୨୦୨୧ର ଦିନିକିଆ ଦଳ ଘୋଷଣା କଲା ICC: ବାବର ଆଜମ୍‌ ଅଧିନାୟକ, ଜଣେ ବି ଭାରତୀୟ ଖେଳାଳିଙ୍କୁ ମିଳିନି ସ୍ଥାନ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦/୦୧: ବର୍ଷ ୨୦୨୧ ପାଇଁ ଦିନିକିଆ ଦଳ ଘୋଷଣା କରିଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍‌ (ICC) । ବଡ କଥା ହେଉଛି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏହି ଲିଷ୍ଟରେ କୌଣସି ଜଣେ ବି ଭାରତୀୟ ଖେଳାଳିଙ୍କ ନାଁ ନାହିଁ । ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍‌ (ICC) ଜାରି କରିଥିବା ଦିନିକିଆ ଦଳରେ ପାକିସ୍ତାନର ଷ୍ଟାର ପ୍ଲେୟାର ବାବର ଆଜମ୍ ଅଧିନାୟକ ହୋଇଛନ୍ତି । ବାବରଙ୍କ ବ୍ୟତିତ ଆଉ ଜଣେ ପାକିସ୍ତାନୀ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ୧୧ ଜଣିଆ ଦଳରେ ୨ ଜଣ ପାକିସ୍ତାନୀ ଖେଳାଳି ରହିଥିବା ବେଳେ, ବାଂଲାଦେଶର ୩ ଜଣ, ଶ୍ରୀଲଙ୍କାର ୨ଜଣ, ଦକ୍ଷିଣ ଆଫ୍ରିକାର ୨ ଏବଂ ଆୟରଲାଣ୍ଡର ୨ ଜଣ ଖେଳାଳିଙ୍କୁ ଆଇସିସି ଦିନିକିଆ ଖେଳାଳି ତାଲିକାରେ ସ୍ଥାନ ମିଳିଛି । ୨୦୨୧ ମସିହାରେ ଦିନିକିଆ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆୟରଲାଣ୍ଡରୁ ୨ ଜଣ ଖେଳାଳି ଆଇସିସି ଦିନିକିଆ ଦଳ​‌ରେ ସ୍ଥାନ ପାଇଥିବା ବେଳେ ଭାରତରୁ କୌଣସି ଜଣେ ମଧ୍ୟ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବା ଚିନ୍ତାଜନକ । ଅନ୍ୟପଟେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଇସିସି ପକ୍ଷରୁ ଜାରି କରାଯାଇଥିବା ବର୍ଷ ୨୦୨୧ ପାଇଁ ଟି-ଟ୍ବେଣ୍ଟି ଟିମରେ ମଧ୍ୟ କୌଣସି ଜଣେ ହେଲେ ବି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନଥିଲା । ଏବେ ଆଇସିସି ପକ୍ଷରୁ ଦିନିକିଆ ଦଳ ଘୋଷଣା ହୋଇଥିଲେ ହେଁ, ଜଣେ ହେଲେ ବି ଭାରତୀୟ କ୍ରିକେଟର ପ୍ଲେଇ ଇଲେଭେନ୍‌ରେ ନାହାନ୍ତି ।

ଅବଶ୍ୟ ଭାରତୀୟ ଦଳ ୨୦୨୧ରେ କମ ଦିନିକିଆ ମ୍ୟାଚ୍‌ ଖେଳିଛି । ଗତ ସିଜିନ୍‌ରେ ଟିମ୍‌ ଇଣ୍ଡିଆ ମାତ୍ର ୬ଟି ଦିନିକିଆ ମ୍ୟାଚ୍‌ ​‌ଖେଳିଛି । ୨୦୨୧ ଆରମ୍ଭରୁ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୩ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ଭାରତୀୟ ଯୁବ ଦଳ ଶ୍ରୀଲଙ୍କାରେ ଘରୋଇ ଦଳ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲା ।

ICC ଜାରି କରିଥିବା ଦିନିକିଆ ଦଳ ମଧ୍ୟରେ ପାକିସ୍ତାନର ଭେଟେରାନ୍‌ ପ୍ଲେୟାର ବାବର ଆଜମ୍‌ଙ୍କୁ ଅଧିନାୟକ କରିଛି । ବାବର ଗତ ସିଜିନ୍‌ରେ ମୋଟ ୬ ଓ୍ବାନ୍‌ଡେରୁ ୬୭.୫୦ ହାରରେ ୪୦୭ ରନ କରିଛନ୍ତି । ଓପନର୍‌ ଭାବେ ଆୟରଲାଣ୍ଡର ପୋଲ ଷ୍ଟାର୍ଲିଙ୍ଗ ଏବଂ ଦକ୍ଷିଣ ଆଫ୍ରିକାର ଜାନେମନ୍‌ ମଲାନଙ୍କୁ ଚୟନ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଉଭୟ ଖେଳାଳି ୨୦୨୧ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଗତ ବର୍ଷ ଷ୍ଟାର୍ଲିଙ୍ଗ ଦିନିକିଆରେ ସବୁଠାରୁ ଅଧିକ ରନ୍‌ କରିଛନ୍ତି । ମୋଟ ୭ଟି ମ୍ୟାଚ୍‌ରୁ ସେ ୮୪.୮୩ ହାରରେ ୫୦୯ ରନ କରିଛନ୍ତି । ଆଇସିସି ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଥିବା ଆଉ ଜଣେ ପାକିସ୍ତାନୀ ଖେଳାଳି ହେଉଛନ୍ତି ଫକର୍‌ ଜମାନ୍ । ସେ ୨୦୨୧ରେ ୬୦.୯୮୩ ହାରରେ ମୋଟ ୩୬୫ ରନ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଲଗାତାର ୨ଟି ମ୍ୟାଚରେ ଦୁଇଟି ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେହିଭଳି ଅଲରାଉଣ୍ଡର ଭାରେ ବାଂଲାଦେଶ ଖେଳାଳି ସାକିବୁଲ ହାସନଙ୍କୁ ଆଇସିସି ଚୟନ କରିଥିବା ବେଳେ ଓ୍ବକେଟ କିପର ଭାବେ ବାଂଲାଦେଶର ମୁସଫିକର ରହିମଙ୍କୁ ସ୍ଥାନ ମିଳିଛି । ବୋଲର ଭାବେ ଓ୍ବାନିନ୍ଦୁ ହାସାରଙ୍ଗାଙ୍କୁ ଆଇସିସି ସ୍ଥାନ ଦେଇଛି ICC । ତାଙ୍କ ସହିତ ବୋଲିଂ ଲିଷ୍ଟରେ ମୁସ୍ତଫିଜୁର ରେହମାନ, ସିମି ସିଂହ ଏବଂ ଦୁଷ୍ମନ୍ତ ଚାମିରାଙ୍କୁ ସ୍ଥାନ ମିଳିଛି । ଗତ ବର୍ଷ ମୋଟ ୧୪ ଦିନିକିଆ ଖେଳି ୨୦ଟି ଓ୍ବିକେଟ ନେଇଛନ୍ତି ଦୁଷ୍ମନ୍ତ ଚାମିରା ।

ICC ପୁରୁଷ ଦିନିକିଆ ଦଳ : ପୋଲ ଷ୍ଟାର୍ଲିଙ୍ଗ, ଜାନେମନ୍‌ ମଲାନ୍‌, ବାବର ଆଜମ (ଅଧିନାୟକ), ଫକର ଜମାନ, ଭାନ୍‌, ଡର୍‌ ଦୁସେନ୍, ଶାକିବ ଉଲ ହାସନ, ମୁସ୍ତଫିଜୁର ରହିମ (ଓ୍ବିକେଟ କିପର), ଓ୍ବାନିନ୍ଦୁ ହାସାରଙ୍ଗା, ମୁସ୍ତଫିଜୁର ରେହମାନ, ସିମି ସିଂହ ଏବଂ ଦୁଷ୍ମନ୍ତ ଚାମିରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.