ICC ଦିନିକିଆ ରାଙ୍କିଂରେ ପୁଣି ଟପ୍‌ରେ ବିରାଟ ; ଦ୍ୱିତୀୟରେ ରୋହିତ, ତୃତୀୟରେ ପାକିସ୍ତାନର ବାବର୍ ଆଜମ

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୪/୧୧: ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇ.ସି.ସି.)ର ସଦ୍ୟ ପ୍ରକାଶିତ ଦିନିକିଆ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ପାକିସ୍ତାନର ନିର୍ଭରଯୋଗ୍ୟ. ବ୍ୟାଟସମ୍ୟାନ ବାବର ଆଜାମ । ସେହିପରି ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଏହି ମାନ୍ୟତାର ଶୀର୍ଷରେ ଥିବାବେଳେ ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ୍ ତଥା ଓପନର ରୋହିତ ଶର୍ମା ୨ୟ ସ୍ଥାନରେ ଅଛନ୍ତି ।

ତେବେ ଜିମ୍ବାଓ୍ବେ ଗସ୍ତରେ ଚମତ୍କାର ଫର୍ମରେ ଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ଏହି କ୍ରମରେ ୩ୟ ସ୍ଥାନକୁ ଉଠିଛନ୍ତି । ଜିମ୍ବାଓ୍ବେରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଅଧିନାୟକ ବାବର ଆଜାମ ୨୨୧ ରନର ଚମତ୍କାର ଇନିଂସ ଖେଳିଥିଲେ । ଜିମ୍ବାଓ୍ବେ ବିପକ୍ଷ ୩ୟ ଦିନିକିଆରେ ବାବର ଆଜାମ ୧୨୫ ରନର ଇନିଂସ ଖେଳିଥିଲେ । ଅବଶ୍ୟ ପାକିସ୍ତାନ ସୁପର ଓଭରରେ ଜିମ୍ବାଓ୍ବେଠାରୁ ପରାସ୍ତ ହୋଇଥିଲା କିନ୍ତୁ ଦିନିକିଆ ମାନ୍ୟତାରେ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ ହେତୁ ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ବାବର ।

ଆଇ.ସି.ସି ଦିନିକିଆ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ୮୭୧ ପଏଣ୍ଟ ସହ ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି । ତାଙ୍କ ପଛକୁ ଓପନର ରୋହିତ ଶର୍ମା ୮୫୫ ପଏଣ୍ଟ ସହ ଦ୍ବିତୀୟ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜାମ ୮୩୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ଦିନିକିଆ ମାନ୍ୟତାର ଚତୁର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡର ରସ ଟେଲର (୮୧୮), ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସି(୭୯୦) ପଞ୍ଚମ, ନ୍ୟୁଜିଲାଣ୍ଡର କେନ୍ ଓ୍ବଲିୟମସନ୍ (୭୬୫) ସଷ୍ଠ, ଅଷ୍ଟେ୍ରଲିଆର ଆରୋନ୍ ଫିଞ୍ଚ୍ (୭୬୨) ସପ୍ତମ, ଡେଭିଡ୍ ଓ୍ବାର୍ଣ୍ଣର (୭୫୯) ଅଷ୍ଟମ, ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ୍ ଡି କକ୍ (୭୫୫) ନବମ ,ଇଂଲଣ୍ଡର ଜୋନି ବୗରେଷ୍ଟୋ (୭୫୪) ଦଶମ ସ୍ଥାନରେ ଅଛନ୍ତି ।

ଭାରତର ଅନ୍ୟତମ ଓପନର ଶିଖର ଧାଓ୍ବନ୍ ୭୦୦ ସହ ପଏଣ୍ଟ ତାଲିକାର ୧୫ ତମ ସ୍ଥାନରେ ଅଛନ୍ତି । ସେହିପରି ପାକିସ୍ତାନର ଉଦୀୟମାନ ଦ୍ରୁତ ବୋଲର ସାହିନ୍ ଆଫ୍ରିଦି ଚମତ୍କାର ବୋଲିଂ କରି ୮ଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ପହଞ୍ଚିଛନ୍ତି । ତାଲିକାର ଶୀର୍ଷରେ ଟ୍ରେଣ୍ଟ୍ ବୋଲ୍ଟ ଏବଂ ଭାରତୀୟ ତାରକା ଜଶପ୍ରୀତ୍ ବୁମ୍ରା ଦ୍ବିତୀୟ ସ୍ଥାନରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.