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଉପ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଦ୍ଵିତୀୟରେ ଅଛନ୍ତି।  ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିନଥିବା କେନ ଓ୍ଵିଲିୟମସନ ତୃତୀୟରେ ଥିବା ବେଳେ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ଚତୁର୍ଥରେ ଅଛନ୍ତି।

ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ ସପ୍ତମରେ, ପାକିସ୍ତାନ ଅଧିନାୟକ ବାବର ଆଜମ ଅଷ୍ଟମରେ, ଅଷ୍ଟ୍ରେଲିଆ ଡେଭିଡ୍ ଓ୍ଵାର୍ଣ୍ଣର ନବମରେ ଏବଂ ଦକ୍ଷିଣ ଆଫ୍ରିକାର କ୍ଵିଣ୍ଟନ ଡିକକ୍‌ ଦଶମ ସ୍ଥାନରେ ରହିଛନ୍ତି। ଡିକକ୍ ଏହା ପୂର୍ବରୁ ୧୧ତମ ସ୍ଥାନରେ ଥିଲେ।

ଟେଷ୍ଟ ସିରିଜ୍‌ ଖେଳିନଥିବା ଋଷଭ ପନ୍ତ ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ସେ ୧୩ମ ସ୍ଥାନରେ ରହିଛନ୍ତି। ଚେତେଶ୍ଵର ପୂଜାରା ମଧ୍ୟ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ହରାଇ ୧୭କୁ ଖସି ଆସିଛନ୍ତି। ଶୁଭମାନ ଗିଲ୍ ୨୨ଟି ସ୍ଥାନ ଉପରକୁ ଉ ଠି ୪୬ତମ ସ୍ଥାନରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.