ନିଜର କ୍ଷୋଭ ପ୍ରକାଶ କଲେ ଅନୁଭବ, କହିଲେ- ମୁଁ ଆଜି ପର୍ଯ୍ୟନ୍ତ ଚୁପ ରହିଥିଲି, କିନ୍ତୁ ଆଉ ଚୁପ ରହିବି ନାହିଁ
14/12/2020 at 10:00 PM

ଭୁବନେଶ୍ଵର ୧୪।୧୨: ଓଲିଉଡ଼ର ସୁପରଷ୍ଟାର କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଏକ ଭିଡିଓ ଜାରି କରି ନିଜର କ୍ଷୋଭ ଜାରି କରିଛନ୍ତି। ଯେଉଁଥିରେ ସେ କାହାରି ନାଁ ନେଇଥିଲେ ମଧ୍ୟ ତାଙ୍କୁ ଏବଂ ତାଙ୍କ ଫ୍ୟାନଙ୍କୁ ଆକ୍ଷେପ କରାଯାଉଥିବା ସଂପର୍କରେ କହିଛନ୍ତି। ସେ କହିଛନ୍ତି ମୋର ଅଗଣିତ ଫ୍ୟାନ ମୋର ପରିବାର। ସେ ପରିବାର ମୋ ପାଇଁ ଖୁବ ମୂଲ୍ୟ ରଖନ୍ତି। ତେଣୁ ମୋ ପରିବାରର ସଦସ୍ୟଙ୍କ ପାଇଁ ଠିଆ ହେବାକୁ ମୋ ବାପା ମା ମୋତେ ଶିଖାଇଛନ୍ତି।
ସେ କହିଛନ୍ତି ଯେ ଯେଉଁମାନଙ୍କର ମୋ ପ୍ରତି କିଛି ଆକ୍ରୋଶ ରହିଛି ସେମାନେ ମୋ ସହିତ ଲଢନ୍ତୁ ଏହାର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି। ତେବେ ସେ ହାତ ଯୋଡ଼ି କହିଛନ୍ତି ଯେ ତାଙ୍କ ଫ୍ୟାନଙ୍କ ପ୍ରତି କୌଣସି ଆକ୍ଷେପ ନ କରାଯାଉ। ୬ ମିନିଟର ଏକ ଭିଡିଓ ଜାରି କରି ଅନୁଭବ କହିଛନ୍ତି ଯେ ନାରୀଙ୍କୁ ସମ୍ମାନ ଦେବା ଲାଗି ସମାଜ ସବୁବେଳେ ଶିକ୍ଷା ଦେଇଥାଏ, ତେବେ ପୁରୁଷଙ୍କର ସମ୍ମାନ ପ୍ରତି ମଧ୍ୟ ସମସ୍ତେ ଦାୟିତ୍ଵବାନ ହେବା ଉଚିତ। ମୁଁ ଆଜି ପର୍ଯ୍ୟନ୍ତ ଚୁପ ରହିଥିଲି, କିନ୍ତୁ ଆଉ ଚୁପ ରହିବ ନାହିଁ। ମୋତେ କ୍ଷତି ପହଞ୍ଚାଇବା ପାଇଁ ମୋ ଫ୍ୟାନଙ୍କୁ ଯଦି ବ୍ୟବହାର କରାଯାଏ ତେବେ ମୁଁ ତାକୁ ଆଦୌ ବରଦାସ୍ତ କରିପାରିବି ନାହିଁ ବୋଲି ଅନୁଭବ କହିଛନ୍ତି।

ପତ୍ନୀ ବର୍ଷାଙ୍କ ସହିତ ବୈବାହିକ ମାମଲାରେ ଛନ୍ଦି ହୋଇଥିବା ସାଂସଦ ଅନୁଭବ ମହାନ୍ତି ନିକଟରେ ଦିଲ୍ଲୀର ଜଣେ ସାମ୍ବାଦିକଙ୍କ ସହିତ ଫଟୋକୁ ନେଇ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ। ସଂପୃକ୍ତ ମହିଳା ସାମ୍ବାଦିକ ଗତକାଲି ସୋସିଆଲ ମିଡିଆରେ ଏକ ବବୃତି ରଖିଥିଲେ ଯେ ଅନୁଭବ ହେଉଛନ୍ତି ତାଙ୍କ ସାଙ୍ଗ। ତାଙ୍କୁ ଅଜଥା ଆକ୍ଷେପ କଲେ ସେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବେ। ଆସନ୍ତୁ ଶୁଣିବା କଣ କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।