ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହ… ଲଦାଖ ସୀମାରେ ମୁତୟନ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡକୁ ବାୟୁସେନା ମୁଖ୍ୟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୬: ଚୀନ ଗୋଟିଏ ପଟେ ଭାରତ ସହ ଆଲୋଚନା କରିବାରେ ଲାଗିଥିବା ବେଳେ ଅନ୍ୟପଟେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ରେ ଶକ୍ତି ବଢ଼ାଇବାରେ ବ୍ୟସ୍ତ ରହିଛି। ଏହାରି ଭିତରେ ବାୟୁସେନା ମୁଖ୍ୟ ଲଦାଖ ସୁରକ୍ଷାରେ ମୁତୟନ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡ (WAC)କୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ କହିଛନ୍ତି । ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଆରକେ ଏସ୍‌ ଭଦୋରିଆ ଲଦାଖ ସୀମାରେ ଲାଗିରହିଥିବା ସ୍ଥିତg ମଧ୍ୟରେ ଡବ୍ଲୁଏସିର ମନୋବଳ ମଧ୍ୟ ବଢ଼ାଇଛନ୍ତି। ଏନେଇ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି।

ଆଇଏଏଫ୍‌ ମୁଖ୍ୟ ଡବ୍ଲୁଏସିର ଟପ୍‌ କମାଣ୍ଡରଙ୍କ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ଏହି ୟୁନିଟ୍‌ ଲଦାଖର ସମ୍ବେଦନଶୀଳ କ୍ଷେତ୍ର ଏବଂ ଉତ୍ତର ଭାରତର ଅନ୍ୟ ଭାଗରେ ମୁତୟନ ଅଛନ୍ତି। କମାଣ୍ଡରମାନଙ୍କୁ ସମସ୍ତ ପ୍ଲାଟଫର୍ମ, ଓ୍ବିପନ୍‌ ସିଷ୍ଟମ ଆଦିରେ ପୂରା ପ୍ରସ୍ତୁତ ରହିବାକୁ ଚିଫ୍‌ ଏୟାର ମାର୍ଶଲ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଶୁକ୍ରବାର ସମାପ୍ତ ହୋଇଥିବା ସମ୍ମଳନୀରେ କମାଣ୍ଡର ଉତ୍ତର ସୀମାରେ ଆସିବାକୁ ଥିବା ସୁରକ୍ଷା ଚ୍ୟାଲେଞ୍ଜ ଉପରେ ବିସ୍ତାର ଭାବେ ଆଲୋଚନା କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବିଶ୍ଳେଷଣ କରିବା, ଅଭିଯାନ ସମ୍ବନ୍ଧୀୟ ପ୍ରସ୍ତୁତିକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବାକୁ ଆଇଏଏଫ ମୁଖ୍ୟ ନିର୍ଦେଶ ମଧ୍ୟ ଦେଇଛନ୍ତି।

ବାୟୁସେନା ପକ୍ଷରୁ କୁହାଯାଇଛି, ‘ବାୟୁସେନା ମୁଖ୍ୟ କରୋନା ମହାମାରୀ ସତ୍ବେ ଉତ୍ତର ସୀମାରେ ମୁତୟନ ଡବ୍ଲଏସିକୁ ତ୍ବରିତ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।’ ଗତବର୍ଷ ପୂର୍ବ ଲଦାଖରେ ବିବାଦ ବଢ଼ିବା ପରେ ଭାରତୀୟ ବାୟୁସେନା ସୁଖୋଇ ୩୦ ଏମକେଆଇ, ଜାଗୁଆର ଏବଂ ମିରାଜ ୨୦୦୦ ଭଳି ଲଢ଼ୁଆ ବିମାନକୁ ମୁତୟନ କରିଥିଲା। ଏହା ବ୍ୟତୀତ ଏଲଏସିରେ ଥିବା ପ୍ରମୁଖ ବାୟୁସେନା ଘାଟିରେ ଲଢ଼ୁଆ ହେଲିକପ୍ଟର ମୁତୟନ କରିଥିଲା ବାୟୁସେନା। ବାୟୁସେନା ମୁଖ୍ୟ ଭଦୋରିଆ ଡବ୍ଲୁଏସିର ଉଡ଼ାଣ ସୁରକ୍ଷା ରେକର୍ଡକୁ ବି ପ୍ରଶଂସା କରିଛନ୍ତି। ଏହାସହ କମାଣ୍ଡରମାନେ ସକ୍ରିୟ ରହିବାକୁ ଆଗ୍ରହ ମଧ୍ୟ କରିଛନ୍ତି ଆଇଏଏଫ ମୁଖ୍ୟ ଭଦୋରିଆ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.