କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କର୍ମଚାରୀ, ଭୁବନେଶ୍ଵର ଆଇବି କାର୍ଯ୍ୟାଳୟ ସିଲ୍

Published By : Prameya-News7 Bureau | April 07, 2020 IST

ଭୁବନେଶ୍ଵର ୦୭।୦୪:  ଭୁବନେଶ୍ୱର ସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) କାର୍ଯ୍ୟାଳୟ ସିଲ୍ କରିଛି ଭୁବନେଶ୍ଵର ନଗର ନିଗମ(ବିଏମସି)। କାର୍ଯ୍ୟାଳୟ ସିଲ୍ କରିବା ସହିତ ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଜଣେ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସିର ଜଣେ କର୍ମଚାରୀ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ୧୪ ଦିନ ପାଇଁ ସିଲ୍ କରାଯାଇଛି ।

ଏହା ପରେ ବିଏମସିର ଅଧିକାରୀ ସହରର  ବିଦ୍ୟୁତ୍ ମାର୍ଗରେ ସ୍ଥିତ ଆଇବି କାର୍ଯ୍ୟାଳୟର କାନ୍ଥରେ ଏକ ନୋଟିସ୍ ମାରି ଦେଇଛନ୍ତି। ବିଏମସିର ଅଧିକାରୀ କହିଛନ୍ତି ଯେ, ଆଇବି କାର୍ଯ୍ୟାଳୟକୁ ଏପ୍ରିଲ ୬ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ୧୪ ଦିନ ପାଇଁ ସିଲ୍ କରାଯାଇଛି। କାହାରିକୁ ମଧ୍ୟ ପରିସରକୁ ଯିବା ଆସିବା ପାଇଁ ଅନୁମତି ନାହିଁ।

ସୂଚନା ଅନୁଯାୟୀ ଜଣେ ଅଧିକାରୀ ସୂର୍ଯ୍ୟନଗର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ, ଏଭଳି ପଦକ୍ଷେପ ନିଆଯାଇଛି।  ସୂର୍ଯ୍ୟନଗର ଅଞ୍ଚଳରେ କରୋନା ଭାଇରସ୍‌ରେ ୮ ଜଣ ସଂକ୍ରମିତ ମାମଲା ସାମ୍ନାକୁ ଆସିବା ପରେ ଉକ୍ତ କ୍ଷେତ୍ରକୁ ପ୍ରବିବନ୍ଧିତ ଏରିଆ ଘୋଷଣା କରାଯାଇଛି।

ଅଧିକାରୀ କହିଛନ୍ତି ଯେ, ବିଏମସି ଆଇବି କଲୋନୀ ସମେତ ବିଦ୍ୟୁତ୍ ମାର୍ଗକୁ ସଂକ୍ରମଣ ମୁକ୍ତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି। ବିଏମସି ଆୟୁକ୍ତ ପ୍ରେମ ଚନ୍ଦ୍ର ଚୌଧୁରୀ ସମସ୍ତ କର୍ମଚାରୀଙ୍କୁ ପୃଥକ ବାସରେ ରଖିଛନ୍ତି। ସେପଟେ କେନ୍ଦ୍ରାପଡ଼ା ଆଳି ଅଞ୍ଚଳ ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ପରେ ତାଙ୍କ  ଗାଁର ୩ କିଲୋମିଟର ପରିଧି ଅଞ୍ଚଳକୁ ସିଲ୍ କରାଯାଇଛି । ମୋଟ୍ ୧୨ଟି ଗାଁକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସିଲ୍ କରିଛି ପ୍ରଶାସନ । ସଂପୃକ୍ତ ଅଞ୍ଚଳରେ ବିଶୋଧନ କାର୍ଯ୍ୟ ଜାରି ରହିଛି । ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ନମୁନା ସଂଗ୍ରହ କରାଯାଇ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି । ଲୋକଙ୍କ ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀ  ଯାଞ୍ଚ କରିବେ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.