ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସାକୁ ନେଇ କହିଲେ ଯୋଗେନ୍ଦ୍ର ଯାଦବ- ମୁଁ ନିଜକୁ ଲଜ୍ଜିତ ଅନୁଭବ କରୁଛି ଓ ଘଟଣା ପାଇଁ ନିଜକୁ ଦାୟୀ କରୁଛି
26/01/2021 at 10:53 PM

ନୂଆଦିଲ୍ଲୀ ୨୬।୦୧: ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ହିଂସାକାଣ୍ଡରେ ପରିଣତ ହୋଇଛି। ରାଜଧାନୀର ଅନେକ ଅଞ୍ଚଳରେ କୃଷକଙ୍କ ହିଂସାକାଣ୍ଡ ଏବଂ ଅରାଜକତା ଦେଖିବାକୁ ମିଳିଛି। ଦେଶକୁ ମର୍ମାହତ କରିଥିବା ଏହି ନିନ୍ଦନୀୟ ଘଟଣାକୁ ନେଇ ସ୍ଵରାଜ ଇଣ୍ଡିଆର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ କହିଛନ୍ତି କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାରେ ଯାହା କିଛି ଘଟିଲା ତାକୁ ନେଇ ସେ ଲଜ୍ଜିତ। ଏଥିପାଇଁ ସେ ନିଜକୁ ଦାୟୀ କରିଛନ୍ତି।
ସେ କହିଛନ୍ତି ପ୍ରଦର୍ଶନରେ ଅଂଶ ନେଇଥିବାରୁ ଏବଂ ମଙ୍ଗଳବାର ଯାହା କିଛି ଘଟିଲା ତାକୁ ନେଇ ସେ ଲଜ୍ଜା ଅନୁଭବ କରୁଛନ୍ତି। ଯାଦବ ଏକ ଟିଭି ଚ୍ୟାନେଲରେ କହିଛନ୍ତି, ହିଂସା କୌଣସି ବି ଆନ୍ଦୋଳନ ଉପରେ ଭୁଲ୍ ପ୍ରଭାବ ପକାଇଥାଏ। ମୁଁ ବର୍ତ୍ତମାନ କହି ପାରିବି ନାହିଁ ଯେ, ଏହି ହିଂସାକାଣ୍ଡ କିଏ କରିଛି ଏବଂ କିଏ କରି ନାହିଁ। ମାତ୍ର ପ୍ରଥମ ଦୃଷ୍ଟତାରୁ ଏହା ଲାଗୁଛି ଯେ, ଏହା ସେହି ଲୋକେ କରିଛନ୍ତି, ଯେଉଁମାନଙ୍କୁ ଆମେ କୃଷକ ଆନ୍ଦୋଳନ ସମୟରେ ବାହାରେ ରଖିଥିଲୁ।
ଏକ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ ସେ କହିଛନ୍ତି, ମୁଁ ବାରମ୍ବାର ନିର୍ଦ୍ଧାରିତ ରୁଟ୍ରେ ଯିବାକୁ ଅପିଲ୍ କରିଥିଲି ଏବଂ ନିୟମରୁ ନିବୃତ୍ତ ନହେବାକୁ ଅନୁରୋଧ କରିଥିଲି। ଯଦି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲେ, ତେବେ ଆମେ ଜିତିବାରେ ସଫଳ ହେବୁ।
ମଙ୍ଗଳବାର ହଜାର ହଜାର ସଂଖ୍ୟାରେ କୃଷକ ଏବଂ ପୋଲିସ ମଧ୍ୟରେ ଦିଲ୍ଲୀର ଅନେକ ଅଞ୍ଚଳରେ ସଂଘର୍ଷ ଘଟିଛି। ଦୀର୍ଘ ଦୁଇ ମାସ ଧରି ସିଙ୍ଘୁ ବର୍ଡରରେ ଏବଂ ଦିଲ୍ଲୀର ଅନ୍ୟ ସୀମାରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ କୃଷକ ନିର୍ଦ୍ଧାରିତ ରୁଟ୍ରେ ନଯାଇ ଦିଲ୍ଲୀର ଅନେକ ଅଞ୍ଚଳରେ ପଶି ଅରାଜକତା ଏବଂ ହିଂସାକାଣ୍ଡ କରିଥିଲେ। ବ୍ୟାରିକେଡ୍ ଭାଙ୍ଗି ରାଜଧାନୀର ଅନ୍ୟ ଅଞ୍ଚଳରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଟ୍ରାକ୍ଟର ସହ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ।
କେବଳ ଏତିକି ନୁହେଁ କୃଷକମାନେ ଉଗ୍ରବାଦୀଙ୍କ ପରି ଲାଲକିକ୍ଲାକୁ ଦଖଲ କରି ଦୀର୍ଘ ସମୟ ଧରି ଉତ୍ପାତ କରିଥିଲେ। ଯେଉଁ ଲାଲକିଲ୍ଲା ପ୍ରାଚୀରରୁ ସ୍ଵାଧୀନତା ଦିବସରେ ଜାତୀୟ ପତାକା ତ୍ରିରଙ୍ଗା ଫର ଫର ହୋଇଉଡେ ଏବଂ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି ସେଠାରେ କୃଷକ ନିଜ ପତାକା ଉଡାଇଛନ୍ତି। କୃଷକଙ୍କ ଆଜିର ଅରାଜକତା ସମଗ୍ର ଦେଶକୁ ବ୍ୟଥିତ କରିଛି।
କୃଷକ ନେତାମାନେ କହିଛନ୍ତି ଯେ, ଟ୍ରାକ୍ଟର ଶୋଭାଯାତ୍ରାରେ କିଛି ବାହାର ଲୋଲ ପଶି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଛନ୍ତି। ଆନ୍ଦୋଳନକୁ ନିଷ୍ଫଳ କରିବାଲାଗି ଏକ ଷଡଯନ୍ତ୍ର ସ୍ଵରୂପ କୃଷକଙ୍କ ନାମରେ ହିଂସାକାଣ୍ଡ କରିଛନ୍ତି ବୋଲି କୃଷକ ନେତା କହିଛନ୍ତି।