ସ୍ତ୍ରୀର ଜଞ୍ଜାଳରୁ ମୁକ୍ତି ପାଇଁ ସ୍ୱାମୀ ସାଜିଲା ଡ୍ରାଇଭର : ଶାନ୍ତିରେ ଅଲଗା ରହିବାକୁ ଛାଡି ଦେଲା ଘର

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ,୨୭|୧୧:  ବିବାହ ପରେ ପ୍ରାୟତଃ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ । କିନ୍ତୁ ବେଳେବେଳେ ଏହି ଝଗଡା ଅସହ୍ୟ ହୋଇଯାଏ । ଝିମିଟି ଖେଳରୁ ମହାଭାରତ ଭଳି ଏହା ଉଗ୍ର ରୂପ ଧାରଣ କରିଥାଏ । ଦିଲ୍ଲୀରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଦୈନିକ ହେଉଥିବା ଝଗଡାରୁ ବ୍ୟଥିତ ହୋଇ ଚାକିରୀ ଛାଡିବା ସହ ଏବେ ଡ୍ରାଇଭର ଭାବେ କାମ କରୁଛନ୍ତି । ସେ ଏପରି ପତ୍ନୀଙ୍କ ଠାରୁ ଦୂରରେ ରହିବା ପାଇଁ କରିଛନ୍ତି । କେବଳ ଶାନ୍ତି ପାଇଁ ବ୍ୟକ୍ତିଜଣଙ୍କ ନାମୀଦାମୀ ସଂସ୍ଥାରୁ ଚାକିରୀ ଛାଡିଦେଇଛନ୍ତି । ତେବେ ପତ୍ନୀ କୋର୍ଟର ଦ୍ୱାରସ୍ଥ ହେବା ପରେ ସେ ପୁଣି ଘରକୁ ଫେରି ଆସିଛନ୍ତି ।

ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚର ସୂଚନା ଅନୁସାରେ, ବ୍ୟକ୍ତିଜଣଙ୍କ ଗୁରୁବାର ନିଜ ଘରକୁ ଫେରି ଆସିଛନ୍ତି । କାରଣ ସେହିଦିନ ଉଭୟ ପତି-ପତ୍ନୀଙ୍କ ବିବାହର ୧୦ ବର୍ଷ ପୂରଣ ହୋଇଥିଲା । ଉଭୟ ପତି-ପତ୍ନୀଙ୍କ କାଉନସେଲିଂ କରାଯାଇଛି । ବ୍ୟକ୍ତିଜଣଙ୍କ ଯେପରି ପୁଣି ଚାଲିନଯାଆନ୍ତି ତା ଉପରେ ଧ୍ୟାନ ଦିଆଯାଉଛି । ସେମାନେ ଏବେ ଖୁସିରେ ରହିବେ ବୋଲି ରାଜି ହୋଇଛନ୍ତି ।

କ୍ରାଇମ୍ ବ୍ରାଞ୍ଚ୍ ଡିସିପି ମୋନିକା ଭରଦ୍ୱାଜ କହିଛନ୍ତି ଯେ, ଏପ୍ରିଲ ୧୨ ତାରିଖରେ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲିଥିଲା । ବ୍ୟକ୍ତିଜଣଙ୍କ ନିଜର ପତ୍ନୀ ଓ ୮ ମାସର ଶିଶୁ ସହ ରହୁଥିଲେ । ସେ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ, ଯେଉଁଠାରେ ତାଙ୍କ ଦରମା ୨୫୦୦୦ ଥିଲା । ଏହାପରେ ପତି-ପତ୍ନୀଙ୍କ ମଧ୍ୟରେ ପ୍ରତିଦିନ କଳହ ଲାଗି ରହୁଥିଲା । ଛୋଟ ଛୋଟ କଥାକୁ ନେଇ ଝଗଡା ହେଉଥିଲା । ପରେ ବ୍ୟକ୍ତିଜଣଙ୍କ ନୋଏଡାରୁ ଚାଲି ଆସି ହରିୟାଣାର ମେବାତରେ ଏକା ରହିବାକୁ ଲାଗିଲେ । ସେଠାରେ ସେ ଡ୍ରାଇଭର ଭାବେ ଗୁଜୁରାଣ ମେଣ୍ଟାଉଥିଲେ । ପରିବାର ଲୋକେ ଏକଥା ଜାଣି ନଥିଲେ । ଏପରିକି ପତ୍ନୀ ନୋଏଡା ଥାନାରେ ପତିଙ୍କ ନିଖୋଜ ବାବଦରେ ଏଫଆଇଆର ଦାଖଲ କରିଥିଲେ ।

ପୋଲିସ ପତିଙ୍କ ଜଣେ ବନ୍ଧୁଙ୍କ ଉପରେ ସନ୍ଦେହ କରିଥିଲା । ବନ୍ଧୁଙ୍କ ଜରିଆରେ ହିଁ ପୋଲିସ ପତିଙ୍କ ସନ୍ଧାନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.