ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଶ୍ବସ୍ତି : ଭାରତରୁ ଆମେରିକାରେ ପହଁଚିଲା ହାଇଡ୍ରୋକ୍ଲୋରୋକ୍ୱିନ ଔଷଧ

Published By : Prameya-News7 Bureau | April 12, 2020 IST

ୱାସିଂଟନ ୧୨/୦୪ : ଶନିବାର ଦିନ ଭାରତରୁ ଆମେରିକାକୁ ହାଇଡ୍ରୋ କ୍ଲୋରୋକ୍ୱିନ ଔଷଧ ପହଞ୍ଚିଛି | କରୋନା ଉପଚାର ପାଇଁ ହାଇଡ୍ରୋକ୍ଲୋରୋକ୍ୱିନକୁ ସମ୍ଭାବ୍ୟ ଔଷଧ ରୂପେ ଗ୍ରହଣ କରାଯାଇଛି | ଆମେରିକା ଓ ଅନ୍ୟ କିଛି ଦେଶକୁ ସାହାଯ୍ୟ କରିବା ପାଇଁ କିଛି ଦିନ ପୂର୍ବରୁ ଏହି ଔଷଧ ଉପରେ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଚଳିତ ସପ୍ତାହରେ ଭାରତ ଆମେରିକାକୁ ହାଇଡ୍ରୋକ୍ଲୋରୋକ୍ୱିନର ୩୫.୮୨ ଲକ୍ଷ ବଟିକା ଯୋଗେଇ ଦେବା ପାଇଁ ରାଜି ହୋଇଥିଲା | ଏହାସହ ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ୯ ଟନ ଫାର୍ମାସ୍ୟୁଟିକଲ ସାମଗ୍ରୀ ମଧ୍ୟ ପଠାଇଛି |

ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ ସିଂହ ସନ୍ଧୁ ଟ୍ୱିଟ କରି କହିଛନ୍ତି ଯେ, "କରୋନା ବିରୋଧରେ ଜାରି ଥିବା ଯୁଦ୍ଧରେ ଆମ ସହଯୋଗୀଙ୍କୁ ଆମେ ପୁରା ସାହାଯ୍ୟ କରିବୁ | ଭାରତରୁ ପ୍ରଥମ ପର୍ଯ୍ୟାୟ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧ ଆଜି ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିଛି |"

ଟ୍ରମ୍ପ ଗତ ସପ୍ତାହରେ ମୋଦିଙ୍କୁ ଫୋନ କରି ଆମେରିକାକୁ ହାଇଡ୍ରୋ କ୍ଲୋରୋକ୍ୱିନ ଔଷଧ ପଠାଇବା ପାଇଁ ଅନୁରୋଧ କରିଥିଲେ | ଏହାପରେ ଏପ୍ରିଲ ୭ ତାରିଖରେ ଏହି ଔଷଧ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଥିଲେ | ଭାରତ ବିଶ୍ୱରେ ଏହି ଔଷଧର ମୁଖ୍ୟ ଉତ୍ପାଦନକାରୀ | ଭାରତ ପୁରା ଦୁନିଆର ୭୦ ପ୍ରତିଶତ ହାଇଡ୍ରୋକ୍ଲୋରୋକ୍ୱିନ ଉତ୍ପାଦନ କରିଥାଏ |

ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରସାଧନ କରୋନା ଉପଚାର ପାଇଁ ସମ୍ଭାବ୍ୟ ଔଷଧ ରୂପେ ହାଇଡ୍ରୋକ୍ଲୋରୋକ୍ୱିନକୁ ଚିହ୍ନଟ କରି ନ୍ୟୁୟର୍କରେ ୧୫୦୦ ରୁ ଅଧିକ କରୋନା ପୀଡିତଙ୍କ ଉପରେ ପରୀକ୍ଷା କରୁଛି | ଆମେରିକୀୟ ଏହି ଔଷଧ ରପ୍ତାନିକୁ ସ୍ୱାଗତ ଜଣାଇଛନ୍ତି | ନ୍ୟୁୟର୍କରେ ରହୁଥିବା ରିୟଲ ଏଷ୍ଟେଟ ପରାମର୍ଶଦାତା ଏବଂ ଟ୍ରମ୍ପଙ୍କ ସମର୍ଥକ ଅଲ ମେସନ କହିଛନ୍ତି ଯେ, "ଭାରତର ଏହି ମହାନ ମାନବୀୟ ସହଯୋଗକୁ ଆମେରିକା କେବେ ହେଲେ ଭୁଲିବନି | ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦୁନିଆର ଦୁଇଟି ସବୁଠାରୁ ବଡ ଲୋକତନ୍ତ୍ର ପୂର୍ବରୁ ହିଁ ନିକଟତର ରହିଛି |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.