ଆଇସିସି ଟି-୨୦ ବିଶ୍ଵ କପ୍‌: ବିଜେତା ଟିମ୍ ଉପରେ ହେବ ଧନ ବର୍ଷା, ପୁରସ୍କାର ରାଶି ଘୋଷଣା କଲା ଆଇସିସି

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦।୧୦: ଆଇସିସି ଟି-୨୦ ବିଶ୍ଵ କପ୍‌ ଆରମ୍ଭ ହେବାକୁ ଆଉ କେବଳ କିଛି ଦିନ ବାକି ରହିଛି। ୟୁଏଇ ଓ ଓମାନରେ ହେବାକୁ ଥିବା ଆଇସିସିର ଏହି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଦଳଗୁଡିକଙ୍କ ଆଗମନ ହୋଇଗଲାଣି। ଆଇସିସି ନିଜ ପକ୍ଷରୁ ପ୍ରସ୍ତୁତି ପୂରା କରି ସାରିଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ରବିବାର ଟି-୨୦ ବିଶ୍ଵ କପ୍‌ ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ପାଞ୍ଚ ବର୍ଷ ପରେ ଖେଳା ଯାଉଥିବା ଟି-୨୦ ବିଶ୍ଵ କପ୍‌ରେ ଏଥର ବିଜେତାଙ୍କ ଉପରେ ହେବ ଧନ ବର୍ଷା।

ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଚାମ୍ପିଅନ ଦଳକୁ ପ୍ରାୟ ୧୨ କୋଟି ଏବଂ ଉପ ବିଜେତା ଦଳକୁ ପ୍ରାୟ ୬ କୋଟି ଟଙ୍କା ମିଳିବ। ସେମି ଫାଇନାଲ୍‌ର ଦୁଇ ଦଳକୁ ୩-୩ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଏହା ବ୍ୟତୀତ ଆଇସିସି ସୁପର ୧୨ ପର୍ଯ୍ୟାୟରେ ପ୍ରତିଟି ମୁକାବିଲାର ବିଜେତା ଦଳକୁ ବୋନସ୍ ମଧ୍ୟ ମିଳିବ।

ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯିବ। ଫାଇନାଲ ମୁକାବିଲା ନଭେମ୍ବର ୧୪ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ବିଶ୍ଵ କପ୍‌ରେ ଭାରତ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମୁକାବିଲାରୁ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଭାରତୀୟ ଦଳ ଅକ୍ଟୋବର ୩୧ରେ ନ୍ୟୁଜିଲାଣ୍ଡ ଏବଂ ନଭେମ୍ବର ୩ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଏଥର ଟି-୨୦ ବିଶ୍ଵ କପ୍‌ରେ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିରେ ଗ୍ରୁପ-୨ରେ ଭାରତକୁ ସ୍ଥାନ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.