ଆଖି ଆଗରେ ଫାଶୀଖୁଣ୍ଟରେ ଝୁଲନ୍ତୁ ୪ଦୋଷୀ, ଏହା ଚାହାନ୍ତି ନିର୍ଭୟାଙ୍କ ମାଆ : ଲୋଡ଼ିବେ କୋର୍ଟଙ୍କ ଅନୁମତି

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ ୯/୧: ନିର୍ଭୟାଙ୍କ ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟ ଜାରି ହେବା ପରେ ସମସ୍ତେ ଖୁସି ଅଛନ୍ତି। ଗତକାଲି ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ଯେ ଦୋଷୀ ଜାନୁୟାରୀ ୨୨ତାରିଖ ଯାଏଁ ମୁକୁଳିବାକୁ ଯଥାସମ୍ଭବ ଉଦ୍ୟମ କରିବେ। ସେ ୭ବର୍ଷ ଯାଏଁ ସଂଘର୍ଷ କରି ଆସିଛନ୍ତି ଏବଂ ଜାନୁୟାରୀ ୨୧ତାରିଖ ଯାଏଁ ସଂଘର୍ଷ ଜାରି ରଖିବେ। ତାଙ୍କର ଏକ ବଡ଼ ଇଚ୍ଛା ରହିଛି। ହୁଏତ ଏହା ଆଇନ୍ ତରଫରୁ ସମ୍ଭବ ହୋଇନପାରେ କିନ୍ତୁ ଏଥିପାଇଁ ସେ ନିଶ୍ଚୟ ଉଦ୍ୟମ କରିବେ। ସେ ତାଙ୍କ ଝିଅଙ୍କ ଦୋଷୀଙ୍କୁ ନିଜ ଆଖି ସାମନାରେ ଫାଶୀ​ଖୁଣ୍ଟରେ ଝୁଲିବାକୁ ଦେଖିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ସେ ଜେଲ୍ ପ୍ରଶାସନ ଏବଂ କୋର୍ଟ ସମକ୍ଷରେ ଅନୁରୋଧ କରିବେ।

ଦିଲ୍ଲୀର ଦ୍ବାରକା ସେକ୍ଟର ସ୍ଥିତ ତାଙ୍କ ଆପାର୍ଟମେଣ୍ଟର ଦୃଶ୍ୟ ମଙ୍ଗଳବାର କିଛି ଅଲଗା ପ୍ରକାର ଥିଲା। କୋର୍ଟରୁ ନିର୍ଭୟାଙ୍କ ପରିବାରଲୋକଙ୍କ ଫେରିବାକୁ ୩ଘଣ୍ଟା ଯାଏଁ ଅପେକ୍ଷା କରିଥି​ଲେ ତାଙ୍କ ଆପାର୍ଟମେଣ୍ଟର ଲୋକେ। ରାତି ସାଢ଼େ ୯ଟାବେଳେ ସେମାନେ ଯେତେବେଳେ ଘରକୁ ଫେରିଥିଲେ,ସେତେବେଳେ ଲୋକେ ତାଙ୍କୁ ତାଳି ମାରି ସ୍ବାଗତ କରିଥିଲେ। ସେଠାରେ କ୍ୟାଣ୍ଡଲ୍ ମାର୍ଚ୍ଚ ବାହାରିଥିଲା। ଲୋକମାନେ ସରକାରଙ୍କୁ ଆପାର୍ଟମେଣ୍ଟର ସାମନା ଛକର ନାଁ ନିର୍ଭୟା ଛକ ରଖିବାକୁ ଦାବି କରିଥିଲେ। ରାତି ୧୨ଟା ଯାଏଁ ସେଠାରେ ଭିଡ଼ ଲାଗି ରହିଥିଲା।

ଆଶା ଦେବୀ କହିଛନ୍ତି,‘ଆପାର୍ଟମେଣ୍ଟର ଲୋକେ ବାହାରେ ମଧ୍ୟ ଏକ ବ୍ୟାନର ଲଗାଇଛନ୍ତି। ଏଥିରେ ଲେଖା ଅଛି- ଯେତେ ପର୍ଯ୍ୟନ୍ତ ୪ ଯୌନ ପିପାସୁଙ୍କୁ ଫାଶୀ ଦିଆଯାଇନାହିଁ ସେତେ ଦିନ ଯାଏଁ ପ୍ରତିଦିନ ରାତି ୮ଟାବେଳେ କ୍ୟାଣ୍ଡଲ ଶୋଭାଯାତ୍ରା ବାହାରିବ। ଲୋକଙ୍କ ଭଲ ପାଇବା ଦେଖି ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ସକାଳୁ ଲୋକଙ୍କ ଫୋନ୍ ଏବଂ ମ୍ୟାସେଜ ଆସୁଛି। ନ୍ୟାୟ ଯୁଦ୍ଧରେ ତାଙ୍କୁ ସାହାଯ୍ୟ କରିଥିବା ଲୋକଙ୍କ ପାଇଁ ତାଙ୍କ ପାଖରେ କୌଣସି ଶବ୍ଦ ନାହିଁ। ତାଙ୍କ ଅସଲ ଯୁଦ୍ଧ ୪ଜଣଙ୍କ ଫାଶୀ ପରେ ଆରମ୍ଭ ହେବ।’

ନିର୍ଭୟାଙ୍କ ଦୋଷୀଙ୍କ ଫାଶୀ ତାରିଖ ସ୍ଥିର ହେବା ପରେ ବୁଧବାର ଏସଡିଏମଙ୍କ ଉପସ୍ଥିତିରେ ୪ଜଣଙ୍କୁ ଫାଶୀର ନୋଟିସ୍ ଦିଆଯାଇଥିଲା। ତାଙ୍କୁ ଏହା ମଧ୍ୟ କୁହାଗଲା ଯେ ତାଙ୍କ ନାଁରେ କୌଣସି ସମ୍ପତ୍ତି ରହିଛି, ଯଦି ସେମାନେ କାହାକୁ ଦେବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ନାଁ କୁହନ୍ତୁ। ହସ୍ତାନ୍ତରଣ ପ୍ରକ୍ରିୟା ଏଠାରୁ ପୂରଣ କରିଦିଆଯିବ।

 ତିହାର ଜେଲରୁ ସୂଚନା ମିଳିଛି ଯେ ଫାଶୀ ତାରିଖ ସ୍ଥିର ହେବା ପରେ ମଙ୍ଗଳବାର ରାତିରେ ଅକ୍ଷୟ,ପବନ,ମୁକେଶ ଏବଂ ବିନୟ ଖାଇ ନାହାନ୍ତି। ବୁଧବାର ରାତିରେ ମଧ୍ୟ ସେମାନେ ଖାଇ ନଥିଲେ। ସେମାନେ ରାତିରେ ମଧ୍ୟ ଶୋଇପାରୁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.