୧୯୧୮ରେ ଦେଖିଥିଲେ ସ୍ପାନିଶ୍ ଫ୍ଲୁ, ୧୦୬ ବର୍ଷ ବୟସରେ କରୋନାକୁ ଦେଲେ ମାତ୍, କହିଲେ- ଏମିତି ମହାମାରୀ ଜୀବନରେ ଦେଖିନଥିଲି
8/07/2020 at 10:21 PM

ନୂଆଦିଲ୍ଲୀ ୦୮।୦୭: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସାଙ୍ଘାତିକ ଭାବେ ବଢି ଚାଲିଛି। ଦିନକୁ ହଜାର ହଜାର ସଂଖ୍ୟକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିନ୍ତୁ ଏହିସବୁ ମଧ୍ୟରେ ଜଣେ ୧୦୬ ବର୍ଷୀୟ ବୃଦ୍ଧ କରୋନାରୁ ସୁସ୍ଥ ହେବା ସଭିଙ୍କ ଲାଗି ଆଶ୍ଵସ୍ତିକର ବିଷୟ ହୋଇଛି। ଦିଲ୍ଲୀର ୧୦୬ ବର୍ଷୀୟ ମୁଖତାର ଅହମ୍ମଦ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି। ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ କେବେ ବି ଭାବିନଥିଲେ ଯେ, ଏପରି ପରିଣତି ବୟସରେ ବି କରୋନା ପରି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରିବେ।
ସେ କହିଛନ୍ତି ଯେ, ମୋତେ ଯେତେବେଳେ ୪ ବର୍ଷ ବୟସ୍ ହୋଇଥିଲା, ୧୯୧୮ରେ ସ୍ପାନିଶ୍ ଫ୍ଲୁ ଦେଖିଛି। ସେହି ଦିନଠୁ ନିଜର ଜୀବନକାଳରେ ଅନେକ ମହାମାରୀ ଦେଖିଛି। କିନ୍ତୁ କରୋନା ପରି ସ୍ଥିତି ଜୀବନକାଳରେ କେବେ ବି ଦେଖିନାହିଁ। କରୋନାରେ ସଂକ୍ରମଣ ହେବା ପରେ ମୁଁ ବଞ୍ଚିବା ଆଶା ଛାଡି ଦେଇଥିଲି। ଏହି ପରି ପରିଣତି ବୟସରେ କିଏ ବା ବଞ୍ଚିବାର ଆଶା ରଖି ପାରିବ। କିନ୍ତୁ ଉପଯୁକ୍ତ ଚିକିତ୍ସା ବଳରେ ମୁଁ କରୋନା ରୋଗରୁ ଆରୋଗ୍ୟ ହୋଇ ପାରିଛି ବୋଲି ମୁଖତାର ଅହମ୍ମଦ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ସେ ଏହି ଦୁରାଗ୍ୟ ରୋଗରୁ ଭଲ ହେବେ ବୋଲି କେବେ ବି ଆଶା ରଖିନଥିଲେ। କିନ୍ତୁ ଉପଯୁକ୍ତି ଚିକିତ୍ସା କାରଣରୁ ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ ଦିଲ୍ଲୀରେ ବୁଧବାର ୨୦୩୩ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ପରି କରୋନାରେ ୪୮ ଜଣଙ୍କ ପ୍ରାଣହାନୀ ଘଟିଛି। ଅନ୍ୟପକ୍ଷେ ୩୯୮୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ଅଦ୍ୟାବଧି ସଂକ୍ରମିତ ସଂଖ୍ୟା ୧୦୪୮୬୪ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୭୮,୧୯୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ସଂକ୍ରମଣରେ ମୃତ୍ୟୁ ଘଟିଥିବା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୧୩ ହୋଇଛି। ଅଦ୍ୟାବଧି ଆକ୍ଟିଭ୍ କେସ୍ ସଂଖ୍ୟା ୨୩୪୫୨ ରହିଛି।