ତେଲେଙ୍ଗାନା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀ କହିଲେ ହେବ ତ୍ୱରିତ ଶୁଣାଣି, ଫାଷ୍ଟଟ୍ରାକ୍ କୋର୍ଟ କରିବେ ବିଚାର
1/12/2019 at 7:39 PM

ହାଇଦ୍ରାବାଦ ୧।୧୨: ମହିଳା ଡାକ୍ତର ଗଣ ଦୁଷ୍କର୍ମ ଓ ପୋଡି ହତ୍ୟା କରିବା ମାମଲରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ରବିବାର ମୁହଁ ଖୋଲିଛନ୍ତି। ମାମଲାର ତ୍ୱରିତ ଶୁଣାଣି ଲାଗି ଫାଷ୍ଟଟ୍ରାକ କୋର୍ଟ ବିଚାର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଗତ ଗୁରବାର ସକାଳେ ଭେଟନାରୀ ଡାକ୍ତରଙ୍କ ଅଧାଜଳା ଶବ ଶାଦନଗର ଥାନା ଅନ୍ତର୍ଗତ ଏକ ଅଣ୍ଡରପାସରୁ ମିଳିଥିଲା। ଘଟଣା ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ୩ ଦିନ ହେଲା ମୁଖ୍ୟମନ୍ତ୍ରୀ ନିରବ ରହିଥିଲେ।
ରବିବାର କେସିଆର ମାମଲାର ତ୍ୱରିତ୍ ଶୁଣାଣି ନିମନ୍ତେ ତୁରନ୍ତ ଫାଷ୍ଟଟ୍ରାକ୍ ଗଠନ ଲାଗି ନିର୍ଦ୍ଦେଶ ଦେବା ସହ ପୀଡିତାଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଗତ ବୁଧବାର ରାତିରେ ପୀଡିତା କ୍ଲିନିକରୁ ଫେରିବା ରାସ୍ତାରେ ତାଙ୍କ ସ୍କୁଟର ପମ୍ପଚର ହୋଇଯାଇଥିଲା। ସହାୟତା କରିବା ନାମରେ ୪ ଜଣ ଯୁବକ ତାଙ୍କ ପ୍ରତି ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରି ଏକ ଜାତୀୟ ରାଜମାର୍ଗ ଅଣ୍ଡରପାସ୍ ନିକଟରେ ତାଙ୍କ ଶବକୁ ନିଆଁ ଲଗାଇ ପୋଡିଦେଇଥିଲେ।
ଘଟଣା ଜଣାପଡିବା ପରେ ଦିଲ୍ଲୀରୁ ପଲ୍ଲୀ କମ୍ପିବାକୁ ଲାଗିଥିଲା। ପୋଲିସ ମାମଲାର ତଦନ୍ତ କରିବା ସହ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ମାମଲାର ଫାଷ୍ଟଟ୍ରାକ୍ ବିଚାର ନିର୍ଦ୍ଦେଶ ଦେଇଛନ୍ତି।