ସଟ୍ଟା ନିଶା କରିଦେଲା ପାଗଳ: ଆଇପିଏଲରେ ସଟ୍ଟା ଲଗାଇବାକୁ ମନା କରିବାରୁ ମା' ଭଉଣୀକୁ ବିଷ ଦେଇ ମାରିଦେଲା ଯୁବକ

Published By : Prameya-News7 Bureau | November 30, 2020 IST

ହାଇଦ୍ରାବାଦ ୩୦/୧୧ : ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ମା ଭଉଣୀଙ୍କୁ ହତ୍ୟା କରିଛି। ସଟ୍ଟା କାରବାର ନ କରିବାକୁ କହିବାରୁ ଯୁବକ ଜଣକ ଏହିଭଳି କାଣ୍ଡ ଘଟାଇଛି। ସଟ୍ଟା ଖେଳିବା ଯୁବକର ଅଭ୍ୟାସ। ବାପାଙ୍କ ସଞ୍ଚିତ ଧନକୁ ସେ ଆଇପିଏଲ ବେଟିଂରେ ଲଗାଇବାକୁ ଚାହୁଁଥିଲା। କିନ୍ତୁ ମା, ଭଉଣୀ ଏଥିପାଇଁ ବାଧା ଦେଇଥିଲେ। ଏଥିରୁ ସେ ରାଗିଯାଇ ମା, ଭଉଣୀଙ୍କ ଖାଇବାରେ ବିଷ ମିଶାଇ ଦୁଇଜଣଙ୍କ ହତ୍ୟା କରିଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

ପୋଲିସ ଅନୁଯାୟୀ, ଅଭିଯୁକ୍ତ ସାଇନାଥ ରେଡ୍ଡୀର ବାପା ମେଡ଼ଚଲ ଜିଲ୍ଲା ରାବଲକୋଲ ଗାଁରେ ରହୁଥିଲେ। ୩ ବର୍ଷ ପୂର୍ବରୁ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରକୁ ଜୀବନ ପଲିସୀର ୨୦ ଲକ୍ଷ ଟଙ୍କା ମିଳିଥିଲା। ସାଇନାଥର ନଜର ଏହି ଟଙ୍କା ଉପରେ ଥିଲା। ସାଇନାଥକୁ ସଟ୍ଟା ଖେଳିବାର ନିଶା ଥିଲା। ସଟ୍ଟାରେ ସେ ବହୁତ ଟଙ୍କା ହାରିସାରିଥିଲା ଓ କରଜରେ ବୁଡି ରହିଥିଲା। କିନ୍ତୁ ତଥାପି ସଟ୍ଟାର ଏମିତି ନିଶା ଯେ ସେ ଖେଳିବା ଛାଡି ପାରୁନଥିଲା। ସେ ନିଜ ମା'ଙ୍କ ସୁନା ଗହଣା ମଧ୍ୟ ବିକ୍ରି କରିଦେଇଥିଲା। ବର୍ତ୍ତମାନ ଆଇପିଏଲ ମ୍ୟାଚରେ ବାପାଙ୍କ ସଞ୍ଚିତ ଟଙ୍କା ଲଗାଇବାକୁ ଚାହୁଁଥିଲା। କିନ୍ତୁ ମା ଭଉଣୀ ତାକୁ ବାଧା ଦେଇଥିଲେ ଓ ଟଙ୍କା ଦେଇନଥିଲେ। ଏଥିପାଇଁ ୩ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା।

ପୋଲିସ କହିବାନୁଯାୟୀ, ନଭେମ୍ବର ୨୪ ତାରିଖରେ ସାଇନାଥ ମା, ଭଉଣୀଙ୍କ ଖାଇବାରେ ବିଷ ମିଶାଇ ଦେଇଥିଲା। ସେହି ଖାଦ୍ୟ ଖାଇବା ପରେ ଉଭୟଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା, ବାନ୍ତି ହୋଇଥିଲା। ସେମାନେ ସାଇନାଥକୁ ଡାକ୍ତରଙ୍କୁ ଡାକିବାକୁ କହିଥିଲେ। କିନ୍ତୁ ସାଇନାଥ ଡାକ୍ତରଙ୍କୁ ଡାକି ନଥିଲା। ଚିକିତ୍ସା ଅଭାବରୁ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଶନିବାର ସନ୍ଧ୍ୟାରେ ପୋଲିସ ସାଇନାଥ ଗିରଫ କରିଛି। ମା, ଭଉଣୀଙ୍କ ଅନ୍ତିମ ସଂସ୍କାର ପରେ ସାଇନାଥ ନିଜ ଦୋଷ ସ୍ୱୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.