ଟି-୨୦ ବିଶ୍ଵକପ୍ ଓ ଆଇପିଏଲ ୨୦୨୦ର ଭବିଷ୍ୟତ ଉପରେ ଆଜି ହେବ ନିଷ୍ପତ୍ତି
10/06/2020 at 4:03 PM

ନୂଆଦିଲ୍ଲୀ ୧୦।୦୬: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ICC)ର ବୁଧବାର ହେବାକୁ ଥିବା ବୈଠକ ଅନେକ ଦୃଷ୍ଟିରୁ ବହୁ ଗୁରୁତ୍ଵପୂର୍ଣ୍ଣ ଅଟେ। ଏହି ବୈଠକରେ ଏମିତି ଅନେକ ପ୍ରସଙ୍ଗରେ ନିଷ୍ପତ୍ତି ହେବାର ଅଛି ଯେଉଁଥିରେ କ୍ରିକେଟ୍ର ଛବି ବଦଳିପାରେ। ଏହା ସହିତ ଆଇପିଏଲ ଓ ଟି-୨୦ ବିଶ୍ଵ କପ୍ର ଭବିଷ୍ୟତ ଏହି ବୈଠକର ନିଷ୍ପତ୍ତି ଉପରେ ରହିଛି। ବୁଧବାର ହେବାକୁ ଥିବା ବୋର୍ଡ ସଦସ୍ୟ ବୈଠକରେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ର ଆୟୋଜନ ନେଇ ଜାରି ଗତିରୋଧ ଦୂର ହେବାର ଆଶା କରାଯାଉଛି। ଏହି ବୈଠକରେ ଆଗାମୀ ଆଇସିସି ସଭାପତି ଲାଗି ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରାଯିବା ଉପରେ ଘୋଷଣା ମଧ୍ୟ ହୋଇପାରେ।

ଟି-୨୦ ବିଶ୍ଵ କପ୍ ଉପରେ ନିଷ୍ପତ୍ତି
ଆଇସିସି ବୋର୍ଡର ସଦସ୍ୟ ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ନେଇ କୌଣସି ଠୋସ୍ ନିଷ୍ପତ୍ତି ନେଇ ପାରନ୍ତି। କରୋନା ମହାମାରୀ କାରଣରୁ ଟି-୨୦ ବିଶ୍ଵ କପ୍ ଉପରେ ଅନିଶ୍ଚିତତାର ବାଦଲ ଛାଇ ରହିଛି। ଅନ୍ୟପଟେ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ଅନୁରୋଧକୁ ରକ୍ଷା କରି କଣ କ୍ରିକେଟ୍ ଅଷ୍ଟ୍ରେଲିଆ ଟି-୨୦ ବିଶ୍ଵକପ୍ର ଆୟୋଜନ ୨୦୨୧ ପରିବର୍ତ୍ତେ ୨୦୨୨ରେ କରିବାକୁ ସହମତ ହେବ ତା ଉପରେ ମଧ୍ୟ ସଭିଙ୍କ ନଜର ରହିଛି।
ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ପିଟିଆାଇକୁ କହିଛନ୍ତି ଯେ, ପ୍ରଥମେ ଆଇସିସିକୁ ଘୋଷଣା କରିବାକୁ ଦିଅନ୍ତୁ ଯେ, ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ଆୟୋଜନକୁ ନେଇ କଣ ଯୋଜନା ରହିଛି। ଚଳିତ ବର୍ଷ ଟୂର୍ଣ୍ଣାମେଣ୍ଟକୁ ନେଇ ଅଦ୍ୟାବଧି କୌଣସି ଔପଚାରିକ ଘୋଷଣା ହୋଇ ପାରିନାହିଁ। ଆଇସିସି ବୋର୍ଡ ବିଷୟରେ ସୂଚନା ରଖୂଥିବା ଜଣେ ବରିଷ୍ଠ ଅଧିକାରୀ ଗେପାନୀୟତା ସର୍ତ୍ତ ଆଧାରରେ କହିଛନ୍ତି, ଭାରତ କିମ୍ବା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଆଧାରରେ ୨୦୨୧ର ଟୂର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ହେବ ଏବଂ ୨୦୨୨ରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ଵକପ୍ ଆୟୋଜନ କରିବ। କୌଣସି ସ୍ଥିତିରେ ଏହି ନିଷ୍ପତ୍ତି ଦ୍ଵିପାକ୍ଷିକ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ନେବାକୁ ପଡିବ।

ଏମିତି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଯଦି ଟି-୨୦ ବିଶ୍ଵକପ୍ ସ୍ଥଗିତ ରହେ କିମ୍ବା ରଦ୍ଦ ହୁଏ ତେବେ ଅକ୍ଟୋବର-ନଭେମ୍ବରରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ଆୟୋଜନ ହୋଇପାରେ। ଆଉ ଗୋଟିଏ ମହତ୍ଵପୂର୍ଣ୍ଣ କଥା ଏହା ଯେ, କଣ ଆଇସିସିର ବର୍ତ୍ତମାନ ସଭାପତି ଥିବା ଶଶାଙ୍କ ମନୋହର ବୋର୍ଡର ଉତ୍ତରାଧିକାରୀ ପାଇଁ ନାମାଙ୍କନ ପ୍ରକ୍ରିୟାର ଔପଚାରିକ ଘୋଷଣା କରିବେ। ଏହି ପଦ ପାଇଁ ଅନେକ ଦାବିଦାର ଅଛନ୍ତି।