ଗିରଫ ହେଲା ହାଇଦରର ସହଯୋଗୀ ୟାକୁବ୍, ସୋମବାର ଚାଉଳିଆଗଞ୍ଜ ଥାନାରେ କରିଥିଲା ଆତ୍ମସମର୍ପଣ

Published By : Prameya-News7 Bureau | April 13, 2021 IST

କଟକ ୧୩।୪: ଗିରଫ ହେଲା ୟାକୁବ୍‌ ଓରଫ୍‌ ସଲ୍ଲୁ ଖାଁ । ହାଇଦରର ସହଯୋଗୀ ୟାକୁବକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ସୋମବାର ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲା ୟାକୁବ । ହାଇଦର ସହ ସମ୍ପର୍କ ରଖିବା ଓ ତାକୁ ଖାଦ୍ୟ ଯୋଗାଇବା ଅଭିଯୋଗରେ ଗିରଫ କରିଛି ପୋଲିସ । ମଙ୍ଗଳବାର ୟାକୁବକୁ କୋର୍ଟ ଚାଲାଣ କରାଯାଇପାରେ ବୋଲି ସୂଚନା ମିଳିଛି ।

ଓଡିଶା ପୋଲିସର ନିଦ ହଜାଇ ଦେଇଛି ହାଇଦର । ଫେରାର ଗ୍ୟାଙ୍ଗଷ୍ଟରକୁ ଧରିବାକୁ ହାଇ ଆଲର୍ଟରେ ୩୦ ଜିଲ୍ଲାର ଏସପି । ସେପଟେ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ୍‌ ଖାଁ ଓରଫ ସଲ୍ଲୁ ସୋମବାର ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିବା ପରେ ମଙ୍ଗଳବାର ଦିନ ତାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ହାଇଦର ଫେରାର ପୂର୍ବରୁ ତା’ ପାଇଁ ୩ଥର ବିରିୟାନୀ ନେଇ ଯାଇଥିଲା ୟାକୁବ୍‌ । ରବିବାର ୟାକୁବ୍‌କୁ ଠାବ କରିଥିଲା ନ୍ୟୁଜ୍‌ ୭ ଟିମ୍‌ । ସୋମବାର ଦିନ ପ୍ରାୟ ୧୧ଟା ବେଳେ ୟାକୁବ୍‌ ଚାଉଳିଆଗଞ୍ଜ ଥାନାରେ ପହଞ୍ଚିବା ପରେ ତାକୁ ଥାନା ଭିତରକୁ ଟାଣିନେଇଥିଲା ପୋଲିସ ।

ସେପଟେ ହାଇଦର ଫେରାର ଘଟଣା ପଛରେ ପରିବାରର ହାତ । ଏନେଇ ସୋମବାର ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ଡ୍ୟୁଟିରେ ଥିବା କନଷ୍ଟେବଳ ମହମ୍ମଦ ମୌସିମ । ଏସସିବି ମେଡିକାଲରୁ ହାଇଦର ଫେରାର ହେବା ଘଟଣାରେ ତାକୁ ସେଦିନ ଜଗିଥିବା କନଷ୍ଟେବଳ ମହମ୍ମଦ ମୌସିମ ମଙ୍ଗଳବାଗ ଥାନାରେ ଏତଲା ଦେଇଛନ୍ତି । ହାଇଦରକୁ ଭେଟିବା ଲାଗି ହସ୍ପିଟାଲକୁ ତାଙ୍କ ପରିବାର ଲୋକ ଆସୁଥିଲେ । ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ହାଇଦର ପରିବାର ଲୋକ ମୋ ଉପରେ କୌଣସି ବିଷାକ୍ତ ପଦାର୍ଥ ପକାଇ ଦେବାରୁ ମୁଁ ଅଚେତ ହୋଇ ଯାଇଥିଲା ବୋଲି କନଷ୍ଟେବଳ ମହମ୍ମଦ ମୌସିମ ତାଙ୍କ ଏତଲାରେ ଲେଖିଛନ୍ତି ।

ଏସସିବି ମେଡିକାଲ ସର୍ଜରୀ ୱାର୍ଡ଼ ବାହାରୁ ଏକ କାର୍‌ରେ ହାଇଦରକୁ ତା’ର ପୁଅ ସମେତ ୪ରୁ ୫ଜଣ ବ୍ୟକ୍ତି ଖସାଇ ନେଇଥିବା କୁହାଯାଉଛି । ହସ୍ପିଟାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରୁ ପୋଲିସ ସେହି କାରର ନମ୍ବର ଜାଣିବାକୁ ଚେଷ୍ଟା କରୁଛି । ଏଥି ସହ ହାଇଦର ସହଯୋଗୀଙ୍କ ଫୋନ୍‌କୁ ମଧ୍ୟ ଟ୍ରାକିଂ କରାଯାଉଛି । ହାଇଦରକୁ ଧରିବାକୁ ୩୦ଜିଲ୍ଲାର ଏସପିଙ୍କ ଆଲର୍ଟ କରିଛନ୍ତି ପୋଲିସ ଡିଜି । ଏଥିସହ ସାରା ରାଜ୍ୟରେ ଏସଟିଏଫ୍‌ ଟିମ୍‌ ସଜାଗ ଥିବା ବେଳେ  ତନାଘନା ଚଳାଇଛି ୮ଟି ସ୍ପେଶାଲ ଟିମ୍‌ । ସେହିଭଳି ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ଷଡ଼ଯନ୍ତ୍ରରେ  ଯଦି କୌଣସି ସୁରକ୍ଷାକର୍ମୀ ସାମିଲ ଥାନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ହେବ ବୋଲି କହିଥିଲେ ଜେଲ୍‌ ଡିଆଇଜି ଶୁଭ୍ରକାନ୍ତ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.