ଆଇସିସି ଜାରି କଲା ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ଦଳ, ଭାରତରୁ ଅଛନ୍ତି ଏହି ୪ ଖେଳାଳି
27/12/2020 at 3:40 PM

ନୂଆଦିଲ୍ଲୀ ୨୭।୧୨: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦(ପୁରୁଷ ଓ ମହିଳା) ଟିମ୍ ଘୋଷଣା କରିଛି। ମହିଳା ବର୍ଗରେ ଦଶନ୍ଧିର ଶ୍ରେଷ୍ଠ ୧୧ ଖେଳାଳିଙ୍କ ମଧ୍ୟରେ ଜଣେ ଭାରତୀୟ ଖେଳାଳି ସାମିଲ। ସେହି ପରି ପୁରୁଷ ବର୍ଗରେ ଶ୍ରେଷ୍ଠ ୧୧ ଖେଳାଳିଙ୍କ ମଧ୍ୟରେ ଭାରତର ୪ ଜଣଙ୍କ ନାମ ରହିଛି।
ପୁରୁଷ ଦଳରେ ପ୍ରଥମ ସ୍ଥାନରେ ଅଛନ୍ତି ରୋହିତ ଶର୍ମା ଏବଂ ଚତୁର୍ଥରେ ବିରାଟ କୋହଲି ଅଛନ୍ତି। ଏହା ପରେ ସପ୍ତମରେ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ନାମ ରହିଛି। ୧୦ମ ସ୍ଥାନର ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଅଛନ୍ତି। ମହିଳା ଦଳରେ ପଞ୍ଚମରେ ଭାରତର ହରମନପ୍ରୀତ କୌରଙ୍କ ନାମ ରହିଛି। ସବୁଠୁ ବଡ କଥା ଦଳରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅଧିନାୟକ ଦାୟିତ୍ଵ ମିଳିଛି।
ଟି-୨୦ ଦଳରେ ଓପନିଂ ଭାବେ ଆଇସିସି ରୋହିତ ଶର୍ମା ଓ କ୍ରିସ୍ ଗେଲଙ୍କୁ ଚୟନ କରିଛି। ମଧ୍ୟ କ୍ରମରେ ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ଚୟନ କରାଯାଇଛି। ଓ୍ଵିକେଟ୍ କିପିଂ ଦାୟିତ୍ଵ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ହାତରେ ରହିଛି। ଅଲରାଉଣ୍ଡର ଭାବେ କିରଣ ପୋଲାର୍ଡଙ୍କୁ ଦଳରେ ରଖାଯାଇଛି। ଏକ ମାତ୍ର ସ୍ପିନର ଭାବେ ରଶିଦ ଖାନ ଏବଂ ଦ୍ରୁତ ବୋଲର ପାଇଁ ଯଶପ୍ରୀତ ବୁମରା ଓ ଲସିଥ ମାଲିଙ୍ଗାଙ୍କୁ ଚୟନ କରାଯାଇଛି।
ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ଟିମ୍
ରୋହିତ ଶର୍ମା, କ୍ରିସ୍ ଗେଲ୍, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସଓ୍ଵେଲ, ଏମଏସ ଧୋନୀ, କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା।