ବଢ଼ିଲା IB ଏବଂ ର’ ମୁଖ୍ୟଙ୍କ କାର୍ଯ୍ୟକାଳ, ଆସନ୍ତାବର୍ଷ ଜୁନ୍‌ରେ ନେବେ ଅବସର

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭/୫: ଗୁରୁବାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏବଂ ର’ ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ିଲା।  ଦୁଇ ବିଭାଗ ମୁଖ୍ୟଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ର’ ସେକ୍ରେଟାରି ସାମନ୍ତ କୁମାର ଗୋୟଲ ଏବଂ ଆଇବି ନିର୍ଦେଶକ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଏକ ବର୍ଷ ବଢ଼ିଛି। ସାମନ୍ତ କୁମାର ୧୯୮୪ ବ୍ୟାଚ୍‌ର ପଞ୍ଜାବ କ୍ୟାଡର ଆପିଏସ୍‌ ଅଧିକାରୀ ହୋଇଥିବା ବେଳେ ଅରବିନ୍ଦ କୁମାର ମଧ୍ୟ ସେହି ବ୍ୟାଚ୍‌ ଏବଂ ଆସାମ-ମେଘାଳୟ କ୍ୟାଡରର ଆଇପିଏସ୍‌ ଅଧିକାରୀ।

ଏବେ ଦୁଇ ଅଧିକାରୀ ୩୦ ଜୁନ୍‌ ୨୦୨୨ରେ ଅବସର ନେବେ। ବଡ଼ ବଡ଼ ଅପରେସନ୍‌ରେ ସାମନ୍ତ ଗୋୟଲ ବଡ଼ ଭୂମିକା ଗ୍ରହଣ କରି ପରିଚୟ ସୃଷ୍ଟି କରିଛନ୍ତି। ଅରବିନ୍ଦ କୁମାରଙ୍କ ପାଖରେ ଦେଶର ଆଭ୍ୟନ୍ତରୀଣ ମାମଲାରେ ବେଶ ଜ୍ଞାନ ରହିଛି। ଦୁଇ ଅଧିକାରୀ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କୁ ରିପୋର୍ଟ କରନ୍ତି।

ର’ ଗତିବିଧି ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଏ ନାହିଁ। କିନ୍ତୁ ଆଇବି ସରକାରଙ୍କୁ ଆଭ୍ୟନ୍ତରୀଣ ମାମଲାରେ ସରକାରଙ୍କୁ ଗୁପ୍ତ ସୂଚନା ଦେଇଥାଏ।  ନିକଟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ସିବିଆଇ ନିର୍ଦେଶକ ଭାବେ ସୁବୋଧ କୁମାର ଜୟସ୍ବାଲଙ୍କୁ ନିଯୁକ୍ତି କରିଛି। ସୁବୋଧ କୁମାର ମୁମ୍ବାଇର ପୋଲିସ କମିଶନର ଏବଂ ମହାରାଷ୍ଟ୍ରରେ ଡିଜିପି ଭାବେ କାର୍ଯ୍ୟ କରିସାରିଛନ୍ତି। ସିବିଆଇ ନିର୍ଦେଶକ ହେବା ପୂର୍ବରୁ ସିଆଇଏସଏଫର ଡିଜି ଥିଲେ ସୁବୋଧ କୁମାର ଜୟସ୍ବାଲ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.