ଘାତକ ହେଲାଣି ଇନଷ୍ଟାଣ୍ଟ Loan Apps ! ପ୍ଲେ ଷ୍ଟୋରରୁ ୧୫୮ ଲୋନ୍ ଆପ୍ ହଟାଇବାକୁ ଗୁଗ୍ଲକୁ କହିଲା ହାଇଦ୍ରାବାଦ ପୋଲିସ
28/12/2020 at 6:56 PM

ହାଇଦ୍ରାବାଦ ୨୮/୧୨: ଡରାଇଲାଣି ନକଲି ଲୋନ୍ ଆପ୍।। ବିଭିନ୍ନ ଲୋନ୍ ଆପ ମାଧ୍ୟମରେ ଲୋକେ ଠକାମୀରେ ଶିକାର ହେଉଛନ୍ତି। ହାଇଦ୍ରାବାଦରେ ନକଲି ଆପ୍ ମାଧ୍ୟମରେ ଟଙ୍କା ଲେଣଦେଣ ମାମଲାରେ ୟୁଜର ଠକାମୀରେ ଶିକାର ହେଉଥିବା ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ତେବେ ଏହି ସବୁ ଆପ୍ କମ୍ପାନୀ ଉପରେ ଲଗାମ ଲଗାଇବାକୁ ତେଲେଙ୍ଗାନା ସରକାର ଅଣ୍ଟା ଭିଡ଼ିଛନ୍ତି। ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ଏଭଳି ୧୫୮ ଲୋନ୍ ଆପ୍ ବ୍ଲକ୍ କରିବାକୁ ହାଇଦ୍ରାବାଦ ପୋଲିସ ଅପିଲ୍ କରିଛି।
ନକଟରେ ଲୋନ୍ ଦେବାକୁ କହି ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିଲା। ଏହି ମାମଲାରେ ଜଣେ ଚୀନ ନାଗରିକ ସମେତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଚୀନ ନାଗରିକର ସମ୍ପୃକ୍ତି ମିଳିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହାଇଦ୍ରାବାଦ ପୋଲିସ ପାଖରୁ ତଥ୍ୟ ଏକଜୁଟ କରୁଥିବା ଜଣାପଡ଼ିଛି।
ତତ୍କାଳ ଲୋନ୍ ଆପ୍ ଅପରେଟ୍ କରୁଥିବା ୧୪ ଲୋକଙ୍କୁ ଗିରଫ କରିବା ପରେ ହାଇଦ୍ରାବାଦ ପୋଲିସ ୪୨ଟି ଲୋନ୍ ଆପ୍ ବନ୍ଦ କରିବାକୁ ଆବେଦନ କରିଛି। ଏହା ସହ ସାଇବରାବାଦ ପୋଲିସ ୧୧୬ଟି ଏଭଳି ଲୋନ୍ ଆପ୍ ଲିଷ୍ଟ ପଠାଇଥିବା ସୂଚନା ମିଳିଛି। ଏନେଇ ଗୁଗଲ୍ର ପ୍ରତିକ୍ରିୟା ପୋଲିସ ଅପେକ୍ଷା କରିଛି ବୋଲି ହାଇଦ୍ରାବାଦର ଜଏଣ୍ଟ ପୋଲିସ କମିଶନର ଅବିନାଶ ମହାନ୍ତି କହିଛନ୍ତି।
ମୋବାଇଲ ୟୁଜର ବାରମ୍ବାର ଠାକାମୀରେ ଶିକାର ହେବା ଓ ଏନେଇ ଥାନାରେ ମାମଲା ସଂଖ୍ୟା ବୃଦ୍ଧି ପାଇବା ପରେ ପୋଲିସ ଏହି ୧୫୮ ଲୋନ୍ ଆପ୍ ସମ୍ପର୍କରେ ଜାଣିବାକୁ ପାଇଥିଲା। ଠକାମୀରେ ଶିକାର ହୋଇ ଏବେ ଯାଏ ୩ ଜଣ ଆତ୍ମହତ୍ୟା ମଧ୍ୟ କରିସାରିଛନ୍ତି।
ସୂଚନଯୋଗ୍ୟ, ଏଭଳି ଇନ୍ଷ୍ଟାଣ୍ଟ ଲୋନ୍ ଆପରୁ ଦୂରେଇ ରହିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ୨୩ ତାରିଖରେ ସୂଚନା ଦେଇସାରିଛନ୍ତି। ଲୋକଙ୍କୁ ସତର୍କ କରାଇବା ସହ ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ ଏହି ମୋବାଇଲ ଆପ୍ ବା ଡିଜିଟାଲ୍ ପ୍ଳାଟଫର୍ମରୁ ଲୋନ ଉଠାଇ ଲୋକେ ଋଣଜାଲରେ ଫଶିପାରନ୍ତି।