ଅଭିନନ୍ଦନଙ୍କୁ ନେଇ ଚେତାବନୀ ଜାରି କଲା ଭାରତୀୟ ବାୟୁସେନା
9/03/2019 at 1:18 PM

ଦିଲ୍ଲୀ ୯/୩ : ଗତ କିଛି ଦିନ ହେଲା ଅଭିନନ୍ଦନ ବର୍ଦ୍ଧମାନଙ୍କ ନାଁ ପ୍ରତ୍ୟେକ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି | ଅଭିନନ୍ଦନଙ୍କ ପ୍ରଶଂସା କରୁଛନ୍ତି ଦେଶବାସୀ | ଅଭିନନ୍ଦନ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରିଦେଇଥିଲେ | ସେ ପାକିସ୍ତାନରେ ୫୬ ଘଣ୍ଟା ପାଇଁ ବନ୍ଦୀ ମଧ୍ୟ ଥିଲେ | ଏହାପରେ ସେ ନିଜ ଦେଶକୁ ଫେରିଥିଲେ |

ଏତିକିବେଳେ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ନେଇ ଏକ ଚେତାବନୀ ଜାରି କରିଥିଲା | ଫଳରେ ଭାରତର ପ୍ରାୟ ସବୁ ଖବର ଏଜେନ୍ସି ଆଲର୍ଟ ହୋଇଯାଇଥିଲେ | ଅଭିନନ୍ଦନ ଚର୍ଚ୍ଚାକୁ ଆସିବା ପରଠାରୁ ଫେକ ନ୍ୟୁଜ ଏଜେନ୍ସିଗୁଡିକ ସକ୍ରିୟ ହୋଇଯାଇଛନ୍ତି | ଅଭିନନ୍ଦନଙ୍କ ନାଁରେ ଅନେକ ଫେକ ଆକାଉଣ୍ଟ ସୋସିଆଲ ମିଡ଼ିଆରେ କ୍ରିଏଟ ହୋଇଛି | ଭାରତୀୟ ବାୟୁସେନା ଏକ ଟ୍ୱିଟ କରି ଭାରତୀୟ ଜନତାଙ୍କୁ ସୂଚନା ଦେଇଛି ଯେ, ଅଭିନନ୍ଦନ ବର୍ଦ୍ଧମାନ କୌଣସି ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ୟବହାର କରୁନାହାନ୍ତି | ଫେସବୁକ, ଟ୍ୱିଟର, ଇନ୍ସଟାଗ୍ରାମରେ ଅଭିନନ୍ଦନଙ୍କ ଯେଉଁ ସବୁ ଆକାଉଣ୍ଟ ତିଆରି ହୋଇଛି ସେସବୁ ଫେକ ବୋଲି କହିଛି ଭାରତୀୟ ବାୟୁସେନା | କେବଳ ଏସବୁ ଆକାଉଣ୍ଟ ଫଲେ ନକରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିନନ୍ଦନଙ୍କ ନାଁରେ ନକଲି ଆକାଉଣ୍ଟ କ୍ରିଏଟ କରିବା ଅଭିଯୋଗରେ ଉତ୍ତର ପ୍ରଦେଶର ଜଣେ ଯୁବକକୁ ଗିରଫ କରିଛି ପୋଲିସ | ଏଥିରେ ଯୁବକ ଜଣକ ଅଭିନନ୍ଦନଙ୍କ ଆଇଡିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରଶଂସା କରିଥିଲା | ଏଭଳି ସ୍ଥିତିରେ ଆପଣମାନଙ୍କୁ ମଧ୍ୟ ସଚେତନ ହେବା ଦରକାର | ଯଦି ସୋସିଆଲ ମିଡ଼ିଆରେ ଅଭିନନ୍ଦନ ବର୍ଦ୍ଧମାନଙ୍କ ନାଁରେ କୌଣସି ଆକାଉଣ୍ଟ ମିଳେ ତାହେଲେ ଜାଣିଯିବେ ସେ ଏକ ନକଲି ଆକାଉଣ୍ଟ |
ଅଭିନନ୍ଦନଙ୍କ ନାଁରେ ନକଲି ଆକାଉଣ୍ଟ କ୍ରିଏଟ କରୁଥିବା ଲୋକଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ଦରକାର |