୨୦୨୨ ପର୍ଯ୍ୟନ୍ତ ଘୁଞ୍ଚିପାରେ ଟି-୨୦ ବିଶ୍ଵକପ୍, କାଲି ICC ବୈଠକରେ ହୋଇପାରେ ଘୋଷଣା

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭।୦୫: ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ନିର୍ଦ୍ଧାରିତ ଟି-୨୦ ବିଶ୍ଵକପ୍ ଘୁଞ୍ଚିବା ଆପାତଃ ସ୍ଥିର ହୋଇଛି। ସୂତ୍ର ଅନୁଯାୟୀ କରୋନା ସଂକ୍ରମଣ ମହାମାରୀ କାରଣରୁ ଏହି ଟୂର୍ଣ୍ଣାମେଣ୍ଟକୁ ୨୦୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇପାରେ। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ପରିଷଦ(ICC)ର ସୂତ୍ର ଅନୁଯାୟୀ, ସାଂପ୍ରତିକ ସ୍ଥିତିକୁ ଦେଖି ବୋର୍ଡ ସଦସ୍ୟର ମେ ୨୮ରେ ହେବାକୁଥିବା ବୈଠକରେ ଏହାର ଔପଚାରିକ ଘୋଷଣା ହୋଇପାରେ। ଯଦି ଟି-୨୦ ବିଶ୍ଵକପ ଘୁଞ୍ଚିଯାଏ ତେବେ ଆଇପିଏଲ-୨୦୨୦ ଆୟୋଜନା ପାଇଁ ପଥ ପରିଷ୍କାର ହୋଇଯିବ।

ଉଲ୍ଲେଖନୀୟ, ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହୋଇ ପାରିବ ନାହିଁ। କାରଣ ୨୦୨୧ରେ ଭାରତରେ ବିଶ୍ଵକପ୍‌ ଆୟୋଜନ ହେବା ପୂର୍ବରୁ ସ୍ଥିତିକୃତ ହୋଇଛି। ଏମିତିରେ ଗୋଟିଏ ବର୍ଷରେ ଗୋଟିଏ ଫର୍ମାଟର ଦୁଇଟି ବିଶ୍ଵ କପ୍‌ ଆୟୋଜନ କରିବା ଅନୁଚିତ୍। ଗୋଟିଏ ବର୍ଷରେ ଦୁଇଟି ଟି-୨୦ ବିଶ୍ଵକପ୍‌ ଆୟୋଜନକୁ ପ୍ରସାରଣକର୍ତ୍ତା ଓ କ୍ରିକେଟ୍ ବୋର୍ଡ ରାଜି ମଧ୍ୟ ହେବେ ନାହିଁ। ଅଫିସିଆଲ ପ୍ରସାରଣକର୍ତ୍ତା ଷ୍ଟାରସ୍ପୋର୍ଟ୍ସ ସୂତ୍ର ଅନୁଯାୟୀ, ଯଦି ଭାରତରେ ଅକ୍ଟୋବର-ନଭେମ୍ବରରେ ଆଇପିଏଲ ହୁଏ ଏବଂ ଆଗାମୀ ବର୍ଷ ଏପ୍ରିଲରେ ହୁଏ ତେବେ ୨୦୨୧ରେ ଦୁଇଟି ବିଶ୍ଵ କପ୍‌ର ପ୍ରସାରଣ କରିବା ସହଜ ହେବ ନାହିଁ।

{"id":277111,"sizeSlug":"large"}

ସୌରଭ ଗାଙ୍ଗୁଲିଙ୍କ ରହିଛି ସମର୍ଥନ

କୁହାଯାଉଛି ଟି-୨୦ ବିଶ୍ଵକପ୍‌ ୨୦୨୨ ପର୍ଯ୍ୟନ୍ତ ଘୁଞ୍ଚାଇବାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲି ଆଇସିସିକୁ ସମର୍ଥନ କରିବେ। ଉଲ୍ଲେଖଯୋଗ୍ୟ, ୨୦୨୩ରେ ଭାରତ ୫୦ ଓଭରର ବିଶ୍ଵ କପ୍‌ ଆୟୋଜନ କରିବ। ଦେଖିବାକୁ ଗଲେ ୩ ବର୍ଷରେ ତିନୋଟି ବିଶ୍ଵକପ୍ ହେବ। ପୁଣି ତାହା ମଧ୍ୟରେ ଆଇପିଏଲର ଆୟୋଜନ ରହିଛି। କିନ୍ତୁ ଏହି ଲିଗ୍‌କୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଆଇସିସି ବୋର୍ଡ ବୈଠକରେ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ଵକପ୍‌ରେ ଟିକସରେ ଛାଡ ମାମଲାରେ ମଧ୍ୟ ଆଲୋଚନା ହୋଇପାରେ। ବିସିସିଆଇ ଲକ୍‌ଡାଉନ୍‌ କାରଣରୁ ଏହା ଉପରେ ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ କଣ ରହିଛି ତାହା  ଜାଣିବା ଲାଗି ଆଉ କିଛି ସମୟ ଦେବାକୁ ଆଇସିସିକୁ କହିଛି। ଅନ୍ୟପକ୍ଷେ ଆଇସିସିର ନୂତନ ସଭାପତି ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡର ପୂର୍ବତନ ସଭାପତି କୋଲିନ୍ ଗ୍ରେବ୍ସଙ୍କୁ ଏହି ପଦ ଲାଗି ପ୍ରମୁଖ ଦାବିଦାର କୁହାଯାଉଛି। ମାତ୍ର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ଦୌଡରେ ସାମିଲ ହୋଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.