ସୁପର ଓଭର ନିୟମକୁ ପରିବର୍ତ୍ତନ କଲା ଆଇସିସି

Published By : Prameya-News7 Bureau | October 15, 2019 IST

ନୂଆଦିଲ୍ଲୀ ।୧୦: ଗତ ଥର ଯେଉଁ ନିୟମରେ ଇଂଲଣ୍ଡ ଜିତିଥିଲା ବିଶ୍ଵ କପ୍, ସେହି ନିୟମକୁ ରଦ୍ଦ କଲା ଆଇସିସି । ଅର୍ଥାତ୍ ସୁପର ଓଭର ନିୟମକୁ ପରିବର୍ତ୍ତନ କରିଛି ଆଇସିସି । ନୂଆ ନିୟମ ଅନୁସାରେ ଯଦି ସେମିଫାଇନାଲ୍ ଓ ଫାଇନାଲ୍ ମୁକାବିଲା ସୁପର୍ ଓଭରରେ ମଧ୍ୟ ବରାବର ରହିବ, ତାହେଲେ ପୁଣିଥରେ ସୁପର୍ ଓଭର କରାଯିବ। ଯେ ପର୍ଯ୍ୟନ୍ତ ଫଳାଫଳ ନବାହାରିଛି, ସେ ଯାଏଁ ସୁପର ଓଭର ଜାରି ରହିବ ବୋଲି ଆଇସିସି ନିଷ୍ପତ୍ତି ନେଇଛି।

ଗତ ଥର ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଫାଇନାଲରେ ଉଭୟ ଦଳ ସମାନ ୨୪୧ ରନ୍ କରିଥିଲେ, ଯାହା ପରେ ସୁପର୍ ଓଭର କରାଯାଇଥିଲା। ସୁପର ଓଭରରେ ମଧ୍ୟ ଉଭୟ ଟିମ୍ ୧୫ ରନ୍ ଲେଖାଏଁ କରିଥିଲେ ଏବଂ ମ୍ୟାଚ୍ ଟାଇ ରହିଥିଲା। ଏହା ପରେ ଅଧିକ ବାଉଣ୍ଡ୍ରି ମାରିବା ଯୋଗୁଁ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା।

ଏହି ବିବାଦିତ ନିୟମ ପରେ ଆଇସିସିକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ପରେ ବୈଠକ କରି ଏହି ନିୟମକୁ ପରିବର୍ତ୍ତନ କରାଯାଇଛି । ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀର କମିଟିର ସୁପାରିସ୍ ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଆଇସିସିର ସବୁ ଟୁର୍ଣ୍ଣାମେଣ୍ଟରେ ଏବେ ନୂଆ ସୁପର୍ ଓଭରର ଉପଯୋଗ କରାଯିବ। ଯେପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ପରିଣାମ ସ୍ପଷ୍ଟ ଭାବେ ନବାହାରିଛି, ସେ ଯାଏ ସୁପର୍ ଓଭର ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.