ବାର୍ଥଡେ କେକ୍ ଖୁଆଇଲେ, କରୋନା ବାଣ୍ଟିଲେ ! ଆୟୋଜକଙ୍କ ସହ ୨ଜଣଙ୍କ ମୃତ୍ୟୁ, ଆହୁରି ୧୦୦ ଜଣ ସନ୍ଦେହରେ

Published By : Prameya-News7 Bureau | July 05, 2020 IST

ହାଇଦ୍ରାବାଦ ୦୫/୦୭ : ହାଇଦ୍ରାବାଦରେ ଶନିବାର ଦିନ ଜଣେ ସୁନା ବ୍ୟବସାୟୀଙ୍କ କରୋନା ଜନିତ ମୃତ୍ୟୁ ହୋଇଛି | ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ | ପାର୍ଟିରେ ପାଖାପାଖି ୧୦୦ ଜଣ ସାମିଲ ହୋଇଥିଲେ | ବ୍ୟବସାୟୀଙ୍କ ମୃତ୍ୟୁ ପରେ ପାର୍ଟିରେ ସାମିଲ ଲୋକଙ୍କ ମନରେ ଭୟ ଉତ୍ପର୍ଣ୍ଣ ହୋଇଛି | ଏମାନେ ସହରର ଘରୋଇ ଲ୍ୟାବରେ କରୋନା ଯାଞ୍ଚ କରାଉଛନ୍ତି | ଆଉ ଜଣେ ସୁନା ବ୍ୟବସାୟୀଙ୍କର ମଧ୍ୟ ଶନିବାର ଦିନ କରୋନା ଜନିତ ମୃତ୍ୟୁ ହୋଇଛି | ସେ ମଧ୍ୟ ସେହି ପାର୍ଟିରେ ସାମିଲ ହୋଇଥିଲେ | ସେ ସେହି ପାର୍ଟିରେ ସଂକ୍ରମିତ ହୋଇଥିବା ଅଧିକାରୀ ଆଶଙ୍କା କରୁଛନ୍ତି |

ସୂଚନାଯୋଗ୍ୟ ଯେ, ଜ୍ୱେଲେରୀ ଆସୋସିଏସନର ୧୦୦ ଜଣ ସଦସ୍ୟ ଏକ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ | ପାର୍ଟିର ଦୁଇ ଦିନ ପାରେ ପାର୍ଟି ଆୟୋଜନ କରିଥିବା ଜ୍ୱେଲେରଙ୍କର କରୋନା ଲକ୍ଷଣ ସାମ୍ନାକୁ ଆସିଥିଲା | ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ବର୍ତ୍ତମାନ ସ୍ୱାସ୍ଥ୍ୟ ଅଧିକାରୀ ବ୍ୟବସାୟୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି |

ହାଇଦ୍ରାବାଦରେ ଏହା ପ୍ରଥମ ମାମଲା ନୁହେଁ | ଏହା ପୂର୍ବରୁ ଜଣେ ପୋଲିସ କନେଷ୍ଟବଳଙ୍କ ପୁଅ ଜନ୍ମ ହେବା ଖୁସିରେ ମିଠା ବଣ୍ଟା ଯାଇଥିଲା | ଶନିବାର ଦିନ କନେଷ୍ଟବଳଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା | କନେଷ୍ଟବଳଙ୍କ ସମ୍ପର୍କରେ ୧୨ ଜଣ ଆସିଥିଲେ | ସେ ସମସ୍ତଙ୍କର କରୋନା ଯାଞ୍ଚ କରାଯାଇଛି |

ଇଣ୍ଡିଆନ ଏକ୍ସପ୍ରେସ ଖବର ଅନୁଯାୟୀ, ସାର୍ବଜନିକ ସ୍ୱାସ୍ଥ୍ୟ ନିର୍ଦେଶକ ଜି.ଶ୍ରୀନିବାସ ରାଓ କହିଛନ୍ତି ଯେ ଏମାନେ କରୋନା ଭାଇରସର ସୁପର ସ୍ପ୍ରେଡର ଯେଉଁମାନଙ୍କ ପାଇଁ ସହରରେ ମାମଲା ବୃଦ୍ଧି ପାଉଛି | କରୋନାରୁ ସୁରକ୍ଷିତ ରହିବା ପାଇଁ ସରକାର ଏତେ ପ୍ରଚାର ପ୍ରସାର କରିବା ପରେ ମଧ୍ୟ ଲୋକେ ନିୟମଗୁଡିକୁ ଅଣଦେଖା କରୁଛନ୍ତି | ସେ କହିଛନ୍ତି ଯେ ଜନ୍ମଦିନ ପାର୍ଟି, ପାରିବାରିକ ସମାବେଶ କିମ୍ବା ବିଦେଶରୁ ଫେରିଥିବା ଲୋକଙ୍କୁ ପାର୍ଟି ଦେବା କିମ୍ବା କୌଣସି ସମାରୋହରେ ସାମିଲ ହେବା ଯୋଗୁଁ ହିଁ ସଂକ୍ରମଣ ବୃଦ୍ଧି ପାଉଛି | ଲକ୍ଷଣ ନ ଥିବା ବ୍ୟକ୍ତି ସମାରୋହରେ ସାମିଲ ହୋଇଯାଆନ୍ତି ଏବଂ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରୀ ଏଟାଲା ରାଜେନ୍ଦ୍ର କହିଛନ୍ତି ଯେ ଏହିଭଳି ଘଟଣା ପାଇଁ ଖୁବ ଚିନ୍ତିତ | ହାଇଦ୍ରାବାଦରେ କରୋନା ସଂକ୍ରମଣ ମାମଲା ନାଟକୀୟ ଭାବେ ବୃଦ୍ଧି ପାଉଛି | ଏପଟେ ଲୋକେ ମଧ୍ୟ ନିୟମ ପାଳନ କରୁନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.