ସ୍ବାମୀଙ୍କ ଅନ୍ୟ ଯୁବତୀଙ୍କ ସହ ଚାଲିଥିଲା ଆଫେୟାର : ପ୍ରେମିକାଙ୍କ ଗୁପ୍ତାଙ୍ଗରେ ଲଙ୍କା ପାଉଡର ପକାଇଲେ ପତ୍ନୀ

Published By : Prameya-News7 Bureau | February 02, 2020 IST

ଅହମଦାବାଦ ୨/୨: ସ୍ବାମୀଙ୍କ ଅନ୍ୟ ଯୁବତୀ ସହ ଆଫେୟାର ଯୋଗୁଁ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ପ୍ରେମିକାଙ୍କଠୁ ଯେପରିଭାବେ ପ୍ରତିଶୋଧ ନେଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅହମଦାବାଦର ପୋଲିସ୍ ଷ୍ଟେସନରେ ଜଣେ ୨୨ବର୍ଷ ବୟସ୍କା ଯୁବତୀ ନିଜ ପୂର୍ବତନ ପ୍ରେମିକଙ୍କ ପତ୍ନୀ ବିରୋଧରେ ୩ମହିଳାଙ୍କ ସହ ମିଶି ତାଙ୍କ ଗୁପ୍ତାଙ୍ଗରେ ଲଙ୍କା ପାଉଡର ପକାଇଦେବାର ଅଭିଯୋଗ କରିଛନ୍ତି। ଏହି ମାମଲା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ନିଜ ଅଭିଯୋଗରେ ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି ଯେ ସେ ଅହମଦାବାଦର କପଡ଼ା ଗୋଦାମରେ କାମ କରୁଥିଲେ ଏବଂ ସେଠାରେ ଗିରିଶ ଗୋସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ୨ବର୍ଷ ପ୍ରେମ ସମ୍ପର୍କ ପରେ ଯୁବତୀ ସେହି ବ୍ୟକ୍ତିଙ୍କଠୁ ଅଲଗା ହୋଇଯାଇଥିଲେ ଏବଂ ଅନ୍ୟ ଦୋକାନରେ କାମ କରିଥିଲେ।

ପୀଡ଼ିତାଙ୍କ କହିବା ଅନୁସାରେ ୨ମାସ ତଳେ ଗିରିଶ ତାଙ୍କୁ ଦେଖା କରିବାକୁ ଡାକିଥିଲେ ଯାହା ତାଙ୍କ ପତ୍ନୀ ଜାନୁଙ୍କୁ ଜଣା ପଡ଼ି ଯାଇଥିଲା। ଏହା ଜାଣିବା ପରେ ଜାନୁ ରାଗି ପଞ୍ଚମ ହୋଇଯାଇଥିଲେ ଏବଂ ସେ ତାଙ୍କ ସ୍ବାମୀଙ୍କ ପ୍ରେମିକାକୁ ମଜା ଚଖାଇବା ପାଇଁ ନିଜ ୩ସାଙ୍ଗ ସହ ମିଶି ଯୁବତୀଙ୍କ ଅପହରଣ କରିଥିଲେ।

ଯୁବତୀ କହିଥିଲେ ଯେ ଜାନୁ ଏବଂ ତାଙ୍କ ସାଙ୍ଗ ପ୍ରଥମେ ସ୍କୁଟିରେ ତାଙ୍କୁ ଅପହରଣ କରିଥିଲେ। ଏହା ପରେ ତାଙ୍କୁ ଶୂନଶାନ ସ୍ଥାନକୁ ନେଇଯାଇ ପୋଷାକ ଖୋଲି ତାଙ୍କ ଗୁପ୍ତାଙ୍ଗରେ ଲଙ୍କା ପାଉଡର ଭରି ଦେଇଥିଲେ। ଯେତେବେଳେ ସେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିଲେ ସେତେବେଳେ ଜାନୁ ଏବଂ ତାଙ୍କ ସାଙ୍ଗମାନେ ମୋବାଇଲରେ ତାଙ୍କ ଭିଡିଓ କରିଥିଲେ। ଏହା ପରେ ଯଦି ସେ ଗିରିଶଙ୍କୁ ଦେଖା କରିବାକୁ ଯାଆନ୍ତି ତେବେ ଏସିଡ ଫିଙ୍ଗିବାର ଧମକ ଦେଇଥିଲେ।

ନିଜ ଅଭିଯୋଗରେ ପୀଡ଼ିତା ଏହା ମଧ୍ୟ କହିଥିଲେ ଯେ ଗିରିଶଙ୍କ ପତ୍ନୀ ଜାନୁ ତାଙ୍କଠୁ ୫୦ହଜାର ଟଙ୍କା ମାଗିଥିଲେ କାରଣ ଜାନୁକୁ ଲାଗୁଥିଲା ଯେ ତା’ ସ୍ବାମୀ ତାଙ୍କ ପୋଷାକ ପାଇଁ ଅନେକ ଟଙ୍କା ବରବାଦ କରିଥିଲେ। ଏହା ପରେ ତାଙ୍କୁ ସେଠାରେ ଯନ୍ତ୍ରଣାଦାୟକ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ। ଏଥିରେ ସଂଶ୍ଲିଷ୍ଟ ଥିବା ୩ଜଣ ମହିଳାଙ୍କୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.