'ମୁଁ ସୈନିକ ଅଟେ, ମୋତେ ଦିଲ୍ଲୀ-ମୁମ୍ବାଇ ନୁହେଁ, ବର୍ଡରରେ ରହିବା ଉଚିତ୍'- କର୍ମରୁ ନୁହେଁ ମନରୁ ମଧ୍ୟ ଫୌଜୀ ଥିଲେ ଜେନେରାଲ ବିପିନ ରାଓ୍ଵତ

Published By : Prameya-News7 Bureau | December 08, 2021 IST

ଭୋପାଳ ୦୮।୧୨: ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ଵତଙ୍କ ମୃତ୍ୟୁ ଘଟିଛି। ରାଓ୍ଵତ କେବଳ କର୍ମରୁ ନୁହେଁ, ମନରୁ ମଧ୍ୟ ସଂପୂର୍ଣ୍ଣ ଫୌଜୀ ଥିଲେ। ସେ କେବେ ବି ନିଶ୍ଚିତ ହୋଇ ଗୋଟିଏ ଜାଗାରେ ବସିବାକୁ ଚାହୁଁନଥିଲେ। ସେ ଦିଲ୍ଲୀ-ମୁମ୍ବାଇ ପରି ସହରରେ ପୋଷ୍ଟିଂ ହୋଇ ଆରାମ ଦାୟକ ଜୀବନ ଚାହୁଁନଥିଲେ। ପ୍ରତି ସମୟରେ ତାଙ୍କର ଇଚ୍ଛା ରହୁଥିଲା, ଦେଶର ସୈନିକଙ୍କ ସହିତ ବିତାଇବା ଏବଂ ସେମାନଙ୍କ ଗହଣରେ ରହିବା। ଏହି ସୂଚନା ଜେନେରାଲ ବିପିନ ରାଓ୍ଵତଙ୍କ ଶଳା ଯଶବର୍ଦ୍ଧନ ସିଂହ ଦେଇଛନ୍ତି।

ଯଶବର୍ଦ୍ଧନ ସିଂହ କହିଛନ୍ତି, ଜେନେରାଲ ରାଓ୍ଵତ ସର୍ବଦା କହୁଥିଲେ, ସେ ମହାନଗରରେ ପୋଷ୍ଟିଂ ହେବାକୁ ଚାହୁଁନଥିଲେ। ସେ ଫୌଜୀ ଥିଲେ ଏବଂ ସର୍ବଦା ଦେଶର ସୀମାରେ ସୈନିକଙ୍କ ସହିତ ରହିବାକୁ ଚାହୁଁଥିଲେ।

ଏଥିପାଇଁ ପରିବାରଠୁ ଦୂରରେ ଥିଲେ

ଜେନେରାଲ ରାଓ୍ଵତଙ୍କ ୧୯୮୬ ମସିହାରେ ବିବାହ ହୋଇଥିଲା। ସେହି ସମୟରେ ସେ ସେନାର କ୍ୟାପଟେନ୍ ପଦରେ ଥିଲେ। ବିବାହ ପରଠୁ ତାଙ୍କର ପୋଷ୍ଟିଂ ସୀମାରେ ରହୁଥିଲା। ତେଣୁ ସେ ନିଜ ସହ ପରିବାରକୁ ରଖୁନଥିଲେ। ସେହି ସମୟରେ ତାଙ୍କର ଦୁଇ ଝିଅ ଛୋଟ ଥିଲେ। ଜେନେରାଲ ରାଓ୍ଵତଙ୍କୁ ଲାଗୁଥିଲା ଯେ, ପରିବାରକୁ ସାଙ୍ଗରେ ରଖିଲେ ଜଣେ ସୈନିକ ହିସାବରେ ଦାୟିତ୍ଵ ନିଭାଇବା ମୁସ୍କିଲ ହୋଇଯିବ। ଏଥିପାଇଁ ଆରମ୍ଭରୁ ଦୁଇ ଝିଅକୁ ସମ୍ଭାଳିବାର ଦାୟିତ୍ଵ ତାଙ୍କ ପତ୍ନୀ ମଧୁଳିକା ପୁରା କରିଥିଲେ।

ଜେନେରାଲ ରାଓ୍ଵତଙ୍କ ଜନ୍ମ ୧୯୫୮ ସମିହା ମାର୍ଚ୍ଚ ୧୬ରେ ହୋଇଥିଲା। ୧୯୭୮ ଡିସେମ୍ବରରେ ସେ ସେନାର ୧୧ତମ ଗୋରଖା ରାଇଫଲ୍ସର ପଞ୍ଚମ ବାଟାଲିୟନରେ କମିଶନ ଅଫିସର ପଦରେ ନିଯୁକ୍ତ ହୋଇଥିଲେ। ୨୦୧୬ ଡିସେମ୍ବର ୩୧ରେ ସ୍ଥଳସେନା ପ୍ରମୁଖ ପଦଭାର ଗ୍ରହଣ କରିଥିଲେ। ତାଙ୍କର ପୂର୍ବ ସେକ୍ଟରରେ  ବାସ୍ତବିକ ନିୟନ୍ତ୍ରଣ ରେଖା, କାଶ୍ମୀର ଘାଟି ଏବଂ ପୂର୍ବୋତରରେ କାମ କରିବାର ଖୁବ୍ ଅନୁଭବ ଥିଲା। ସିଡିଏସ ହେବା ପୂର୍ବରୁ ବିପିନ ରାଓ୍ଵତ ୨୭ତମ ସ୍ଥଳ ସେନାଧ୍ୟକ୍ଷ ଥିଲେ। ଆର୍ମି ଚିଫ ହେବା ପୂର୍ବରୁ ୨୦୧୬ ସେପ୍ଟେମ୍ବର ୧ରେ ଭାରତୀୟ ସ୍ଥଳସେନାର ଉପ ସେନା ପ୍ରମୁଖ ଭାବେ ନିଯୁକ୍ତ ଥିଲେ।

ପିତାଙ୍କ ୟୁନିଟ୍‌ରେ ମିଳିଲା କମିଶନ

ଜେନେରାଲ ବିପିନ ରାଓ୍ଵତଙ୍କ ପରିବାରରେ ସର୍ବଦା ଦେଶ ସେବା କରିବାର ପରମ୍ପରା ରହି ଆସିଛି। ତାଙ୍କ ପିତା ମଧ୍ୟ ଆର୍ମି ଅଫିସର ଥିଲେ ଏବଂ ଲେଫ୍ଟନାଣ୍ଟ ଜେନେରାଲ  ଭାବେ ଅବସର ନେଇଥିଲେ। ୧୯୭୮ରେ ବିପିନ ରାଓ୍ଵତ ସେହି ଗୋରଖା ରାଇଫଲ୍ସରେ ଲେଫ୍ଟନାଣ୍ଟ କମିଶନ ପଦରେ ନିଯୁକ୍ତ ହୋଇଥିଲେ, ଯେଉଁଠି ପୂର୍ବେ ତାଙ୍କ ପିତା କାମ କରୁଥିଲେ। ଜଣେ ଲେଫ୍ଟନାଣ୍ଟ  ଭାବେ ତାଙ୍କର ଯାତ୍ରା ଆରମ୍ଭ  ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସ୍ଥଳସେନା ମୁଖ୍ୟ ରହିବା ସହ ଏବେ ସିଡିଏସ ଦାୟିତ୍ଵରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.