IPL 2020: ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ରୟାଲ୍ସକୁ ୧୫୯ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ

Published By : Prameya-News7 Bureau | October 11, 2020 IST

ଦୁବାଇ ୧୧।୧୦: ମନିଷ ପାଣ୍ଡେଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦୁବାଇରେ ଖେଳାଯାଉଥିବା ଆଇପିଏଲର ୨୬ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧୫୯ ରନର ବିଜୟ ଲକ୍ଷ୍ୟ ଦେଇଛି। ମନୀଷ ପାଣ୍ଡେଙ୍କ ୫୪ ରନ ଓ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୪୮ ରନ ସହାୟତାରେ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି। ଏହି ମ୍ୟାଚ୍‌ ଜିତିବା ଉଭୟ ଦଳ ପାଇଁ ଜରୁରୀ। କାରଣ ପରାଜିତ ହେଲେ ପ୍ଲେଅଫ ପାଇଁ ପଥ ମୁସ୍କିଲ ହୋଇଯିବ। ଟସ୍‌ ଜିତି ସନ ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦକୁ ଓପନିଂ ଯୋଡି ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଓ  ଜୋନି ବେୟାରଷ୍ଟୋ ପ୍ରଥମ ଓ୍ଵିକେଟ୍‌ରେ ୨୩ ରନ ଯୋଡିଥିଲେ। ବେୟାରଷ୍ଟୋ ୧୯ ବଲରୁ ୧ ଛକା ସହ ୧୬ ରନ କରି କାର୍ତ୍ତିକ ତ୍ୟାଗୀଙ୍କ ଶିକାର ହୋଇଥିଲେ। ଏହା ପରେ ଓ୍ଵାର୍ଣ୍ଣର ଓ ମନୀଷ ପାଣ୍ଡେ ଦଳର ସ୍କୋରକୁ ଆଗକୁ ବଢାଇଥିଲେ ହେଁ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାରିନଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୭୩ ରନ ଯୋଡିଥିଲେ। ୯୬ ରନ ସ୍କୋରରେ ଡେଭିଡ୍ ଓ୍ଵାର୍ଣ୍ଣର ଜୋଫ୍ରା ଆର୍ଚରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ସେ ୩୮ ବଲରୁ ୩ ଚୌକା ଓ ୨ ଛକା ସହ ୪୮ ରନର ଉପଯୋଗୀ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

ମନୀଷ ପାଣ୍ଡେ ଭଲ ବ୍ୟାଟିଂ କରି ଆଇପିଏଲରେ ୧୭ତମ ଅର୍ଦ୍ଧଶତକ ହାସଲ କରିଥିଲେ। ୧୨୨ ରନ ସ୍କୋରରେ ପାଣ୍ଡେ ୪୪ ବଲରୁ ୨ ଚୌକା ଓ ୩ ଛକା ସହ ୫୪ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ କେନ୍ ଓ୍ଵିଲିୟମସନ ଓ ପ୍ରିୟମ ଗର୍ଗ ଦ୍ରୁତ ବ୍ୟାଟିଂ କରିଥିଲେ। ଓ୍ଵିଲିୟମସନ ୧୨ ବଲରୁ ୨ ଛକା ସହ ଦ୍ରୁତ ୨୨ ରନ କରି ଅପରାଜିତ ଥିଲେ। ପ୍ରିୟମ ଗର୍ଗ ୮ ବଲରୁ ୧ ଚୌକା ଓ ୧ ଛକା ସହ ୧୫ ରନ କରି ଇନିଂସର ଶେଷ ବଲରେ ରନ ଆଉଟ୍ ହୋଇଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା ଆର୍ଚର, ଜୟଦେବ ଉନାଦକତ ଓ କାର୍ତ୍ତିକ ତ୍ୟାଗୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.