ଆଇସିସି ରାଙ୍କିଙ୍ଗ: ଦିନିକିଆରେ ଟପ୍-୨ରେ ବିରାଟ କୋହଲି ଓ ରୋହିତ ଶର୍ମା, ବୋଲିଂ ମାନ୍ୟତାରେ ଶୀର୍ଷରେ ବୁମରା

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୦୮: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଜାରି ସଦ୍ୟତମ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରାଧ୍ୟାନ୍ୟ ବିସ୍ତାର ଜାରି ରହିଛି। ଉଭୟ ବ୍ୟାଟସମ୍ୟାନ ମାନ୍ୟତାରେ କ୍ରମଶଃ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ ଏକ ନମ୍ବରରେ ଥିବା ବେଳେ ବିରାଟ କୋହଲି ଦ୍ଵିତୀୟରେ ଅଛନ୍ତି। ମାନ୍ୟତାର ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଉଦୀୟମାନ ବ୍ୟାଟସମ୍ୟାନ ମାର୍ନସ ଲାବୁସେନ।

ଭାରତର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଲୋକେଶ ରାହୁଲ ଟି-୨୦ ମାନ୍ୟତାରେ ପାକିସ୍ତାନର ବାବର ଆଜମଙ୍କ ପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ସୀମିତ ଓଭରର ଅଧିନାୟକ ଫିଞ୍ଚ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଦିନିକିଆ ଅନ୍ତରାଷ୍ଟ୍ରୀୟ ବୋଲିଂ ମାନ୍ୟତାରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶୀର୍ଷରେ ରହିଛନ୍ତି। ସେହି ପରି ଟେଷ୍ଟ ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ ପ୍ରଥମ ସ୍ଥାନରେ ଅଛନ୍ତି। ଆଫଗାନିସ୍ତାନର ତାରକା ସ୍ପିନର ରାସିଦ ଖାନ ଟି ୨୦ ବୋଲିଂ ମାନ୍ୟତାରେ ଶୀର୍ଷରେ ଅଛନ୍ତି। ଦଳୀୟ ମାନ୍ୟତାରେ ଦିନିକିଆରେ ଭାରତ ଦ୍ଵିତୀୟ, ଟେଷ୍ଟ ଓ ଟି-୨୦ରେ ତୃତୀୟ ସ୍ଥାନରେ ରହିଛି।

ପାକିସ୍ତାନ ବିପକ୍ଷରେ ସାଉଥମ୍ପଟନରେ ଡ୍ର ହୋଇଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ୨୬୭ ରନ ଇନିଂସ ଖେଳିଥିବା ଇଂଲଣ୍ଡର ଜ୍ୟାକ କ୍ରାଉଲି ଓ ମ୍ୟାଚ୍‌ରେ ସାତୋଟି ଓ୍ଵିକେଟ୍ ନେଇଥିବା ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟ ମାନ୍ୟତାରେ ଲମ୍ବା ଲମ୍ଫ ମାରିଛନ୍ତି। କ୍ରାଉଲି ୫୩ ସ୍ଥାନ ଉପରକୁ ଉଠି କ୍ୟାରିରର ଶ୍ରେଷ୍ଠ ୨୮ ତମ ସ୍ଥାନରେ ପହଞ୍ଚିଛନ୍ତି। କ୍ରାଉଲି ଶୃଙ୍ଖଳାର ଆରମ୍ଭ ୯୫ତମ ରାଙ୍କିଙ୍ଗରୁ କରିଥିଲେ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଶୀର୍ଷ ୧୦ରୁ ବାଦ୍‌ ପଡିବା ପରେ ଏବେ ଛଅଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି ଜେମ୍ସ ଆଣ୍ଡରସନ। ସେ ପ୍ରଥମ ଦ୍ରୁତ ବୋଲର ହିସାବରେ ଟେଷ୍ଟରେ ୬୦୦ ଓ୍ଵିକେଟ୍ ନେବାର ରେକର୍ଡ କରିଛନ୍ତି। ତୃତୀୟ ଟେଷ୍ଟରେ ୧୫୨ ରନ କରିଥିବା ଜୋସ ବଟଲର ମଧ୍ୟ କ୍ୟାରିୟରର ସର୍ବଶ୍ରେଷ୍ଠ ୬୩୭ ରେଟିଂ ପଏଣ୍ଟ ସହିତ ୨୧ତମ ସ୍ଥାନରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.