ଡବଲ୍ ମର୍ଡ଼ର ଯୋଗୁଁ ଲୋକେ ଆତଙ୍କିତ : ସ୍ବାମୀ-ସ୍ତ୍ରୀଙ୍କୁ ଦଉଡ଼ିରେ ବାନ୍ଧି ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

Published By : Prameya-News7 Bureau | August 12, 2020 IST

ଫରିଦାବାଦ ୧୨/୮: ଦିଲ୍ଲୀର ଫରିଦାବାଦରେ ସ୍ବାମୀ-ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରି ଦିଆଯାଇଛି। ଘଟଣାଟି ଘଟିଛି ଜସାନା ଗାଁରେ। କୁହାଯାଉଛି ଯେ ହତ୍ୟା କରିବା ପୂର୍ବରୁ ଉଭୟଙ୍କୁ ଦଉଡ଼ିରେ ବାନ୍ଧି ଦିଆଯାଇଥିଲା ଏବଂ ଏହା ପରେ ଗୁଳି କରି ଦିଆଯାଇଥିଲା। ସମ୍ପତ୍ତି ବିବାଦକୁ ନେଇ ହତ୍ୟାକାଣ୍ଡଟି ଘଟିଥିବାର ସନ୍ଦେହ କରାଯାଉଛି। ବର୍ତ୍ତମାନ,ପୋଲିସ ତଦନ୍ତରେ ଜୁଟିଯାଇଛି।

ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ପୋଲିସର କହିବା ଅନୁସାରେ ସ୍ବାମ-ସ୍ତ୍ରୀଙ୍କ ବୟସ ପାଖାପାଖି ୩୦ବର୍ଷ। ଘରେ ପଶି ଦୁର୍ବୃତ୍ତମାନେ ପ୍ରଥମେ ସ୍ବାମୀ-ସ୍ତ୍ରୀଙ୍କୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ତା’ପରେ ଗୁଳି କରି ଦେଇଥିଲେ। ବର୍ତ୍ତମାନ,ପୋଲିସ୍ ଉଭୟଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ବାଦଶାହ ଖାନ୍ ହସ୍ପିଟାଲକୁ ପଠାଇ ଦେଇଛି। ଏହା ସହିତ ଆଖପାଖର ପଡ଼ୋଶୀଙ୍କଠୁ ମଧ୍ୟ ପଚରାଉଚୁରା କରାଯାଉଛି।

ମୋନିକା ଏବଂ ସୁଖବୀରଙ୍କ ୨୦୧୩ମସିହାରେ ବିବାହ ହୋଇଥିଲା ଏବଂ କିଛି ଦିନ ହେବ ମୋନିକା ନିଜ ସ୍ବାମୀଙ୍କ ସହ ବାପଘର ପାଖରେ ଏକ ଘର ଭଡ଼ା ନେଇ ରହୁଥିଲେ। ଏହି ସମୟରେ ପଡ଼ୋଶୀ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି। ଏଥିରେ ବାଇକରେ ଆସି ୪ଜଣ ପ୍ରଥମେ ଘରେ ପଶୁଛନ୍ତି ଏବଂ ପରେ ଛାନିଆରେ ଦୌଡ଼ି ପଳାଉଥିବା ନଜର ଆସିଛନ୍ତି।

ପୋଲିସ୍ ଏହି ୪ଜଣଙ୍କୁ ଖୋଜୁଛି। ମୃତ ମୋନିକାଙ୍କ ଭାଇ ମନୀଷଙ୍କ କହିବା ଅନୁସାରେ ତାଙ୍କ ଭଉଣୀ ମୋନିକା ପ୍ରତିଦିନ ସନ୍ଧ୍ୟାରେ କ୍ଷୀର ନେବାକୁ ଯାଉଥିଲେ। ମଙ୍ଗଳବାର ସନ୍ଧ୍ୟାରେ ମୋନିକା ନ ଆସିବାରୁ ସେ ନିଜେ କ୍ଷୀର ଦେବାକୁ ଯାଇଥିବାବେଳେ ଦେଖିଥିଲେ ଘରର ସବୁ ଲାଇଟ୍ ବନ୍ଦ ରହିଛି ଏବଂ ଭିତରେ ୨ଜଣଙ୍କ ମୃତଦେହ ପଡ଼ିଛି।

ଉଭୟଙ୍କ ହାତ ଏବଂ ଗୋଡ଼କୁ ବାନ୍ଧି ମୁହଁରେ ଟେପ୍ ଲଗାଯାଇଛି ଏବଂ ସେମାନଙ୍କ ମୁଣ୍ଡରେ ଗୁଳି କରାଯାଇଛି। ଡବଲ୍ ମର୍ଡ଼ର ଯୋଗୁଁ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ପୋଲିସ୍ ମାମଲାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.