'ମୁଁ ବିଷ୍ଣୁଙ୍କ ଦଶମ ଅବତାର ,୧୬ ଲକ୍ଷ ଟଙ୍କା ଦରମା ନ ଦେଲେ ଅଭିଶାପ ଦେବି, ମରୁଡି ହେବ'-ଅଧିକାରୀଙ୍କ ଦାବି

Published By : Prameya-News7 Bureau | July 05, 2021 IST

ଅହମଦାବାଦ ୦୫/୦୭ : ଗୁଜରାଟ ସରକାରଙ୍କ ଜଣେ ଅଧିକାରୀ ଅଜବ ବୟାନ ଦେଇଛନ୍ତି। ଅଧିକାରୀ ଜଣକ ଦାବି କରିଛନ୍ତି ଯେ ସେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ଏବଂ ସେ ଅଫିସ ଆସିପାରିବେ ନାହିଁ କାରଣ ସେ ବିଶ୍ୱର ଅନ୍ତଃ କରଣ ବଦଳାଇବାକୁ ତପସ୍ୟା କରୁଛନ୍ତି। ପୂର୍ବତନ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କୁ ୧୬ ଲକ୍ଷ ଟଙ୍କା ଦରମା ଏବଂ ଗ୍ରାଚ୍ୟୁଇଟି ନ ଦିଆଯାଏ ତେବେ ସେ ମରୁଡ଼ି ସହିତ ରାଜ୍ୟକୁ ଅଭିଶାପ ଦେବେ।

ସରଦାର ସରୋବର ପୁନର୍ବାସ ଏଜେନ୍ସିର ଇଞ୍ଜିନିୟର ରମେଶ ଚନ୍ଦ୍ର ଫେଫର କାରଣ ନୋଟିସ (ଶୋ କଜ ନୋଟିସ)ର ଜବାବ ଦେଇ କହିଛନ୍ତି ଯେ ତାଙ୍କ ତପସ୍ୟା ଯୋଗୁଁ ଦେଶରେ ଭଲ ବର୍ଷା ହେଉଛି। ଫେଫରଙ୍କୁ ଜାରି କରାଯାଇଥିବା ନୋଟିସ ଓ ତାଙ୍କ ଅଜବ ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଜୁଲାଇ ୧ରେ ସରକାରଙ୍କ ଜଳ ସମ୍ପଦ ବିଭାଗରୁ ଟଙ୍କା ମାଗି ଫେଫର ସଚିବଙ୍କୁ ଚିଠି ଲେଖି କହିଥିଲେ ଯେ ସରକାରୀ କାର୍ଯ୍ୟାଳୟରେ ବସିଥିବା ତାଙ୍କ ବିରୋଧୀ ଅଧିକାରୀ ତାଙ୍କ ଦରମା ଏବଂ ଗ୍ରାଚ୍ୟୁଇଟିକୁ ଅଟକାଇ ତାଙ୍କୁ ହଇରାଣ କରୁଛନ୍ତି। ଏହିଭଳି "ନିର୍ଯ୍ୟାତନା" ହେତୁ ସେ ବର୍ତ୍ତମାନ ଗୁଜୁରାଟରେ ମରୁଡ଼ି ଆଣିବେ କାରଣ ସେ "ଭଗବାନ ବିଷ୍ଣୁଙ୍କ ଦଶମ ଅବତାର" ବୋଲି ସେ କହିଛନ୍ତି।

ଫେଫରଙ୍କ ଚିଠିରେ ଲେଖିଛନ୍ତି ଯେ, "ଗୋଟିଏ ବର୍ଷର ଦରମା ପାଇଁ ଗୁଜରାଟ ସରକାର ମୋତେ ପ୍ରାୟ ୧୬ ଲକ୍ଷ ଟଙ୍କା ଦରମା ଦେଇଛନ୍ତି। ଏହି କରୋନା ସମୟରେ ମୁଁ ସମସ୍ତଙ୍କ ପରି ଘରୁ କାମ କରିଆସୁଛି।"

ଫେଫର ନିଜର ରାଜକୋଟ ସ୍ଥିତ ବାସଭବନରେ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଯେ 'ଆପଣ ବିଶ୍ୱାସ କରିବେନି। କିନ୍ତୁ ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ଏବଂ ଆଗାମୀ ଦିନରେ ମୁଁ ଏହା ପ୍ରମାଣ କରିବି। ୨୦୧୦ ମାର୍ଚ୍ଚରେ ମୁଁ ଅଫିସରେ ଥିବାବେଳେ ମୋତେ ଅନୁଭୂତ ହେଲା ଯେ ମୁଁ କଳ୍କୀ ଅବତାର। ସେବେଠାରୁ ମୋ ପାଖରେ ଦିବ୍ୟ ଶକ୍ତି ଅଛି।'

ଫେଫର ଏହା ମଧ୍ୟ ଦାବି କରିଛନ୍ତି ଯେ କରୋନା ଭାଇରସର ବର୍ତ୍ତମାନର ସଙ୍କଟ ସେ ହିଁ ଆଣିଛନ୍ତି ଏବଂ ଏଥିରୁ କେହି ରକ୍ଷା ପାଇପାରିବେ ନାହିଁ। ଏହାକୁ ମାରିବା ପାଇଁ କେବଳ ଗୋଟିଏ ଉପଚାର ଅଛି, "ହଜାରେ ଥର ସୀତାରାମ ମନ୍ତ୍ର ଜପ କରନ୍ତୁ।"

୩ ଦିନ ପୂର୍ବରୁ ଏଜେନ୍ସି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ୫୦ ବର୍ଷୀୟ ଫେଫର କାରଣ ଦର୍ଶାଅ ନୋଟିସର ଜବାବରେ କହିଛନ୍ତି ଯେ ସେ ଅଫିସ ଆସିପାରିବେନି କାରଣ ମୁଁ ତପସ୍ୟାରେ ଲୀନ ଅଛି। ଆଗକୁ ସେ କହିଲେ ଯେ ବିଶ୍ୱ ଅନ୍ତଃ କରଣର ପରିବର୍ତ୍ତନ ପାଇଁ ନିଜ ଘରେ ତପସ୍ୟା କରୁଛି। ମୁଁ ଅଫିସରେ ବସି ଏହିଭଳି ତପସ୍ୟା କରିପାରିବିନି।

ସେ ଦାବି କରିଛନ୍ତି ଯେ ତାଙ୍କ ତପସ୍ୟା ଯୋଗୁଁ ହିଁ ଭାରତରେ ଗତ ୧୯ ବର୍ଷ ହେଲା ଭଲ ବର୍ଷା ହେଉଛି। ସେ କହିଛନ୍ତି ବର୍ତ୍ତମାନ ଏଜେନ୍ସି ବିଚାର କରିବା ଉଚିତ ଯେ ମୋତେ ଅଫିସରେ ବସାଇ ଟାଇମ ପାସ କରାଇବା ବେଶୀ ମହତ୍ତ୍ୱପୂର୍ଣ୍ଣ ନା ଦେଶକୁ ମରୁଡିରୁ ରକ୍ଷା କରିବାକୁ କିଛି ପଦକ୍ଷେପ ନେବା ଉଚିତ। ସେ କହିଛନ୍ତି ଯେ ସେ କଳ୍କୀ ଅବତାର ସେଥିପାଇଁ ଭାରତରେ ଭଲ ବର୍ଷା ହେଉଛି।

ନୋଟିସ ଅନୁଯାୟୀ, ଫେଫର ଗତ ୮ ମାସ ମଧ୍ୟରେ ବଡୋଦରା ସ୍ଥିତ ଅଫିସକୁ ମାତ୍ର ୧୬ ଦିନ ଯାଇଛନ୍ତି। ଗେଜେଟ ଅଫିସର ଏହିଭଳି ଅନଧିକୃତ ଭାବେ ଅନୁପାଷ୍ଟଜିତ ରହିବା ଶୋଭା ଡ଼ିଏନହିଁ ବୋଲି ନୋଟିସରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.