Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୂରତଗଡ ଏୟାରେବସ୍ ରେ ପୋଷ୍ଟିଂ ହେଲେ ଓ୍ବିଙ୍ଗକମାଣ୍ଡର ଅଭିନନ୍ଦନ

12/05/2019 at 6:41 PM

ଜୟପୁର ୧୨।୫:  ପାକିସ୍ତାନର ଏଫ-୧୬ ଯୁଦ୍ଧବିମାନକୁ ଖସାଇଥିବା ଦୁଃଶାହାସୀ ପାଇଲଟ ଓ୍ବିଙ୍ଗକମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ପୁଣି ସେବାରେ ନିଯୁକ୍ତ କରାଯାଇଛି। ତାଙ୍କୁ ରାଜସ୍ଥାନର ସୂରତଗଡ ଏୟାରବେସ୍ ରେ ପୋଷ୍ଟିଂ କରାଯାଇଥିବା ବେଳେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରାୟ ୩ ମାସ ପୂର୍ବେ ଅଭିନନ୍ଦନ ଜମ୍ମୁ-କାଶ୍ମୀରର  ଶ୍ରୀନଗର ଏୟାରବେସ୍ ରେ କାର୍ଯ୍ୟରତ ଥିବା ବେଳେ ଫେବୃଆରୀ ୨୭ ତାରିଖ ଦିନ ପାକ୍ ବାୟୁସେନାର ଏଫ-୧୬ ଲଢୁଆ ଯୁଦ୍ଧବିମାନ ଭାରତ ବାୟୁସୀମା ଉଲ୍ଲଂଘନ କରିଥିଲେ। ତେବେ ଶ୍ରୀନଗର ଅଗ୍ରଣୀ ଏୟାରବେସରୁ ଅଭିନନ୍ଦନ ସେମାନଙ୍କୁ ଚାଲେଞ୍ଜ କରିଥିଲେ।

ମିଗ୍-୨୧ ବାଇସନ ଯୁଦ୍ଧବିମାନରେ ଅଭିନନ୍ଦନ ପାକ୍ ର ଅତ୍ୟାଧୁନିକ ଏଫ-୧୬ ଲଢୁଆ ବିମାନର ମୁକାବିଲା କରିଥିଲେ।  ଏଥିରେ ସେ ଗୋଟିଏ ଏଫ୍-୧୬ ବିମାନକୁ ଖସାଇଦେଇଥିବା ବେଳେ ତାଙ୍କର ନିଜ ବିମାନଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ପାରାସ୍ୟୁଟ ଯୋଗେ ଅଭିନନ୍ଦନ ବିମାନରୁ ସୁରକ୍ଷିତ ଅବତରଣ କରିଯାଇଥିଲେ ହେଁ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାଠାରୁ ୭ କିଲୋମିଟର ଦୂର ପାକ୍ ଅଧିକୃତ କାଶ୍ମୀରର ହୋରାନ ଗ୍ରାମରେ ଓହ୍ଲାଇଥିଲେ। ପାକ୍ ସୈନିକ ତାଙ୍କୁ ଗିରଫ କରିବା ନେଇ ଭାରତକୁ ସୂଚନା ମିଳିବା ପରେ ଜେନେଭା କନଭେନସନ  ଅନୁସାରେ ତାଙ୍କୁ ଫେରାଇ ଦେବାକୁ କୁହାଯାଇଥିଲା। ଏହା ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ମୁକ୍ତି ଲାଗି ଘୋଷଣା କରିଥିଲେ। ସେହି ଅନୁସାରେ ତାଙ୍କୁ ମାର୍ଚ୍ଚ ୧ ତାରିଖ ଦିନ ଓ୍ବାଘା ସୀମାରେ ଭାରତକୁ ଫେରାଇ ଦିଆଯାଇଥିଲା।

ଭାରତ ଫେରିବାପରେ ଅଭିନନ୍ଦନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷଣ ପାଇଁ ନିଆଯାଇଥିଲା ଓ ସେ ଫିଟଥିବା ନେଇ ମେଡିକାଲ ସାର୍ଟିଫିକେଟ୍ ମିଳିବା ପରେ ତାଙ୍କୁ ପାକ୍ ସୀମାବର୍ତ୍ତି ରାଜସ୍ଥାନର ସୁରତଗଡ ଏୟାରବେସ୍ ରେ ନିଯୁକ୍ତ କରାଯାଇଛି। ସେ ଶନିବାର ତାଙ୍କର ନୂତନ କର୍ମସ୍ଥଳରେ ଯୋଗଦେଇଥିବା ବେଳେ ସାଥୀ ଏୟାରଫୋର୍ସ ଅଫିସରମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିବା ଜଣାପଡିଛି।

   Related Posts