ଧୋକା ଦେଇ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ଆଇଏଏସ ଅଧିକାରୀ ନିଲମ୍ବିତ

Published By : Prameya-News7 Bureau | August 15, 2019 IST

ଅହମଦାବାଦ ୧୫|୮: ଧୋକା ଦେଇ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ଗୁଜୁରାଟ ସରକାର ବୁଧବାର ଦିନ ଆଇଏଏସ ଅଧିକାରୀ ଗୌରବ ଦହିୟାଙ୍କୁ ନିଲମ୍ବିତ କରିଛନ୍ତି । ୨୦୧୦ ବ୍ୟାଚ୍ ର ଆଇଏଏସ ଅଧିକାରୀ ଗୌରବ ଦହିୟାଙ୍କ ବିରୋଧରେ ଦିଲ୍ଲୀର ଜଣେ ମହିଳା ଧୋକା ଦେଇ ବିବାହ କରିବା ଏବଂ ଧମକ ଦେବା ଅଭିଯୋଗ ଆଣିଛନ୍ତି ।

ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏହି ଅଭିଯୋଗକୁ ନେଇ ଗୌରବ ଦହିୟା ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ସମ୍ମୁଖାନ ହେବାକୁ ପଡିବ ।

ନିଲମ୍ବନ ହେବାର କିଛି ଘଣ୍ଟା ପରେ ଗୌରବ ଗୁଜୁରାଟ ଉଚ୍ଚ ନ୍ୟାୟାଳୟ ପହଞ୍ଚି ରାଜ୍ୟ ପୋଲିସକୁ ଏହି ମାମଲାରେ ଦଖଲ ନଦେବାକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟରେ ଦାବି କରିଛନ୍ତି । ଦହିୟା କହିଛନ୍ତି ଯେ, ଏହି ମାମଲା ଦିଲ୍ଲୀ ପୋଲିସ ଅଧିକାରୀଙ୍କ ଅଞ୍ଚଳରେ ଆସୁଛି ।

ମୁଖ୍ୟ ସଚିବ ଜେ ଏନ୍ ସିଂହ କହିଛନ୍ତି ଯେ, ତଦନ୍ତ ସମିତି ରିପୋର୍ଟ ଆଧାରରେ ରାଜ୍ୟ ସରକାର ଗୌରବ ଦହିୟାଙ୍କୁ ନିଲମ୍ବିତ କରିଛନ୍ତି । ୨୦୧୦ ବ୍ୟାଚ୍ ଗୁଜୁରାଟ କ୍ୟାଡର ଅଧିକାରୀ ଗୌରବ ଦହିୟାଙ୍କ ବିରୋଧରେ ଦ୍ବିତୀୟ ବିବାହ କରିବା ଏବଂ ଧୋକା ଦେବା ଅଭିଯୋଗର ତଦନ୍ତ ପାଇଁ ଗତ ମାସରେ ମୁଖ୍ୟ ସଚିବ ସୁନୟନା ତୋମାରଙ୍କ ଅଧ୍ୟକ୍ଷତାରେ ସମିତି ଗଠନ କରାଯାଇଥିଲା । ଗୌରବ ଦୁଇ ଥର ସମିତି ନିକଟରେ ହାଜର ହୋଇଥିଲେ । ସମିତି ନିକଟରେ ହାଜର ହେବା ବେଳେ ଗୌରବ କହିଥିଲେ ଯେ, ସଂପୃକ୍ତ ମହିଳା ତାଙ୍କୁ ଫସାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଗାନ୍ଧିନଗର ପୋଲିସ ମହିଳାଙ୍କ ଅଭିଯୋଗ ପରେ ମାମଲା ସଂପର୍କରେ ତଦନ୍ତ କରୁଛି । ଗୌରବଙ୍କୁ ପୋଲିସ ନିକଟରେ ହାଜର ହେବା ପାଇଁ କୁହାଯାଇଛି । ମାତ୍ର ସେ ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି । ନିଲମ୍ବିତ ଆଇଏଏସ ଅଧିକାରୀ ଗୌରବ ଦହିୟା ଅଭିଯୋଗ କରିଛନ୍ତି ଯେ, ସଂପୃକ୍ତ ମହିଳା ହନି ଟ୍ରାପ୍ ରେ ତାଙ୍କୁ ଫସାଇଛନ୍ତି ଏବଂ ତାଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.