'ପ୍ରେମ ବିବାହ କରି ମୁଁ ଭୁଲ୍ କରିଛି', ତାର କୁପରିଣାମ ଆଜି ଭୋଗୁଛି: ମିନାକ୍ଷୀ

Published By : Prameya-News7 Bureau | June 18, 2020 IST

କଟକ୧୮/୬: କରୋନା ସମୟରେ ଘରୋଇ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ଖୋଦ୍‌ ପୋଲିସ ଡିଜି କହିଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲାର ମିନାକ୍ଷୀ ଖିଲାର ସେହି ଅଞ୍ଚଳର ରଞ୍ଜିତ ଖିଲାରଙ୍କୁ ୨୦୧୨ ମସିହାରେ ପ୍ରେମ ବିବାହ କରିଥିଲେ। ହେଲେ ବିବାହ ପରେ ରଞ୍ଜିତ କୌଣସି କାମ କରୁ ନଥିବା ବେଳେ ମିନାକ୍ଷୀ ଏକ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଇ ପରିବାର ପୋଷୁଥିଲେ। ମିନାକ୍ଷୀଙ୍କ କହିବା ଅନୁସାରେ, ସ୍ବାମୀଙ୍କ ଏଭଳି କାର୍ଯ୍ୟକଳାପ ଦେଖି ସେ ତାଙ୍କଠାରୁ ଦୂରେଇ ରହୁଛନ୍ତି। ସାଙ୍ଗରେ ଗୋଟିଏ ଛୋଟ ପିଲା ମଧ୍ୟ ଅଛି।

ତେଣୁ ସ୍କୁଲରେ ଚାକିରି କରି ଯାହା ଟଙ୍କା ପାଆନ୍ତି, ସେଥିରେ ମାଆ- ଛୁଆ ୨ ପ୍ରାଣୀ କୁଟୁମ୍ବ ଚଳନ୍ତି। ହେଲେ ସ୍ବାମୀ ରଞ୍ଜିତ ଖିଲାର ତାଙ୍କୁ ବାରମ୍ବାର ଟଙ୍କା ମାଗିବା ସହ ମିନାକ୍ଷୀଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆକାଉଣ୍ଟ ଖୋଲି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ସେ ଅଭିଯୋଗ କରିଛନ୍ତି। ମିନାକ୍ଷୀ କହିଛନ୍ତି ଯେ, ମୁଁ ପ୍ରେମ ବିବାହ କରି ଭୁଲ କରିଛି। ଘର ଲୋକଙ୍କ କଥା ନ ମାନି ତାଙ୍କୁ ବାହା ହେବା ତାଙ୍କର ଭୁଲ୍ ନିଷ୍ପତ୍ତି ଥିଲା ବୋଲି ମିନାକ୍ଷୀ କହିଛନ୍ତି।

ହେଲେ ଟଙ୍କା ପାଇଁ ରଞ୍ଜିତ ତାଙ୍କୁ ବହୁବାର ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଗତକାଲି ଘରେ କେହି ନଥିବା ବେଳେ ରଞ୍ଜିତ ମିନାକ୍ଷୀଙ୍କୁ ବାଉଁଶରେ ମାରି ମୁଣ୍ଡ ଫଟାଇ ଦେବା ସହ ହାତ ମଧ୍ୟ ଭାଙ୍ଗି ଦେଇଥିଲା। ତେବେ ଗୁରୁତୁର ଅବସ୍ଥାରେ ତାଙ୍କୁ ଏସ.ସି.ବି ମେଡିକାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଅନୁଗୁଳର ଜାରପଡା ଥାନା ପୋଲିସ ଅଭିଯୋଗ ରଖୁ ନାହିଁ କି ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମିନାକ୍ଷୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମିନାକ୍ଷୀ କଟକ ଏସ୍‌,ସି ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.