ସୋମବାର ଜନ୍ମ ଶତବାର୍ଷିକ ପାଳନ କରିବେ ଭାରତୀୟ ବାୟୁସେନାର ପ୍ରଥମ ଫାଇଟର ପ୍ଲେନ୍ ପାଇଲଟ୍ ଦିଲ୍ଲୀପ ସିଂହ
26/07/2020 at 8:01 PM

ଗୋରଖପୁର୨୬।୭ : ଆଜିବି ଜୀବିତ ଅଛନ୍ତି ଭାରତୀୟ ବାୟୁସେନା (ଆଇଏଏଫ)ର ପ୍ରଥମ ଫାଇଟର ପାଇଲଟ୍ । ହୁଏତ ଆପଣଙ୍କୁ ଅବିଶ୍ୱାସ ଲାଗିପରେ ହେଲେ ସତ୍ୟ। ଭାରତର ସବୁଠୁ ପୁରୁଣା ଫାଇଟର ବିମାନ ପାଇଲଟ ସ୍କ୍ୱାଡ୍ରନ ଲିଡର ଦିଲ୍ଲୀପ ସିଂ ମାଜିଠିଆ ଆସନ୍ତା କାଲି ଅର୍ଥା ୨୭ ଜୁଲାଇ ସୋମବାର ତାଙ୍କର ୧୦୦ତମ ଜନ୍ମଦିବସ ପାଳନ କରିବେ। ୫ ଅଗଷ୍ଟ ୧୯୪୦ରେ ଏହି ଯୁବ ଶିଖ୍ ପାଇଲଟ ଦିଲ୍ଲୀପ ସିଂହ ଲାହୋର ୱାଲ୍ଟନ ଏୟାର ଫିଲ୍ଡରୁ ଦୁଇ ବ୍ରିଟିଶ ପ୍ରଶିକ୍ଷକଙ୍କ ତତ୍ୱାବଧାନରେ ପ୍ରଥମ ପ୍ରଶିକ୍ଷଣ ବିମାନ ଉଡାଇଥିଲେ। ସେବେଠାରୁ ଆକାଶ ହିଁ ତାଙ୍କ ଠିକଣା ପାଲଟିଛି।

ଟାଇଗର ମୋଥ ଯୁଦ୍ଧବିମାନରେ ପ୍ରଶିକ୍ଷଣ ଆରମ୍ଭ କରିବାର ମାତ୍ର ୧୭ ଦିନରେ ସୋଲୋ ବିମାନ ଉଡାଣ କରିବାରେ ଲାଗିଥିଲେ ଦିଲ୍ଲୀପ। ସେତେବେଳେ ଦିଲ୍ଲୀପଙ୍କ ବୟସ ଥିଲା ମାତ୍ର ୨୦ ବର୍ଷ। ଭାରତୀୟ ବାୟୁସେନାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କୁ ବର୍ମା ଅଭିଯାନରେ ସାମିଲ କରାଯାଇଥିଲା। ସେତେବେଳର ଦୁର୍ଦ୍ଦଶ ଯୁଦ୍ଧବିମାନ ହକର ହରିକେନ ଉଡାଇବାରେ ଦିଲ୍ଲୀପ ସିଂହ ନିଜକୁ ଅଦ୍ୱିତୀୟ ସାବ୍ୟସ୍ତ କରିଥିଲେ। ଆକାଶରେ ହରିକେନକୁ ଦେଖିବା ମାତ୍ରେ ଶତ୍ରୁ ସୈନ୍ୟ ଛତ୍ରଭଙ୍ଗ ଦେଉଥିଲେ।

୧୯୪୭ ମସିହାରେ ଦିଲ୍ଲୀପ ସିଂହ ଭାରତୀୟ ବାୟୁସେନାରୁ ସ୍କ୍ୱାଡ୍ରନ ଲିଡର ପଦବୀରେ ଅବସର ଗ୍ରହଣ କରିଥିଲେ। ଭାରତୀୟ ବାୟୁସେନାରେ ଏବେ ଅତ୍ୟାଧୁନିକ ରାଫେଲ ଯୁଦ୍ଧବିମାନ ସାମିଲ ହେବାକୁ ଯାଉଛି। ତେବେ ଫାଇଟର ବିମାନ ପାଇଲଟ ଭାବେ ଦିଲ୍ଲୀପ ଦେଶର ଏବେ ଜଣେମାତ୍ର ଜୀବିତ ପାଇଲଟ ଯାହାଙ୍କ ଆଖି ସାମ୍ନାରେ ବାୟୁସେନାର ଅନେକ ଆଧୁନିକରଣ ହୋଇସାରିଲାଣି। ଦିଲ୍ଲୀପ ସିଂହଙ୍କ ଜୀବନୀକୁ ପ୍ରଖ୍ୟାତ ଏରୋସ୍ପେସ୍ ଐତିହାସିକ ପୁଷ୍ପିନ୍ଦର ସିଂ ଚୋପ୍ରା ତାଙ୍କ ପୁସ୍ତକରେ ମଧ୍ୟ ସାମିଲ କରିଯାଇଛନ୍ତି। ଇତିହାସରେ ଦିଲ୍ଲୀପଙ୍କୁ ସାହାସ ଓ ରୋମାଞ୍ଚର କାହାଣୀ ଭାବେ ବର୍ଣ୍ଣନା କରିଛନ୍ତି ପୁଷ୍ପିନ୍ଦର।

ବାସ୍ତବରେ ଯେତେବେଳେ ଦିଲ୍ଲୀପ ସିଂ ପାଇଲଟ ଭାବେ ସ୍ନାତକ ଉତୀର୍ଣ୍ଣ ହେଲେ ସେତେବେଳେ ତାହା ତାଙ୍କ କୋର୍ସର ସର୍ବୋତ୍ତମ ପାଇଲଟ ହେବା ଲାଗି ଯଥେଷ୍ଟ ଥିଲା। ସ୍ୱାଧୀନତା ପୂର୍ବ ଭାରତୀୟ ବାୟୁସେନାରେ ସେ ଅନେକ ଯୁଦ୍ଧବିମାନ ଚଳାଇଥିଲେ। ଯେଉଁଥିରେ ୱେଷ୍ଟଲ୍ୟାଣ୍ଡ ଭିପିଟି ଆଇଆଇଏ, ହକର ଅଡେକ୍ସ ଓ ହାର୍ଟ ଆଦି ଯୁଦ୍ଧବିମାନ ଥିଲେ। ସ୍ୱାଧୀନତା ପର ଭାରତୀୟ ବାୟୁସେନାର ମାତ୍ର ଗୋଟିଏ ସ୍କ୍ୱାଡ୍ରନ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦିଲ୍ଲୀପ ସିଂହ ବାବା ମେହେର ସିଂହଙ୍କ କମାଣ୍ଡ ଅଧିନରେ ବର୍ମା ଅଭିଯାନରେ ସାମିଲ ଥିଲେ। ଏହି ଯୁଦ୍ଧକାଳରେ ମେହେର ସିଂହଙ୍କୁ ବିଶିଷ୍ଟ ସେବା ଆଦେଶରେ ସମ୍ମାନୀତ କରାଯାଇଥିଲା।

ବିଶ୍ୱଯୁଦ୍ଧ ପରବର୍ତ୍ତି ସ୍ୱାଧୀନ ଭାରତରେ ଦିଲ୍ଲୀପ ସିଂ ପାକିସ୍ତାନ ବିରୋଧରେ ୧୯୪୭ ଓ ୪୮ ଯୁଦ୍ଧରେ ମଧ୍ୟ ସାମିଲ ଥିଲେ। ତାଙ୍କର ଦୁଃଶାହାସିକ ବିମାନ ଚାଳନା ଓ ଶତ୍ରୁ ଦମନ ରଣ କୌଶଳ ଲାଗି ଭାରତ ସରକାର ତାଙ୍କୁ ମହାବୀର ଚକ୍ର ସମ୍ମାନରେ ମଧ୍ୟ ସମ୍ମାନୀତ କରିଛନ୍ତି। ଅବସର ପରେ ବି ଦିଲ୍ଲୀପ ସିଂହ ଭାରତୀୟ ବାୟୁସେନା ଛାଡିବାକୁ ରାଜି ନଥିଲେ। ଏଣୁ ତାଙ୍କୁ ଅବସର ନେବାକୁ ରାଜି କରିବାକୁ ପଡିଥିଲା। ଚାକିରୀରୁ ଅବସର ନେଇଥିଲେ ହେଲେ ବିମାନ ଉଡାଇବାଲାଗି ତାଙ୍କର ଆଗ୍ରହ କିନ୍ତୁ କମି ନଥିଲା।

ଯୁଦ୍ଧପରେ ପରେ ଆମେରିକା ସରକାର ବିମାନ ସବୁ ବିକି ଦେଇଥିଲେ। ଏଥିରୁ ଦିଲ୍ଲୀପ ସିଂହଙ୍କ କକା ୨ଟି ହାଲୁକା ବିମାନ କିଣିଥିଲେ। ହେଲେ ସେଗୁଡିକ ଉଡାଣ ଯୋଗ୍ୟ ନଥିଲା। ତେବେ ତାକୁ ଉଡାଣ ଯୋଗ୍ୟ କରିବା ବି ସେମାନଙ୍କ ପକ୍ଷେ ସମ୍ଭବ ନଥିଲା। କାରଣ ସେତେବେଳେ ଦେଶରେ ଏରୋ ଇଞ୍ଜିନିୟର ନଥିଲେ। ତେବେ ଦିଲ୍ଲୀପଙ୍କ କାକା ଏକ ଅଟୋ ଗ୍ୟାରେଜରେ କାମ କରୁଥିଲେ। ସେ ନିୟମିତ ବିମାନ ଦେଖିବାକୁ ଆସିବା ସହ ଏହାର ମ୍ୟାଗ୍ନେଟ୍ ଚେକ୍ କରୁଥିଲେ। ଏଥିରୁ ଗୋଟିଏ ବିମାନ ହଠାତ ଠିକ୍ ହୋଇଯାଇଥିଲା। ଏହା ପରେ ଦିଲ୍ଲୀପ ସିଂହ ଦେଶର ବିଭିନ୍ନ ସ୍ଥାନରେ ବିମାନ ଉଡାଇଥିଲେ।

ନେପାଳରେ ନୂଆ କରି ଏକ ବିମାନ ବନ୍ଦର ନିର୍ମିତ ହୋଇଥିଲା। ତେବେ ପାହାଡ ଘାଟିରେ ନିର୍ମିତ ବିମାନବନ୍ଦରରେ ଅବତରଣ କରିବା ଏତେ ସହଜ ନଥିଲା। ତତ୍କାଳୀନ ନେପାଳ ପ୍ରଧାନମନ୍ତ୍ରୀ ମୋହନ ସମସେର ଜଙ୍ଗବାହାଦୁର ରାଣା ଦିଲ୍ଲୀପଙ୍କୁ ସେଠାରେ ତାଙ୍କ ବିମାନ ଅବତରଣ କରିବାକୁ ନିମନ୍ତ୍ରଣ କରିଥିଲେ। ଏଥିରେ ଦିଲ୍ଲୀପ ତାଙ୍କ ବିମାନକୁ ନେପାଳରେ ଅବତରଣ କରାଇ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ। ନେପାଳ ବିମାନ ବନ୍ଦରରେ ବିମାନ ଅବତରଣ କରାଇବାରେ ଦିଲ୍ଲୀପ ସିଂହ ଥିଲେ ପ୍ରଥମ ପାଇଲଟ୍। ଶତାୟୁ ପାଇଲଟଙ୍କୁ ତା ଜନ୍ନ ଶତବାର୍ଷିକରେ ଅନେକ ଅନେକ ଅଭିନନ୍ଦନ।