ସତ ଓଗାଳୁଛନ୍ତି ପିଟର: ଆକାଶ ପାଠକଙ୍କ ଏତେ କଳା କାରନାମା ଜାଣିନଥିଲି, ଜୁମ୍‌ରେ ହେଉଥିଲା ଇଣ୍ଟରଭ୍ୟୁ, କେବେ ବି ମୋତେ ଟାଟା ମୋଟର୍ସ ନେଇନଥିଲେ

Published By : Prameya-News7 Bureau | December 07, 2020 IST

ଭୁବନେଶ୍ଵର ୦୭।୧୨: ବାପର ବେଆଇନ ଅର୍ଥରେ ଅୟସ କରୁଥିବା ଏବଂ ଟାଟା ମୋଟର୍ସର ଏମଡି କହି ନିଯୁକ୍ତି ଦେବା ନାଁରେ ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ଅପରାଧରେ ଆକାଶ ପାଠକ ଏବେ ଝାରପଡାରେ ଜେଲ୍‌ରେ। ଭିଜିଲାନ୍ସର ରିମାଣ୍ଡ ଅବଧି ଶେଷ ହେବା ପରେ ଗତକାଲି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଜେଲ୍‌କୁ ପଠାଇ ଦେଇଛନ୍ତି। ସେପଟେ ମୁମ୍ବାଇରୁ ଆଣି କ୍ରାଇମବ୍ରାଞ୍ଚ ଆକାଶଙ୍କ ପର୍ସନାଲ ଆସିଷ୍ଟାଣ୍ଡ ଡେଭିଡ୍ ପିଟରଙ୍କୁ ଜେରା କରୁଛି। ଯେତିକି ଜେରା ହେଉଛି ପିଟର ସେତିକି ଖୁଲାସା କରି ଚାଲିଛନ୍ତି। ଆଜି ହୋଇଥିବା ପଚରା ଉଚୁରାରେ ପିଟର ଅନେକ ଖୁଲାସା କରିଛନ୍ତି।

ଡେଭିଡ ପିଟର କହିଛନ୍ତି ଆକାଶ ପାଠକଙ୍କ ଏତେ କଳା କାରନାମା ଥିଲା ବୋଲି ମୁଁ ଜାଣିନଥିଲି। ମୋତେ କହିଥିଲେ ଟାଟା ମୋଟର୍ସକୁ ନେବାକୁ କିନ୍ତୁ କେବେ ନେଇନଥିଲେ। ଖାଲି କହୁଥିଲେ ତୁମେ ଘର କାମ ପାଇଁ ଅଛ। ମୋତେ ଏବେ ଜଣାପଡିଲା ଗୋଲ ଚକ୍କର ଭିତରେ ମୁଁ ଫସିଯାଇଛି। ବସ୍ ହିସାବରେ ସେ ଯାହା କହୁଥିଲେ ମୁଁ ସେଇୟା କରୁଥିଲି। ବର୍ତ୍ତମାନ ମୋତେ ଡର ଲାଗୁଛି, ମୁଁ ଏମିତି ଜାଗାରେ ଫସିଯାଇଛି ମୋର ଭବିଷ୍ୟତ କଥା ମୁଁ ଜାଣିନି  ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ମୁମ୍ବାଇର ଓ୍ବାଟର୍ସ ଆପାର୍ଟମେଣ୍ଟରେ ଅଫିସ୍ ଖୋଲା ଯାଇଥିବା ବେଳେ ଆକାଶ ପାଠକ ହୋଟେଲ୍‌ ତାଜ୍‌ରେ ରହୁଥିଲେ। ବର୍ଷେ ଭିତରେ ସେ ୧୫ ଥର ତାଜ ହୋଟେଲ୍‌ରେ ରହିଥିଲେ। ସେ ସଂପୂର୍ଣ୍ଣ ବିଳାସବ୍ୟସନ ଜୀବନ ଅତିବାହିତ କରୁଥିଲେ। ଚାକିରି ପାଇଁ ଆଶାୟୀଙ୍କ ତାଲିକା ମେଲ୍‌ ଜରିଆରେ ଆସୁଥିଲା  ବୋଲି ପିଟର ଜେରା ବେଳେ କହିଛି।

ପିଟର କହିଛି ଯେ, ଜୁମ୍ ଆପ୍ ଜରିଆରେ ଆଶାୟୀଙ୍କ ସାକ୍ଷାତକାର ନିଆଯାଉଥିଲା। ଟ୍ରେନିଂ ଦେବା ନାଁରେ ୫ ଜଣଙ୍କୁ ରଖାଯାଇଥିଲା। ନିଜ ସୁରକ୍ଷା ପାଇଁ ଆକାଶ ପାଠକ ବାଉନ୍ସର ରଖିଥିଲେ। ତାଙ୍କ ପରିବାର ଲୋକ ନିୟମିତ ମୁମ୍ବାଇ ଆସୁଥିଲେ। ଆକାଶଙ୍କ ପାଖକୁ ବାପା-ମା ସହିତ ଏପରିକି ଭାବୀ ଶାଶୂ-ଶ୍ବଶୁର ମଧ୍ୟ ଆସୁଥିଲେ ବୋଲି ପିଟର କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କ୍ରାଇମବ୍ରାଞ୍ଚ ଡେଭିଡ୍ ପିଟରଙ୍କୁ ଜେରା କରିଥିଲା। ଆକାଶଙ୍କ ସହ ପିଟରଙ୍କର ସମ୍ପର୍କ କେତେ ଦିନର ?  ଆକାଶଙ୍କ ବିଜନେସ ସହିତ ପିଟର କେତେ ସଂପୃକ୍ତ? ଅକାଶ ପୁଳାପୁଳା ଟଙ୍କା କେଉଁଠୁ ଆଣିଲେ ? ଆକାଶ ଟଙ୍କା କେଉଁଠି କେଉଁଠି ଖଟାଇଛନ୍ତି ?  ଅକାଶଙ୍କ କିଏ କିଏ ଯୋଗାଯୋଗରେ ଥିଲେ ? ଏମିତି ଘନ ଘନ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ତିଳେମାତ୍ର ବିଳମ୍ବ ନକରି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଡେଭିଡ ପିଟର। ଏପରିକି ପ୍ରଦୀପ ପାଣିଗ୍ରାହୀଙ୍କ ସହ ଟଙ୍କା କାରବାର ଉପରେ ମଧ୍ୟ କିଛି ତଥ୍ୟ ରଖିଥିବା ଜଣାପଡିଛି । ପିଟର ଅଧିକାଂଶ ସମୟରେ ଆକାଶଙ୍କ ପାଖରେ ଛାଇ ଭଳି ରହୁଥିଲେ । ତେଣୁ ଆକାଶଙ୍କ ଜାଲିଆତିର ଜାଲ ସୂତା କ୍ରାଇମବ୍ରାଞ୍ଚ ଆଗରେ ଖୋଲିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.