Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇଏଏସ ଟ୍ରାନଜିଟ୍ ହୋମ୍ ଜମି ବାତିଲ କଲେ ମୁଖ୍ୟମନ୍ତ୍ରୀ, ସ୍କୁଲ ହତାରେ ହେବନି ଅଫିସର ସଙ୍ଘର କୌଣସି ନିର୍ମାଣ କାର୍ଯ୍ୟ

3/06/2021 at 10:59 AM

ଭୁବନେଶ୍ୱର,୦୩/୦୬ : ଆଇଏଏସ୍‌ ଅଫିସରଙ୍କ ଟ୍ରାନ୍‌ଜିଟ୍‌ ହୋମ୍‌ ତିଆରି କରିବାକୁ ଗଙ୍ଗନଗରରେ ଥିବା ୟୁନିଟ୍‌-୬ ବାଳିକା ହାଇସ୍କୁଲର ଜମି ଦିଆଯିବା ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲ ହତାରେ ଏହି ଜମି ଦେବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ବାତିଲ କରିଦେଇିଛନ୍ତି । ଏଣିକି ଏ ସ୍କୁଲ ହତାରେ ଆଉ ଆଇଏଏସ୍‌ ଅଫିସର ସଂଘର କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ।

ୟୁନିଟ୍‌-୬ ହାଇସ୍କୁଲର ସମୁଦାୟ ୭.୬୭ ଏକର ଜମି ଦୁଇଟି ପ୍ଲଟ୍‌ ଆକାରରେ ଅଛି । ଏଥିରୁ ୨.୪୫ ଏକର ଜମି ବ୍ୟବହାର ହେଉନାହିଁ ବୋଲି ଦର୍ଶାଇ ଉକ୍ତ ଜମିରେ ଆଇଏଏସ୍‌ ଅଫିସରମାନଙ୍କ ଆମୋଦ ପାଇଁ ଏକ ଟ୍ରାନ୍‌ଜିଟ୍‌ ହାଉସ୍‌ ତିଆରି କରିବାକୁ ଆଇଏଏସ୍‌ ଅଫିସର ସଂଘକୁ ଦିଆଯାଇଥିଲା । ଫଳରେ ବିବାଦ ଉପୁଜିଥିଲା । ଏହି ଖବର ପ୍ରକାଶ ପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ସ୍ଥାନୀୟ ଜନତା, ଅଭିଭାବକ ସଂଘ ଓ ଦଳ ମତ ନିର୍ବଶେଷର ସବୁ ମହଲରୁ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ତାଙ୍କ ‘ମୋ-ସ୍କୁଲ’ ଅଭିଯାନରେ ଶହ ଶହ ଲୋକ ସ୍କୁଲର ଉନ୍ନତିକରଣ ପାଇଁ ସହାୟତାର ହାତ ବଢ଼ାଉଥିଲାବେଳେ ସ୍କୁଲ ହତାକୁ ସଂକୁଚିତ କରାଯିବା ଉଦ୍ୟମକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଥିଲେ । ଝିଅମାନଙ୍କ ପାଠ ପଢ଼ା ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିଲାବେଳେ ସହର ଛାତି ଉପରେ କେବଳ ଝିଅମାନଙ୍କ ପଢ଼ିବା ପାଇଁ ଉଦ୍ଦିଷ୍ଟଥିବା ଏହି ପୂରାତନ ସ୍କୁଲ ହତାକୁ ଭାଗ ଭାଗ ନକରିବାକୁ ଦାବି ଜୋର ଧରିଥିଲା । ଏହି ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ସେ ହସ୍ତେକ୍ଷପ କରି ସ୍କୁଲର ଭିତ୍ତିଭୂମିର ବିକାଶ ଓ ଉନ୍ନତିରେ କିଛି ବାଧା ନଉପୁଜିବା ପାଇଁ ଜମି ଦେବାକୁ ମନା କରିଦେବା ସହ ଏହାକୁ ବାତିଲ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

   Related Posts