ଭେଣ୍ଟିଲେଟର କାଢିନେଲେ, ଚାଲିଗଲା ପ୍ରାଣ … ମୃତ୍ୟୁ ପୂର୍ବରୁ ବାପାଙ୍କୁ ଠାରୁ ବିକଳ ବିଦାୟ, ବାଏ ଡାଡି..ବାଏ...

Published By : Prameya-News7 Bureau | June 30, 2020 IST

ହାଇଦ୍ରାବାଦ ୩୦।୦୬: ‘ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛି। ଶ୍ୱାସକ୍ରିୟା ବନ୍ଦ ହୋଇଯାଉଛି । ସେମାନେ ଭେଣ୍ଟିଲେଟର ହଟାଇ ଦେଇଛନ୍ତି । ବାଏ ଡାଡି.... ବାଏ ।’ ହାଇଦ୍ରାବାଦରେ ଜଣେ ୩୪ ବର୍ଷୀୟ କରୋନା ଆକ୍ରାନ୍ତ ମୃତ୍ୟୁ ପୂର୍ବରୁ ନିଜ ପିତାଙ୍କୁ ଏଭଳି କହିଛନ୍ତି । ଏ ନେଇ ଏକ ଭିଡିଓ ଏବେ ସାମ୍ନାକୁ ଆସିବା ପରେ ହାଇଦ୍ରାବାଦରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ମୃତ ଯୁବକଙ୍କ ପିତାଙ୍କ ମୁତାବକ ତାଙ୍କ ପୁଅ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ନେଇ ହସ୍ପିଟାଲ ଯାଇଥିଲି । ୧୦ଟି ଘରୋଇ ହସ୍ପିଟାଲ ଯାଇ ଗୁହାରି କରିବା ପରେ ବି କେହି ଶୁଣିଲେ ନାହିଁ । ଏହାପରେ ବୁଧବାର ସରକାରୀ ଚେଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସଂକଟାପନ୍ନ ଅବସ୍ଥାରେ ଥିବା ବେଳେ ତାଙ୍କ ମୁହଁରୁ ଭେଣ୍ଟିଲେଟର କାଢ଼ିଦିଆଯିବାରୁ ସେ ପ୍ରାଣ ହରାଇଛନ୍ତି । ଭିଡିଓ ଭାଇରାଲ ହେବା ପରେ ଏବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା କାର୍ଯ୍ୟ ଉପରେ ପ୍ରଶ୍ନ ଉଠିବା ଆରମ୍ଭ କରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଯୁବକ ଜଣକ କହୁଛନ୍ତି।  ମୁଁ ଆଦୌ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନାହିଁ । ମୁଁ ଅନେକ ଥର ଭେଣ୍ଟିଲେଟର ପାଇଁ ଅନୁରୋଧ କଲି । କିନ୍ତୁ ମୋତେ ୩ ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ ମିଳିଲାନି । ଡାଡି ଏବେ ମୋର ଶ୍ୱାସକ୍ରିୟା ବନ୍ଦ ହେବାରେ ଲାଗିଛି । ମୁଁ ଆଉ ପ୍ରଶ୍ୱାସ ନେଇପାରୁ ନାହିଁ । ଏମିତି ଲାଗୁଛି, ଯେମିତି ମୋ ହୃଦୟ ଅଟକି ଯାଇଛି । ବାଏ ଡାଡି, ବାଏ ଟୁ ଅଲ୍‌ ଡାଡି ।’ ଏହି ଭିଡିଓକୁ ଏବେ ଲୋକମାନେ ସେୟାର କରୁଥିବା ଦେଖିବାକୁ ମିଳିଛି ।

କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏବେ ଅବହେଳା ନ କରିବା ପାଇଁ କିଛି ଲୋକ ଅନୁରୋଧ ବି କରିଛନ୍ତି । ରିପୋର୍ଟ ମୁତାବକ ଏହି ଭିଡିଓ ଯୁବକଙ୍କ ମୃତ୍ୟୁର ୧ ଘଣ୍ଟା ପୂର୍ବରୁ ରେକର୍ଡ କରାଯାଇଥିଲା । କିନ୍ତୁ ତାଙ୍କର ଅନ୍ତିମ ସଂସ୍କାର ଶେଷ ହେବା ପରେ ଭିଡିଓ ସାମ୍ନାକୁ ଆସିଛି । ଏ ନେଇ ମୃତକଙ୍କ ପିତା କହିଛନ୍ତି, ମୋ ପୁଅ ସହାୟତା ପାଇଁ କେତେ ଗୁହାରି କରିଥିଲା । କିନ୍ତୁ ତାକୁ କେହି ଅନାଇଲେ ନାହିଁ । ମୁଁ ଏହି ଭିଡିଓ ଅନ୍ତିମ ସତ୍କାର ପରେ ଦେଖିଲି । ଭିଡିଓ ଦେଖିବା ପରେ ଛାତି ଫାଟିଗଲା ଭଳି ଅନୁଭବ କରୁଛି । ମୋ ପୁଅ ସହ ଏଭଳି ଘଟିଥିବା ଜାଣିବା ପରେ ମୋତେ ବହୁତ କଷ୍ଟ ହେଉଛି । ମୋ ପୁଅ ସହ ଯାହା ଘଟିଲା, ତାହା ଆଉ ଅନ୍ୟ କାହା ସହିତ ନ ହେଉ । ଅନ୍ୟପକ୍ଷରେ ଯୁବକ ଜଣକ କୋଭିଡ-୧୯ ସଂକ୍ରମିତ ହୋଇଥିବା ନେଇ ପୂର୍ବରୁ ଜଣାପଡ଼ି ନ ଥିଲା । ଅନ୍ତିମ ସତ୍କାର ପରେ ତାଙ୍କ ପିତା ଯାଇ ନମୁନା ରିପୋର୍ଟ ଆଣିଥିଲେ, ଯେଉଁଥିରେ କରୋନା ପଜିଟିଭ ଦର୍ଶାଯାଇଥିଲା । ମୃତକଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏବେ ସମସ୍ତଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.