ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ : ଇମ୍ରାନ

Published By : Prameya-News7 Bureau | March 04, 2019 IST

ଇସଲାମାବାଦ ୪|୩ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, ସେ ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଯୋଗ୍ୟ ନୁହଁନ୍ତି । ସେହିଛନ୍ତି ଯେ, ଯିଏ କାଶ୍ମୀର ତଥା କାଶ୍ମୀର ଲୋକଙ୍କ ଇଚ୍ଛା ଅନୁସାରେ କାମ କରି କାଶ୍ମୀର ବିବାଦର ସମାଧାନ କରିବ ସେ ହିଁ ନୋବେଲ ପୁରସ୍କାର ପାଇବା ପାଇଁ ଯୋଗ୍ୟ । କାଶ୍ମୀର ସମସ୍ୟାର ସମାଧାନ ହେଲେ ଭାରତ ଏବଂ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସମୃଦ୍ଧିର ବାଟ ଫିଟିବ ।

ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ କରିଥିଲା ଭାରତ । ଏହି ଏୟାରଷ୍ଟ୍ରାଇକ ପରେ ଭାରତୀୟ ବାୟୁସୀମାକୁ ପଶିଆସିଥିଲା ପାକ୍ ବିମାନ । ଆଉ ତାହାର ମୁକାବିଲା କରୁ କରୁ ଭାରତୀୟ ବାୟୁସେନାର ଏକ ବିମାନ ପାକିସ୍ତାନ ସୀମାରେ ଖସିପଡିଥିଲା । ଫଳରେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନରେ ଖଲିପଡିଥିଲେ । ସେଠାରେ ସେ ପାକ୍ ସେନା ହାତରେ ଧରାପଡିଯାଇଥିଲେ । ଆଉ ତା’ପରେ ଅନ୍ତର୍ଜାତୀୟ ଚାପ ପରେ ପାକିସ୍ତାନ ୱିଙ୍ଗ୍ କମାଣ୍ଡରଙ୍କୁ ଫେରାଇଥିଲା । ଅଭିନନ୍ଦନଙ୍କୁ ଫେରାଇବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ଦାବି ହୋଇଥିଲା । ପାକ୍ ସଂସଦରେ ଇମ୍ରାନଙ୍କୁ ନୋବେଲ ଶାନ୍ତି ପୁରସସ୍କାର ଦେବା ପାଇଁ ସାଂସଦମାନେ ଦାବି କରିଥିଲେ । ସଂସଦରେ ଏହି ପ୍ରସ୍ତାବ ପାରିତ କରାଯାଇଥିଲା ଏବଂ କୁହାଯାଇଥିଲା କି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପ୍ରୟାଶ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍ ।

ସୂଚନା ମନ୍ତ୍ରୀ ଫବାଦ ଚୌଧରୀ ଗତ ଶନିବାର ଦିନ ସଂସଦରେ ଏହି ପ୍ରସ୍ତାବ ଆଣିଥିଲେ ।  ପ୍ରସ୍ତାବରେ କୁହାଯାଇଥିଲା ଯେ, ଭାରତୀୟ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଛାଡିବା ନିଷ୍ପତ୍ତି ଫଳରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ତିକ୍ତତା ଦୂର ହୋଇଛି । ପ୍ରସ୍ତାବ ଅନୁଯାୟୀ ଇମ୍ରାନ ଏଭଳି ଉତ୍ତେଜନାମୂଳକ ପରିସ୍ଥିତିରେ ସେ ଏଭଳି ସମସ୍ୟାକୁ ଦାୟିତ୍ବର ସହ ସମାଧାନ କରିଦେଲେ । ତାଙ୍କର ଏଭଳି ଦାୟିତ୍ବ ସଂପନ୍ନତା ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ କରୁଛି ।

ଏହି ପ୍ରସ୍ତାବ ଉପରେ ସୋମବାର ବିଚାର ହେବାକୁ ଥିଲା । ମାତ୍ର ଇମ୍ରାନ କହିଛନ୍ତି ଯେ, ସେ ନୋବେଲ ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.