୧୦୦କୁ ଡାଏଲ୍ କଲେ, ପୋଲିସ ବାବୁଙ୍କଠୁ ଚାପୁଡା ଖାଇଲେ
24/12/2019 at 3:04 PM

ହାଇଦ୍ରାବାଦ ୨୪।୧୨: ପୋଲିସ ସହାୟତା ପାଇଁ ୧୦୦ ଡାଏଲ ସେବା ରହିଛି । ଆଇନ ଶୃଙ୍ଖଳା ଜନିତ ସମସ୍ୟାରେ ପୋଲିସର ସହାୟତା ଲାଗି ଏହି ସେବା ପ୍ରଚଳନ । କିନ୍ତୁ ତେଲେଙ୍ଗାନାରେ ଏହାର ଏକ ବ୍ୟତିକ୍ରମ ଘଟିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ । ଏକ ଗଣ୍ଡଗୋଳ ଘଟଣାରେ ପୋଲିସକୁ ୧୦୦ ନମ୍ବରରେ ଫୋନ୍ କରି ଜବରଦସ୍ତ ଚାପୁଡା ଖାଇଛନ୍ତି ଜଣେ ଯୁବକ ହାଇଦ୍ରାବାଦର ଜିଡିମେଟଲା ପୋଲିସ ଥାନା ଅଞ୍ଚଳରେ ଏହି ଘଟଣା । ଆଉ ସୂଚନାଦାତା ଯୁବକଙ୍କୁ ଚାପୁଡା ମାରିଛନ୍ତି ସେହି ଥାନାର ହେଡ୍ କନଷ୍ଟେବଲ । ତେବେ ଚର୍ଚ୍ଚାର କାରଣଟି ହେଲା , ୧୦୦ ରେ ଡାଏଲ କରି ପୋଲିସ ସହାୟତା ନେବା ଲାଗି ତେଲେଙ୍ଗାନା ପୋଲିସର କ୍ୟାମ୍ପେନ ଆରମ୍ଭର କିଛି ଦିନ ପରେ ଘଟିଛି ଏପରି ଘଟଣା ।
ଦୁଇ ଦିନ ତଳର ଘଟଣା । ପୋଲିସକୁ ଫୋନ୍ କରିଥିବା ବ୍ୟକ୍ତି ଜଣକ ହେଲେ ଶିବା କ୍ରିଷ୍ଣା । ତାଙ୍କ ଘର ପାଖରେ ଏକ ଉତ୍ସବ ଚାଲୁଥିବା ବେଳେ ରାତି ପ୍ରାୟ ୨ ଟା ୧୦ ମନିଟ୍ ସମୟରେ ଗଣ୍ଡଗୋଳ ଘଟିଥିଲା । ଏ ନେଇ ଶିବା ୧୦୦ରେ ଡାଏଲ କରି ପୋଲିସକୁ ଘଟଣାସ୍ଥଳକୁ ଆସିବାକୁ ଖବର ଦେଇଥିଲେ । ପୋଲିସ ହେଡ୍ କନଷ୍ଟେବଲ କୋଟେଶ୍ବର ରାଓଙ୍କ ଟିମ୍ ସେଠାକୁ ଯିବାକୁ ଥାନା ପକ୍ଷରୁ କୁହାଯାଇଥିଲା । କିନ୍ତୁ ୨ ଟା ୧୫ ମିନିଟ୍ ରେ ଶିବା ଫୋନ୍ କରି ଜଣାଇଥିଲେ ଯେ, ଗଣ୍ଡଗୋଳ ଥମିଗଲାପରି ଲାଗୁଛି । ପୋଲିସ ଆଉ ଆସିବା ଦରକାର ନାହିଁ ବୋଲି ସେ ଜଣାଇଲେ । କିନ୍ତୁ ୫ ମିନିଟ୍ ପରେ ପୁଣି ଫୋନ୍ କରି ଗଣ୍ଡଗୋଳ ପୁଣି ଆରମ୍ଭ ହୋଇଥିବା ଜଣାଇଲେ ଏବଂ ତାପରେ ଫୋନ୍ କରି ପୋଲିସର ବିଳମ୍ବ ନେଇ ମଧ୍ୟ ବ୍ୟସ୍ତତା ପ୍ରକାଶ କଲେ । ଏହାପରେ ହିଁ ଘଟଣା ହେଲା ବିବାଦୀୟ । ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗଣ୍ଡଗୋଳ ଥମିଯାଇଥିଲା ଏବଂ ଗଣ୍ଡଗୋଳ କଥାକୁ ଉପସ୍ଥିତ ଲୋକେ ମାନି ନଥିଲେ ।ଏଥିରେ ଉତକ୍ଷିପ୍ତ ହୋଇ ହେଡ୍ କନଷ୍ଟେବଲ କୋଟେଶ୍ବର ରାଓ ପୋଲିସକୁ ଫୋନ୍ କରିଥିବା ଶିବା କ୍ରିଷ୍ଣାକୁ ଡାକି ଗାଳି ଦେବା ସହ ତାଙ୍କୁ ପୋଲିସ ଜିପ୍ ରେ ବସାଇ ଥାନାକୁ ନେଇଗଲେ । ଥାନାରେ ଶିବାକୁ କୋଟେଶ୍ବର ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ପରେ ଶିବାକୁ ପୋଲିସ ଘରେ ଛାଡିଥିଲା । କିନ୍ତୁ ଶିବାର ପରିବାର କୋଟେଶ୍ବରଙ୍କ ବିରୋଧରେ ଏଫଆଇଆର୍ ଦେଇଥିଲେ । ଥାନା ଇନ୍ସପେକ୍ଟର ଘଟଣାର ତଦନ୍ତ କରି ଅଭିଯୋଗ ସତ ବୋଲି ରିପୋର୍ଟ ଦେବା ପରେ ହେଡ୍ କନଷ୍ଟେବଲ କୋଟେଶ୍ବରଙ୍କୁ ବଦଳି କରାଯାଇଛି ।