କାର୍ ନିର୍ମାତା କମ୍ପାନୀ ଏବେ ତିଆରି କରିବ ଭେଣ୍ଟିଲେଟର, ବିଦେଶୀ କମ୍ପାନୀ ସହ ହୋଇଛି ବୁଝାମଣା

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୪: କାର୍ ନିର୍ମାତା ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ (HMIL) ଏଭଳି ସଙ୍କଟ ସମୟରେ ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ହୁଣ୍ଡାଇ ଫ୍ରେଞ୍ଚ କମ୍ପାନୀ ଏୟାର ଲିକ୍ବିଡ୍ ମେଡିକାଲ୍ ସିଷ୍ଟମ୍ (ALMS) ସହିତ ଚୁକ୍ତି କରିଛି ।

ଦେଶରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ସମସ୍ତ ଅଟୋ କମ୍ପାନୀ ନିଜ ନିଜ ସ୍ତରରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ହୁଣ୍ଡାଇ କମ୍ପାନୀ ଚିକିତ୍ସା ସହାୟତା ପାଇଁ ଭେଣ୍ଟିଲେଟର ତିଆରି କରିବାକୁ ନିଷ୍ପତ୍ତି ନେଇଛି ।

କମ୍ପାନୀ ତାମିଲନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି ଭେଣ୍ଟିଲେଟର ଯୋଗାଇବ । ଫ୍ରାନ୍ସର ALMSର ଭାରତୀୟ ୟୁନିଟ୍ ଚେନ୍ନାଇରେ ରହିଛି । ଏହି ଚୁକ୍ତି ପରେ ଦୁଇ କମ୍ପାନୀ ମିଳିତ ଭାବେ ପ୍ରଥମ ପର୍ଯ୍ୟାୟରେ ୧୦୦୦ ଭେଣ୍ଟିଲେଟର ଉତ୍ପାଦନ କରିବେ । ଏହାପରେ ଉତ୍ପାଦନ ବୃଦ୍ଧି କରାଯିବ ।

ହୁଣ୍ଡାଇ ମୋଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍ ଏସ୍ କିମ୍ କହିଛନ୍ତି ଯେ କରୋନା ଭାଇରସ୍ ମୁକାବିଲା କରିବାରେ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ହୁଣ୍ଡାଇ ଏବଂ ALMS ମିଳିତ ଭାବେ ଏହା ସୁନିଶ୍ଚିତ କରିବେ ଯେ ଦେଶରେ ଭେଣ୍ଟିଲେଟର ଉତ୍ପାଦନସ୍ଥିର ରହିବ ।

ହୁଣ୍ଡାଇ ଏବଂ ALMS କହିଛନ୍ତି ଯେ କରୋନା ଭାଇରସ୍ ମୁକାବିଲା ପାଇଁ କମ୍ପାନୀର ପ୍ରୟାସ ଏକ ସକରାତ୍ମକ ପରିବର୍ତ୍ତନ ଆଣିବ। ଦେଶରେ ଭେଣ୍ଟିଲେଟର ପାଇଁ ଉତ୍ସର୍ଗୀକୃତ ଅନୁସନ୍ଧାନ ଏବଂ ବିକାଶ ସୁବିଧା ସହିତ ଆମେ ଅଳ୍ପ କିଛି ବିଶ୍ବସ୍ତରୀୟ କମ୍ପାନୀ ମଧ୍ୟରୁ ଅନ୍ୟତମ । ଯଦି ଆଗାମୀ ଦିନରେ କରୋନା ଯୋଗୁଁ ଅବସ୍ଥା ଖରାପ ହୁଏ ତେବେ ଭେଣ୍ଟିଲେଟରର ଆବଶ୍ୟକତା ବଢିପାରେ । ଏହା ଏକ ଏଭଳି ମେସିନ୍ ଯାହା ରୋଗୀକୁ ନିଶ୍ବାସ ନେବାରେ ସାହାଯ୍ୟ କରେ । ଏହି ମେସିନ୍ ବିଶେଷ ଭାବରେ ରୋଗୀମାନଙ୍କ ପାଇଁ ନିଶ୍ବାସ ନେବାରେ ସାହାଯ୍ୟ କରେ ଯେଉଁମାନେ ନିଜେ ଅମ୍ଳଜାନ ନେବାକୁ ଅସମର୍ଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.