ଆଇସିସି ଲଞ୍ଚ୍ କଲା ଦିନିକିଆ ସୁପର ଲିଗ୍, କ୍ଵାଲିଫାଏ କଲେ ୨୦୨୩ ବିଶ୍ଵ କପ୍ରେ ମିଳିବ ଏଣ୍ଟ୍ରି
27/07/2020 at 6:30 PM

ନୂଆଦିଲ୍ଲୀ ୨୭।୦୭: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ସୋମବାର ୨୦୨୩ ବିଶ୍ଵକପ୍ ପାଇଁ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍ ଭାବେ ୧୩ ଦେଶକୁ ନେଇ ଏକ ନୂତନ ଦିନିକିଆ ଅନ୍ତର୍ଜାତୀୟ ସୁପର ଲିଗ୍ ଲଞ୍ଚ କରିଛି। ସାଉଥମ୍ପଟନ୍ର ଏଜେସ ବାଉଲ୍ ଷ୍ଟାଡିୟମରେ ଜୁଲାଇ ୩୦ରୁ ଇଂଲଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ଲିଗ୍ର ଆରମ୍ଭ ହେବ।
ଏହି ଲିଗ୍ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵ କପ୍ ୨୦୨୩ ପାଇଁ କେଉଁ ଦଳ ଯୋଗ୍ୟତା ଅର୍ଜନ କରିବ ତାହା ନିର୍ଦ୍ଧାରଣ କରିବ। ଆୟୋଜକ ଭାରତ ସହିତ ସୁପର ଲିଗ୍ରେ ଶୀର୍ଷ ୭ରେ ରହିବାକୁ ଥିବା ଦଳ ୨୦୨୩ ବିଶ୍ଵ କପ୍ ପାଇଁ ଯୋଗ୍ୟତା ଅର୍ଜନ କରି ନେବେ। ଆଇସିସିର ୧୨ ପୂର୍ଣ୍ଣ ସଦସ୍ୟ ଓ ନେଦରଲାଣ୍ଡ ଏହି ଲିଗ୍ରେ ସାମିଲ ହେବେ। ସମସ୍ତ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ୪ଟି ଶୃଙ୍ଖଳା ଘରେ ଓ ୪ଟି ବାହାରେ ଖେଳିବେ। ଏହାରି ଆଧାରରେ ଟିମ୍କୁ ୨୦୨୩ ବିଶ୍ଵ କପ୍ ପାଇଁ ଯୋଗ୍ୟତାଅର୍ଜନ କରିବାକୁ ସୁଯୋଗ ମିଳିବ।

ଆଇସିସିର ସଞ୍ଚାଳନ ମହାପ୍ରବନ୍ଧକ ଜ୍ୟୋଫ ଆଲର୍ଡିସ୍ କହିଛନ୍ତି ଏହି ଲିଗ୍ ଆଗାମୀ ତିନି ବର୍ଷରେ ଦିନିକିଆ କ୍ରିକେଟ୍କୁ ଆହୁରି ଆଦୃତ କରିବ ଏବଂ ପୂର୍ବାପେକ୍ଷା ଏହାର ଗୁରୁତ୍ଵ ଓ ପ୍ରାସଙ୍ଗିକତା ଆହୁରି ବଢିଯିବ।
୨୦୨୩ରେ ସହଯୋଗୀ ଦଳ ସହିତ ଖେଳିବାକୁ ହେବ ମ୍ୟାଚ୍
ଯେଉଁ ପାଞ୍ଚଟି ଦଳ ସୁପର ଲିଗ୍ରେ ସିଧାସଳଖ କ୍ଵାଲିଫାଇ କରିବାରେ ବିଫଳ ହେବେ ସେମାନେ କ୍ଵାଲିଫାୟର ୨୦୨୩ରେ ପାଞ୍ଚଟି ସହଯୋଗୀ ସଦସ୍ୟ ଟିମ୍ ସହିତ ମ୍ୟାଚ୍ ଖେଳିବେ। ଏଥିରୁ ଦୁଇଟି ଦଳ ଭାରତରେ ହେବାକୁ ଥିବା ବିଶ୍ଵ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିବ। ୧୦ଟି ଦଳକୁ ନେଇ ବିଶ୍ଵ କପ୍ ଖେଳାଯିବ।
ଜିତିଲେ ମିଳିବ ୧୦ ପଏଣ୍ଟ
ପ୍ରତ୍ୟେକ ଟିମ୍କୁ ବିଜୟ ଉପରେ ୧୦ ପଏଣ୍ଟ ମିଳିବ। ମ୍ୟାଚ୍ ଟାଇ ହେଲେ, ଫଳାଫଳ ନବାହାରିଲେ ଓ ରଦ୍ଦ ହେଲେ ଉଭୟ ଦଳକୁ ୫ ଲେଖାଏଁ ପଏଣ୍ଟ ମିଳିବ। ପରାସ୍ତ ହେଲେ କିଛି ପଏଣ୍ଟ ମିଳିବ ନାହିଁ। ଦଳଗୁଡିକର ରାଙ୍କିଙ୍ଗ ଆଠଟି ଶୃଙ୍ଖଳାରୁ ମିଳିଥିବା ପଏଣ୍ଟ ଆଧାରରେ କରାଯିବ। ଦୁଇ କିମ୍ବା ଅଧିକ ଟିମ୍ର ସମାନ ପଏଣ୍ଟ ଥିଲେ ରାଙ୍କିଙ୍ଗ ସ୍ଥିର ପାଇଁ ନିୟମ ହୋଇଛି। କରୋନା ଭାଇରସ୍ କାରଣରୁ ସୁପରଲିଗ୍ ଆରମ୍ଭକୁ ଘୁଞ୍ଚାଇବାକୁ ପଡିଛି। ଏଥିରେ ନକ୍ଆଉଟ୍ ପର୍ଯ୍ୟାୟର ଆବଶ୍ୟକତା ପଡିବ ନାହିଁ। କାରଣ ପଏଣ୍ଟ ତାଲିକାରେ ରାଙ୍କିଙ୍ଗ ଆଧାରରେ ବିଶ୍ଵ କପ୍ ପାଇଁ ଦଳଗୁଡିକ ଯୋଗ୍ୟତା ଅର୍ଜନ କରିବେ।